ଓଡିଶା ପର୍ଯ୍ୟଟନ ମାନଚିତ୍ରରେ ସ୍ଥାନ ପାଇନି ଜମୂନାଶୂଳ ବେଳାଭୂମି, ଦୃଷ୍ଟି ଆଢ଼ୁଆଳରେ ଥିଲେ ବି ଛୁଟୁଛି ପର୍ଯ୍ୟଟକଙ୍କ ସୁଅ

ମନୋରମ ବେଳାଭୂମି ଓଡିଶା ପର୍ଯ୍ୟଟନ ମାନଚିତ୍ରରେ ସ୍ଥାନ ପାଇ ନଥିବାରୁ ବେଳାଭୂମିର ବିକାଶ ହୋଇ ହୋଇ ପାରୁନି , ଯାହାକୁ ନେଇ ପର୍ଯ୍ୟଟକ ଏବଂ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଅସନ୍ତୋଷ ଦେଖା ଦେଇଛି ।

 

ଝାଉଁ ବନର ସୁ ସୁ ଶବ୍ଦ ମଧ୍ୟରେ ନାଲି କଙ୍କଡାଙ୍କ ଲୁଚକାଳି ଖେଳ । ସମୁଦ୍ରର ନୀଳ ଜଳରାଶି ମଧ୍ୟରୁ ଉତ୍ତାଳ ତରଙ୍ଗ ପର୍ଯ୍ୟଟକଙ୍କୁ ଆକର୍ଷିତ କରିଥାଏ । ପୁଣି ସୂର୍ଯ୍ୟୋଦୟ ଓ ସୂର୍ଯ୍ୟାସ୍ତ ସମୟର ଜଳରାଶି ଉପରେ ସୂର୍ଯ୍ୟଙ୍କ ଲାଲ କିରଣର ଦୃଶ୍ୟ ପର୍ଯ୍ୟଟକଙ୍କ ମନ ମୋହି ନେଇ ଥାଏ । ଏ ସୁନ୍ଦର ବେଳାଭୂମି ଦେଖିଲେ ଯେକୌଣସି ପର୍ଯ୍ୟଟକ ଆକର୍ଷିତ ହେବ । ପର୍ଯ୍ୟଟନ ଋତୁରେ ଚଳଚଞ୍ଚଳ ହୋଇ ଉଠିଛି ଓଡିଶାର ବିଭିନ୍ନ ପର୍ଯ୍ୟଟନସ୍ଥଳୀ । ତେବେ ଓଡିଶାରେ ଥିବା ବିଭିନ୍ନ ପର୍ଯ୍ୟଟନସ୍ଥଳୀ ଗୁଡିକ ମଧ୍ୟରୁ ବାଲେଶ୍ବର ଜିଲ୍ଲାର ମନୋରମ ଜମୁନାଶୂଳ ବେଳାଭୂମିର ସୌନ୍ଦର୍ଯ୍ୟ ଅତୀବ ନିଆରା । ଏହି ସୌନ୍ଦର୍ଯ୍ୟକୁ ଉପଭୋଗ କରିବା ପାଇଁ ଓଡିଶା ସମେତ ରାଜ୍ୟ ବାହାରୁ ହଜାର ହଜାର ପର୍ଯ୍ୟଟକ ଙ୍କ ସୁଅ ଛୁଟେ । କିନ୍ତୁ ଏହି ମନରୋମ ବେଳାଭୂମିଟି ଓଡିଶା ପର୍ଯ୍ୟଟନ ମାନଚିତ୍ରରେ ସ୍ଥାନ ପାଇ ନଥିବାରୁ ବେଳାଭୂମି ବିଷୟରେ ଲୋକଙ୍କୁ ଜଣା ନାହିଁ । ଏହି ବେଳାଭୂମିର ବିକାଶ ହେଲେ ବାଲିଆପାଳ ବ୍ଲକ ସମେତ ସମଗ୍ର ଜିଲ୍ଲାର ସାମାଜିକ ଓ ଅର୍ଥନୈତିକ ପ୍ରଗତି ହେବ । କିନ୍ତୁ ପ୍ରଶାସନ ଏଥିପ୍ରତି ଗୁରୁତ୍ବ ନଦେବା ଯୋଗୁଁ ସ୍ଥାନୀୟ ବାସିନ୍ଦା ଏବଂ ପର୍ଯ୍ୟଟକ ମହଲ ରେ ଅସନ୍ତୋଷ ଦେଖା ଦେଇଛି ।

ବାଲେଶ୍ବର ଜିଲ୍ଲା ସଦର ମହକୁମା ଠାରୁ ୬୦ କିଲୋମିଟର ଏବଂ ବାଲିଆପାଳ ବ୍ଲକ ମୁଖ୍ୟାଳୟ ଠାରୁ ୨୦ କିମି ଦୁରରେ ରହିଛି ଜମୂନାଶୂଳ ବେଳାଭୂମି । କେବଳ ପର୍ଯ୍ୟଟନ ଋତୁ ନୁହେଁ ବର୍ଷ ତମାମ ବଣ ଭୋଜି ସାଙ୍ଗକୁ ସାମୁଦ୍ରିକ ଜଳକ୍ରୀଡା ଆଦି ମନୋରମ ଦୃଶ୍ୟର ମଜା ନେବା ପାଇଁ ହଜାର ହଜାର ସଙ୍ଖ୍ୟାରେ ପର୍ଯ୍ୟଟକ ଏଠାକୁ ଆସିଥାନ୍ତି । ଏଠାରେ ଅନୁଷ୍ଠିତ ମକର ମେଳା,ବାରୁଣୀ ସ୍ନାନ ପାଇଁ ମଧ୍ୟ ହଜାର ହଜାର ଲୋକଙ୍କ ସମାଗମ ହୋଇଥାଏ । କିନ୍ତୁ ଏହି ମନୋରମ ବେଳାଭୂମି ଓଡିଶା ପର୍ଯ୍ୟଟନ ମାନଚିତ୍ରରେ ସ୍ଥାନ ପାଇ ନଥିବାରୁ ବେଳାଭୂମିର ବିକାଶ ହୋଇ ହୋଇ ପାରୁନି , ଯାହାକୁ ନେଇ ପର୍ଯ୍ୟଟକ ଏବଂ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଅସନ୍ତୋଷ ଦେଖା ଦେଇଛି ।

ଜମୁନାଶୂଳ ବେଳାଭୂମି ଓଡିଶାର ସୀମାନ୍ତରେ ରହିଥିବାରୁ ଓଡିଶା ସମେତ ପଡୋଶୀ ପଶ୍ଚିମବଙ୍ଗ , ଝାଡଖଣ୍ତ, ବିହାର ଆଦି ରାଜ୍ୟର ପର୍ଯ୍ୟଟକ ମାନେ ଏଠାକୁ ଆସିଥାନ୍ତି । ଦୂର ଦୂରାନ୍ତ ରୁ ଆସୁଥିବା ପର୍ଯ୍ୟଟକ ମାନଙ୍କ ରାତ୍ରି ଯାପନ ପାଇଁ ଏଠାରେ ରହିଛି ଏକ ସୁନ୍ଦର ପାନ୍ଥ ନିବାସ । ଯାତ୍ରୀ ନିବାସରେ ପର୍ଯ୍ୟଟକ ମାନଙ୍କ ରହଣି ପାଇଁ ସୁସଜ୍ଜିତ କୋଠରୀ ସାଙ୍ଗକୁ ପ୍ରଶସ୍ତ ମିଟିଂ ହଲ , ଡାଇନିଂ ହଲ , ଏକାଧିକ ସ୍ନାନାଗାର ସାଙ୍ଗକୁ ରୋଷେଇ ପାଇଁ ପର୍ଯ୍ୟାପ୍ତ ବ୍ୟବସ୍ଥା ରହିଛି । କିନ୍ତୁ ୟସ ବାତ୍ୟାରେ ସମୂଦ୍ର ପାଣି ମାଡି ଆସି ପ୍ରାକୃତିକ ଭାବେ ତିଆରି ହୋଇଥିବା ଜଳ ରାଶି ବେଳାଭୂମିକୁ ଯାତାୟତ ପାଇଁ ବାଧକ ସାଜିଛି । ପର୍ଯ୍ୟଟକ ମାନଙ୍କ ଯାତାୟତ ପାଇଁ ବେଳାଭୂମି ଉନ୍ନୟନ କମିଟି ଏବଂ ଅଞ୍ଚଳବାସୀଙ୍କ ସହାୟତାରେ ଏକ ଅସ୍ଥାୟୀ କାଠ ପୋଲ ନିର୍ମାଣ ହୋଇଥିବା ବେଳେ ତାହା ଏବେ ବିପଦ ସଙ୍କୁଳ ଅବସ୍ଥାରେ ରହିଛି । ତେଣୁ ବେଳାଭୂମିକୁ ରାସ୍ତା ସହ ସେତୁ ନିର୍ମାଣ ଅତ୍ୟନ୍ତ ଜରୁରୀ ହୋଇ ପଡିଛି । ଗମନାଗମନ ପାଇଁ ରାସ୍ତାର ପ୍ରଶସ୍ତୀକରଣ ଇତ୍ୟାଦି କରାଗଲେ ପର୍ଯ୍ୟଟକଙ୍କ ସଂଖ୍ୟା ଆହୁରି ବଢି ପାରନ୍ତା ବୋଲି ସ୍ଥାନୀୟ ବାସିନ୍ଦା ଏବଂ ପର୍ଯ୍ୟଟକ ମାନେ କହିଛନ୍ତି । ଓଡିଶାର ଅନ୍ୟ ସମସ୍ତ ବେଳାଭୂମି ଭଳି ଯଦି ସରକାର ଏହି ମନରୋମ ବେଳାଭୂମିର ବିକାଶ ଦିଗରେ ପଦକ୍ଷେପ ନିଅନ୍ତେ ତାହାଲେ କେବଳ ବାଲିଆପାଳ ବ୍ଲକ ନୁହେଁ ସମଗ୍ର ଜିଲ୍ଲା ସମେତ ରାଜ୍ୟର ମଧ୍ୟ ସାମାଜିକ ଓ ଅର୍ଥନୈତିକ କ୍ଷେ୍ରତରେ ପ୍ରଗତି ହୋଇ ପାରନ୍ତା ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.