ଚାଷୀଙ୍କ ପାଇଁ କାଳିଆ ଯୋଜନା ଘୋଷଣା କଲେ ରାଜ୍ୟ ସରକାର, ଉପକୃତ ହେବେ ୩୦ ଲକ୍ଷ କୃଷକ

ଭୁବନେଶ୍ବର : ଚାଷୀଙ୍କ ପାଇଁ ଆଜି ବଡ଼ ଘୋଷଣା କରିଛନ୍ତି ରାଜ୍ୟ ସରକାର । ୧୦ ହଜାର କୋଟି ଟଙ୍କାର ଘୋଷଣା ହୋଇଛି। ଯାହାକୁ ଆଜି କ୍ୟାବିନେଟ୍‌ ମଂଜୁରୀ ମିଳିଥିଲା। କୃଷକ ଆସିଷ୍ଟାନ୍‌ସ ଫର ଲାଇଭଲିହୁଡ୍‌ସ ଆଣ୍ଡ ଇନ୍‌କମ ଅଗମେଣ୍ଟେସନ, କାଳିଆ ସ୍କିମ୍‌ରେ ଦିଆଯିବ ସହାୟତା। ପ୍ରଥମ ସ୍କିମ୍‌ରେ, କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କୁ ବର୍ଷକୁ ମିଳିବ ୧୦ ହଜାର ଟଙ୍କା। ଖରିଫ ଓ ରବି ଚାଷ ପାଇଁ ୫ ହଜାର ଟଙ୍କା ଲେଖାଁଏ ସହାୟତା ମିଳିବ। ବିହନ, ସାର ଓ କୀଟନାଶକ ସହ ଶ୍ରମ ପାଇଁ ଏହି ସହାୟତା ମିଳିବ। ଏଥିରେ ଉପକୃତ ହେବେ ୩୦ ଲକ୍ଷ ଚାଷୀ। ଏଥିରେ ବାର୍ଷିକ ଖର୍ଚ୍ଚ ହେବ ୩ ହଜାର ୧୬ କୋଟି ଟଙ୍କା।

ସେହିପରି ଦ୍ୱିତୀୟ ସ୍କିମ୍‌ରେ, ଭୂମିହୀନ ଚାଷୀଙ୍କୁ ଛେଳି,କୁକୁଡା, ବତକ, ମାଛ, ଛତୁ , ମହୁ ଚାଷ ପାଇଁ ଦିଆଯିବ ଆର୍ଥିକ ସହାୟତା। ପ୍ରତି ଚାଷୀଙ୍କୁ ମିଳିବ ୧୨ ହଜାର ୫ଶହ ଟଙ୍କା। ଏଥିପାଇଁ ସଂପୃକ୍ତ ଚାଷୀଙ୍କୁ ପ୍ରଶିକ୍ଷଣ ମଧ୍ୟ ଦିଆଯିବ। ୧୦ ଲକ୍ଷ ଚାଷୀଙ୍କ ପାଇଁ ୩ ବର୍ଷରେ ଏହି ଯୋଜନାରେ ଖର୍ଚ୍ଚ ହେବ ୧୨୫୦ କୋଟି ଟଙ୍କା। ତୃତୀୟ ସ୍କିମ୍‌ରେ, ପ୍ରଥମ ଦୁଇଟି ସ୍କିମ୍‌ରୁ ବଞ୍ଚିତ ଥିବା ପ୍ରାୟ ୫ ଲକ୍ଷ ଚାଷୀ ଓ ଭୂମିହୀନ ଚାଷୀଙ୍କୁ ବାର୍ଷିକ ୧୦ ହଜାର ଟଙ୍କା ସାହାଯ୍ୟ ଦିଆଯିବ। ଏହି ତିନିଟି ସ୍କିମ୍‌ରୁ ମଧ୍ୟରୁ ଜଣେ ଚାଷୀଙ୍କୁ ଗୋଟିଏ ସ୍କିମ୍‌ରୁ ସୁବିଧା ନେଇ ପାରିବେ। ତୃତୀୟ ସ୍କିମ୍‌ରେ ୧ହଜାର କୋଟି ଟଙ୍କା ଖର୍ଚ୍ଚ ହେବ। ଚତୁର୍ଥ ସ୍କିମରେ ୨ଲକ୍ଷ ଟଙ୍କାର ଜୀବନ ବୀମା ଓ ଅତିରିକ୍ତ ଦୁଇଲକ୍ଷ ଟଙ୍କାର ଦୁର୍ଘଟଣାଜନିତ ବୀମା ଅର୍ଥ ପ୍ରଦାନ କରାଯିବ। ଏହା ଦ୍ୱାରା ୫୭ଲକ୍ଷରୁ ଅଧିକ ଚାଷୀ ଓ ଭୂମିହୀନ କୃଷି ଶ୍ରମିକ ଉପକୃତ ହେବେ। ପଞ୍ଚମ ସ୍କିମରେ ବିନା ସୁଧରେ ୫୦ହଜାରରୁ ଅଧିକ କୃଷି ଋଣ ପ୍ରଦାନ କରାଯିବ।

କାଳିଆ ଯୋଜନାରେ ୨୦୨୦-୨୧ ଯାଏ ଆଗାମୀ ତିନିବର୍ଷ ପାଇଁ ୧୦ହଜାର ୧୮୦ କୋଟି ଟଙ୍କା ଖର୍ଚ୍ଚ କରାଯିବ। ଏହା ପରେ ଯୋଜନାର ସମୀକ୍ଷା କରାଯାଇ ଆବଶ୍ୟକ ସଂଶୋଧନ କରାଯିବ। କାଳିଆ ଯୋଜନା ରାଜ୍ୟ ସରକାରଙ୍କର ଏକ ଐତିହାସିକ ଯୋଜନା। କୃଷି ଋଣ ଛାଡ଼ ହୋଥିଲେ ମାତ୍ର ୮ଲକ୍ଷ ଚାଷୀ ଉପକୃତ ହୋଇଥାନ୍ତେ । କୌଣସି ଭାଗ ଚାଷୀ ଓ ଭୂମିହୀନ କୃଷି ଶ୍ରମିକ ଉପକୃତ ହୋଇନଥାନ୍ତେ। ମାତ୍ର କାଳିଆ ଯୋଜନା ଦ୍ୱାରା ରାଜ୍ୟର ୯୨ ପ୍ରତିଶତ ଚାଷୀ ଓ ଭୂମିହୀନ କୃଷି ଶ୍ରମିକ ଉପକୃତ ହେବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.