ତତଲା କଡେଇରେ ସିଝୁଛି ଝାରସୁଗୁଡ଼ା: ଗତକାଲି ଦେଶର ସବୁଠୁ ଉତ୍ତପ୍ତ ଓ ବିଶ୍ୱର ୭ମ ଉତ୍ତପ୍ତ ସହର ଭାବେ ଭାଙ୍ଗିଲା ରେକର୍ଡ

ଭୁବନେଶ୍ୱର (କେନ୍ୟୁଜ): ରେକର୍ଡ ଭାଙ୍ଗିଲା ଝାରସୁଗୁଡ଼ା। ବୁଧବାର ଦେଶର ସବୁଠୁ ଉତ୍ତପ୍ତ ଓ ବିଶ୍ୱର ସପ୍ତମ ଉତ୍ତପ୍ତ ସହର ଭାବେ ଝାରସୁଗୁଡ଼ା ରେକର୍ଡ କରାଯାଇଛି। ୪୪ ଡିଗ୍ରୀ ତାପମାତ୍ରା ସହ ଝାରସୁଗୁଡ଼ା ଦେଶର ଉତ୍ତପ୍ତ ସହର ଓ ୪୩.୯ ଡିଗ୍ରୀ ସହ ସୋନପୁର ଦ୍ୱିତୀୟ ଉତ୍ତପ୍ତ ସହର ପାଲଟିଛି। ୧୨ଟି ସହରରେ ତାପମାତ୍ରା ୪୦ ଡିଗ୍ରୀ ପାର୍‌ କରିଛି। ଏହି ସ୍ଥିତି ଆଗକୁ ଜାରି ରହିବା ସହ ଆହୁରି ତାପମାତ୍ରା ବୃଦ୍ଧି ହେବା ଆଶଙ୍କା କରାଯାଉଛି।

ଆଞ୍ଚଳିକ ପାଣିପାଗ ବିଭାଗର ସୂଚନା ଅନୁଯାୟୀ, ଆସନ୍ତା ୫ ଦିନ ମଧ୍ୟରେ ତାପମାତ୍ରାରେ ବିଶେଷ ପରିବର୍ତ୍ତନ ହେବ ନାହିଁ। ଫଳରେ ତାପମାତ୍ରାରେ ଏଭଳି ସ୍ଥିତି ବଳବତ୍ତର ରହିବା ଆଶଙ୍କା ରହିଛି। ବର୍ତ୍ତମାନ ଆଭ୍ୟନ୍ତରୀଣ ଓଡ଼ିଶାର ଅଧିକାଂଶ ସ୍ଥାନରେ ତାପମାତ୍ରା ସ୍ୱାଭାବିକଠାରୁ ୨ରୁ ୪ ଡିଗ୍ରୀ ଅଧିକ ରହିଛି। ଆଗାମୀ ୨୪ଘଣ୍ଟାରେ ଉପକୂଳ ତଥା କିଛି କିଛି ଆଭ୍ୟନ୍ତରୀଣ ଓଡ଼ିଶାରେ କାଳବୈଶାଖୀ ସମ୍ଭାବନା ରହିଛି। ବିଜୁଳି ଘଡ଼ଘଡ଼ି ସହ ୩୦ରୁ ୪୦ କିଲୋମିଟର ବେଗରେ ପବନ ବହିବା ସମ୍ଭାବନା ରହିଛି। ଆସନ୍ତା ୧୭ ତାରିଖ ଯାଏ ରାଜ୍ୟର ବିଭିନ୍ନ ଜିଲ୍ଲାରେ ବଜ୍ରପାତ ଓ ବର୍ଷା ଆଶଙ୍କା ରହିଛି। ଏହାକୁ ଦୃଷ୍ଟିରେ ରଖି ବିଭିନ୍ନ ଜିଲ୍ଲା ପାଇଁ ୟେଲୋ ଆଲର୍ଟ ଜାରି କରାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.