ଗାଜିଆବାଦ: ରାତିରେ କାମ ଚାଲିଥିବା ବେଳେ ଭୁଶୁଡ଼ିଲା ନିର୍ମାଣାଧୀନ ମଲ୍‌ର ଲିଣ୍ଟର; ୧ ଶ୍ରମିକ ମୃତ, ୭ ଆହତ

ମଲ୍‌ର ଦ୍ୱିତୀୟ ମହଲାରେ ଲିଣ୍ଟର ପକାଯାଉଥିଲା । ରବିବାର ରାତିରେ ଏହି ଦୁର୍ଘଟଣା ଘଟିଥିବା କୁହାଯାଉଛି । ରାତି ପାଖାପାଖି ୧୨ଟାରେ ସାଇଟ୍‌ରେ କାମ ଚାଲିଥିବା ବେଳେ ହଠାତ୍‌ ଲିଣ୍ଟର ଭୁଶୁଡ଼ି ପଡ଼ିଥିଲା ।

ଉତ୍ତର ପ୍ରଦେଶର ଗାଜିଆବାଦର ଟିଲା ମୋଡ ଥାନା ଅଞ୍ଚଳରେ ଏକ ବଡ଼ ଦୁର୍ଘଟଣା ଘଟିଛି । ଏଠାରେ ଭୋପୁରା ଅଞ୍ଚଳରେ ନିର୍ମାଣାଧୀନ ଗୌର ଏରୋ ସିଟି ମଲ୍‌ର ଲିଣ୍ଟର ଭୁୁଶୁଡ଼ି ଜଣେ ଶ୍ରମିକଙ୍କ ମୃତ୍ୟୁ ହୋଇଛି । ଏହି ଦୁର୍ଘଟଣାରେ ଅନ୍ୟ ୭ ଜଣ ଶ୍ରମିକ ଗୁରୁତର ଆହତ ହୋଇଥିବା ସୂଚନା ରହିଛି ।

ଦୁର୍ଘଟଣା ପରେ ସମସ୍ତ ଆହତଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ସେଠାରେ ସେମାନଙ୍କ ଚିିକିତ୍ସା ଚାଲିଛି । ସୂଚନା ମୁତାବକ, ମଲ୍‌ର ଦ୍ୱିତୀୟ ମହଲାରେ ଲିଣ୍ଟର ପକାଯାଉଥିଲା । ରବିବାର ରାତିରେ ଏହି ଦୁର୍ଘଟଣା ଘଟିଥିବା କୁହାଯାଉଛି । ରାତି ପାଖାପାଖି ୧୨ଟାରେ ସାଇଟ୍‌ରେ କାମ ଚାଲିଥିବା ବେଳେ ହଠାତ୍‌ ଲିଣ୍ଟର ଭୁଶୁଡ଼ି ପଡ଼ିଥିଲା ।

ଏଥିରେ ଆହତ ସମସ୍ତ ଶ୍ରମିକଙ୍କୁ ପ୍ରଥମେ ଜିଲ୍ଲା ହସ୍ପିଟାଲ ନିଆଯାଇଥିଲା । ପରେ ସେଠାରୁ ଘରୋଇ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି । ବର୍ତ୍ତମାନ ଆହତମାନଙ୍କ ଅବସ୍ଥା ସ୍ଥିର ଥିବା କୁହାଯାଉଛି ।

ଘଟଣାକୁ ନେଇ ପୋଲିସ ଅଧିକାରୀ କହିଛନ୍ତି, ରବିବାର ରାତି ୧୨ଟାରେ ଦ୍ୱିତୀୟ ମହଲାର ଲିଣ୍ଟର ହଠାତ୍‌ ଭୁଶୁଡ଼ି ପଡ଼ିଥିଲା । ଏହି ସମୟରେ ୮ ଜଣ ଶ୍ରମିକ ଲିଣ୍ଟର ଉପରେ ଛିଡ଼ା ହୋଇଥିଲେ । ଦୁର୍ଘଟଣା ବେଳେ ସମସ୍ତ ଶ୍ରମିକ ଲିଣ୍ଟର ସହିତ ହିଁ ତଳକୁ ଖସି ପଡ଼ିଥିଲେ । ଦୁର୍ଘଟଣାରେ ମୃତ ଶ୍ରମିକଙ୍କ ନାଁ ଅମିତ୍‌ ବୋଲି ଜଣାପଡ଼ିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.