ନବ ଦାସଙ୍କୁ ଗୁଳିମାଡ଼ ସ୍ଥାନକୁ ଯିବେ ଜଷ୍ଟିସ ଜେ. ପି. ଦାସ

କେନ୍ୟୁଜ୍(ବ୍ୟୁରୋ): କ୍ରାଇମ୍‌ ସ୍ପଟ୍‌କୁ ଯିବେ ଜଷ୍ଟିସ ଜେ. ପି. ଦାସ । ବ୍ରଜରାଜନଗରରେ ନବ ଦାସଙ୍କୁ ଯେଉଁଠି ଗୁଳିମାଡ଼ ହୋଇଥିଲା ସେହି ସ୍ଥାନକୁ ଯିବେ । ମନ୍ତ୍ରୀଙ୍କୁ ହତ୍ୟା ମାମଲାରେ କ୍ରାଇମବ୍ରାଞ୍ଚ ତଦନ୍ତର ତଦାରଖ କରୁଛନ୍ତି ଜଷ୍ଟିସ ଜେ. ପି. ଦାସ । ଆଜି ତାଙ୍କୁ ଭେଟିଥିଲେ କ୍ରାଇମବ୍ରାଞ୍ଚ ଏଡିଜି ଅରୁଣ ବୋଥ୍ରା । କଟକ ସ୍ଥିତ ବାସଭବନରେ ସାକ୍ଷାତ କରିଥିଲେ । ତଦନ୍ତ ଅଗ୍ରଗତି ସମ୍ପର୍କରେ ଅବଗତ କରାଇଛନ୍ତି ଅରୁଣ ବୋଥ୍ରା । ଜଷ୍ଟିସ ଜେ. ପି. ଦାସଙ୍କୁ କ୍ରାଇମବ୍ରାଞ୍ଚ ଏଡିଜି ଜଣାଇଛନ୍ତି, ଅଭିଯୁକ୍ତ ଗୋପାଳ କୃଷ୍ଣ ଦାସ ଦୋଷ ସ୍ୱୀକାର କରିଛି । ତାଠାରୁ ମିଳିଥିବା ପିସ୍ତଲ, ଗୁଳିକୁ ଫୋରେନସିକ୍‌ ଓ ବାଲିଷ୍ଟିକ ଯାଞ୍ଚ ପାଇଁ ପଠାଯାଇଛି ଫୋରେନସିକ୍‌ ଲାବ୍‌ ।

ମୋବାଇଲ୍‌ ଫୋନ୍‌ର ଯାଞ୍ଚ ପାଇଁ SFSLକୁ ପଠାଯାଇଛି । ଗୋପାଳର ପରିବାର ସଦସ୍ୟ, ସମ୍ପର୍କୀୟ ଓ କିଛି ବନ୍ଧୁଙ୍କୁ ଜେରା ସହ ବୟାନ ରେକର୍ଡ କରିଛି କ୍ରାଇମବ୍ରାଞ୍ଚ । ଅଭିଯୁକ୍ତ ମାନସିକ ରୋଗରେ ପୀଡ଼ିତ ଥିବା ପରିବାର ଲୋକ କହିଥିବା ବେଳେ ଏ ଦିଗରେ ମଧ୍ୟ ତଦନ୍ତ ଚାଲିଛି । ତାପାଖକୁ ଯେଉଁ ବସରେ ଔଷଧ ପଠାଯାଉଥିଲା ତାର ଡ୍ରାଇଭର ଓ କର୍ମଚାରୀ, ଚିକିତ୍ସା କରୁଥିବା ଡାକ୍ତରଙ୍କୁ ହୋଇଛି ପଚରାଉଚରା । ହତ୍ୟାର ଉଦ୍ଦେଶ୍ୟ ଜାଣିବାକୁ ବିଭିନ୍ନ ଦିଗରେ ଖୋଳତାଡ ଚାଲିଛି । ପାଇଖାନା ଟାଙ୍କିରୁ ମିଳିଥିବା କାଗଜ ଟୁକୁଡ଼ାର ଯାଞ୍ଚ ପାଇଁ ଫୋରେନସିକ୍‌ ଓ ହ୍ୟାଣ୍ଡ ରାଇଟିଂ ଏକ୍ସପର୍ଟଙ୍କ ପାଖକୁ ପଠାଯାଇଥିବା ଜଷ୍ଟିସ ଜେ. ପି. ଦାସଙ୍କୁ ଅବଗତ କରାଇଥିଲେ ଅରୁଣ ବୋଥ୍ରା । ଜଷ୍ଟିସ୍‌ ଜେପି ଦାସ ପ୍ରତିକ୍ରିୟା ରଖିଛନ୍ତି, ସେ ଘଟଣାସ୍ଥଳକୁ ଯିବେ । ତଦନ୍ତକୁ ନେଇ କେତେକ ପରାମର୍ଶ ଦେଇଛି । ତଦନ୍ତ ଜାରି ରହିଛି ଓ ନିର୍ଯାସରେ ପହଞ୍ଚିବ ବୋଲି ଆଶା କରିଛନ୍ତି ଜଷ୍ଟିସ ଦାସ ।

କ୍ରାଇମ୍‌ ସ୍ପଟରେ ତନାଘନା ତଦନ୍ତ ଚଳାଇଛି କ୍ରାଇମବ୍ରାଞ୍ଚର ୨ଟି ଟିମ୍‌ । ବ୍ରହ୍ମପୁରରେ ଗୋଟିଏ ଟିମ୍‌ ତଥ୍ୟ ପ୍ରମାଣ ଯୋଗାଡୁଛି । ଦିନ ବଢ଼ିବା ସହ ସୁରାକ ମିଳୁଛି । ଏଭିତରେ ଆଜି ପୋଲିସ ଡିଜି ସୁନୀଲ ବଂଶଲଙ୍କୁ ବରିଷ୍ଠ ପୋଲିସ ଅଧିକାରୀ ଭେଟି ଆଲୋଚନା କରିଛନ୍ତି । ଡିଜିପି କ୍ୟାମ୍ପ ଅଫିସରେ ବସିଥିଲା ଗୁରୁତ୍ୱପୂର୍ଣ୍ଣ ବୈଠକ । ପୋଲିସ ଡିଜିଙ୍କୁ ଭେଟି ଆଲୋଚନା କରିଛନ୍ତି ଆଇନ ଶୃଙ୍ଖଳା ଏଡିଜି ଆର୍‌. କେ. ଶର୍ମା, ଗୁଇନ୍ଦା ନିର୍ଦ୍ଦେଶକ ସଞ୍ଜୀବ ପଣ୍ଡା, ଗୁଇନ୍ଦା ଡିଆଇଜି ଅନୁପ ସାହୁ, ଏଡିଜି ହେଡକ୍ୱାର୍ଟର୍ସ ଦେବଦତ୍ତ ସିଂ, ଆଇଜି ପ୍ରୋଭିଜନିଂ ୟତୀନ୍ଦ୍ର କୋଏଲ ।

ଗତ ୨୯ ତାରିଖରେ ନବ ଦାସଙ୍କୁ ଗୁଳିମାଡ଼ ପରେ ଝାରସୁଗୁଡ଼ାରେ କ୍ରାଇମବ୍ରାଞ୍ଚ ଏଡିଜି ଅରୁଣ ବୋଥ୍ରା କ୍ୟାମ୍ପ କରି ତଦନ୍ତର ତଦାରଖ କରୁଛନ୍ତି । ତାଙ୍କ ତତ୍ତ୍ୱାବଧାନରେ ତଦନ୍ତ ଆଗେଇଛି । ଆଜି ସେ ଜଷ୍ଟିସ ଜେ. ପି. ଦାସଙ୍କୁ ଭେଟିଥିବା ବେଳେ ଆସନ୍ତାକାଲି ପୁଣି ଝାରସୁଗୁଡ଼ା ଫେରିବେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.