ଓଡ଼ିଶାକୁ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ମାନ୍ୟତା ନେଇ ନବୀନଙ୍କ ଦାବିକୁ ଜେଡିୟୁର ସମର୍ଥନ

ଓଡ଼ିଶା ଦୁର୍ବିପାକ ପ୍ରବଣ ରାଜ୍ୟ । ପ୍ରତି ବର୍ଷ ଓଡ଼ିଶା ପ୍ରାକୃତିକ ବିପର୍ଯ୍ୟୟର ସମ୍ମୁଖୀନ ହେଉଛି। ଭିତ୍ତିଭୂମିର ବହୁ କ୍ଷତି ହେଉଛି। ଏବେ ଫନି, ପୂର୍ବରୁ ଫାଇଲିନ୍‌, ହୁଦ୍‌ହୁଦ୍‌ ଓ ତିତିଲିରେ କ୍ଷତିଗ୍ରସ୍ତ ହୋଇଥିଲା । ତେଣୁ ଓଡ଼ିଶାର ସ୍ୱତନ୍ତ୍ର ରାଜ୍ୟ ମାନ୍ୟତା ଦାବିକୁ ସମର୍ଥନ କରିଛି ଜେଡିୟୁ । ଦଳର ସାଧାରଣ ସମ୍ପାଦକ କେ ସି ତ୍ୟାଗି କହିଛନ୍ତି, ଉଭୟ ଓଡ଼ିଶା ଓ ବିହାରକୁ ସ୍ୱତନ୍ତ୍ର ରାଜ୍ୟ ମାନ୍ୟତା ମିଳିବା ଉଚିତ । ବିହାରରେ ବିଜେପି ମେଣ୍ଟରେ ଅଛି ଜେଡିୟୁ । ବିଜେପି କିନ୍ତୁ କହି ଆସୁଛି, ସ୍ୱତନ୍ତ୍ର ରାଜ୍ୟ ନେଇ କୌଣସି ବ୍ୟବସ୍ଥା ନାହିଁ । ଏଭଳି ସ୍ଥିତିରେ ଜେଡିୟୁର ବୟାନକୁ ନେଇ ଚର୍ଚ୍ଚା ଜୋର ଧରିଛି। ବିଜେଡି ଆଗରୁ ସ୍ପଷ୍ଟ କରି ସାରିଛି, କେନ୍ଦ୍ରରେ କୌଣସି ଜାତୀୟ ଦଳ ବହୁମତ ପାଇବେ ନାହିଁ । ସରକାର ଗଠନରେ ବିଜେଡିର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିବ। ଯିଏ ରାଜ୍ୟର ସ୍ୱାର୍ଥକୁ ଗୁରୁତ୍ୱ ଦେବ ତାକୁ ବିଜେଡି ସମର୍ଥନ କରିବ। ଓଡ଼ିଶା ବହୁ ଦିନରୁ ସ୍ୱତନ୍ତ୍ର ରାଜ୍ୟ ମାନ୍ୟତା ଦାବି କରି ଆସୁଛି । ଏବେ ମିଳିଛି ବିଜେପି ସହଯୋଗୀ ଦଳ ଜେଡିୟୁର ସମର୍ଥନ।

ଫାଇଲିନ୍‌, ହୁଦ୍‌ହୁଦ୍‌ ଓ ତିତିଲି ବେଳେ ଆସିଲେ ନାହିଁ। ନିର୍ବାଚନ ହେଲେ ବିଜେପି ନେତା ଆସୁଛନ୍ତି । ନିର୍ବାଚନୀ ପ୍ରଚାର ବେଳେ ବିଜେଡିର ଏ ଅଭିଯୋଗ ଥିଲା। ଫନି ପରେ ଆସିଲେ ମୋଦି। ନବୀନଙ୍କ କାମକୁ ତାରିଫ କଲେ। ସେପଟେ ବାତ୍ୟା ମୁକାବିଲାରେ ସହଯୋଗ ପାଇଁ କେନ୍ଦ୍ରକୁ ଧନ୍ୟବାଦ ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ । ବିଜେଡି କହିଛି, ଏହା ଦୁଇ ସରକାରଙ୍କ କଥା, ଦୁଇ ଦଳର ନୁହଁ। ତେଣୁ ରାଜନୈତିକ ଦୃଷ୍ଟିରେ ଦେଖା ନ ଯାଉ ।

ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ପ୍ରଦାନ କରା ନଯିବାରୁ ଆନ୍ଧ୍ରର ଟିଡିପି, ବିଜେପି ମେଣ୍ଟରୁ ଓହରି ଯାଇଥିଲା । ସେହିପରି ଆନ୍ଧ୍ରର ଆଉ ଏକ ଦଳ ୱାଇଏସ୍‌ଆର କଂଗ୍ରେସ ମଧ୍ୟ ସ୍ୱତନ୍ତ୍ର ରାଜ୍ୟ ମାନ୍ୟତା ଦାବି କରୁଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.