ଅଭିନବ ଢଙ୍ଗରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଜନ୍ମଦିନ ପାଳିଲେ କନ୍ଧମାଳ ସାଂସଦ ତଥା କିଟ୍ ଓ କିସ୍ ପ୍ରତିଷ୍ଠାତା ଡ. ଅଚ୍ୟୁତ ସାମନ୍ତ ଓ କିସ୍ ଛାତ୍ର ଛାତ୍ରୀ

ଭୁବନେଶ୍ବର(କେନ୍ୟୁଜ୍): ଅଭିନବ ଢଙ୍ଗରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଜନ୍ମଦିନ ପାଳିଲେ କନ୍ଧମାଳ ସାଂସଦ ତଥା କିଟ୍, କିସ୍ ପ୍ରତିଷ୍ଠାତା ଡ. ଅଚ୍ୟୁତ ସାମନ୍ତ । ଆଜି କିସ୍ ବିଶ୍ୱବିଦ୍ୟାଳୟ ହୋଇଯାଇଥିଲା ନବୀନମୟ । ନବୀନ, ନବୀନ, ନବୀନ । ଚାରିଆଡ଼େ ହଜାର ହଜାର ନବୀନ ପଟ୍ଟନାୟକ । ଆଜି ୭୪ ବର୍ଷରେ ପାଦ ଦେଇଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହି ଅବସରରେ ଏକ ନିଆରା ଢଙ୍ଗରେ ତାଙ୍କର ଜନ୍ମଦିନକୁ ପାଳନ କରିଛନ୍ତି କିସ୍ର ୨୭ ହଜାର ଛାତ୍ର ଛାତ୍ରୀ । ତାଙ୍କରି ଭଳି ସରଳ ଓ କାର୍ଯ୍ୟଦକ୍ଷ ହେବା ପାଇଁ ପିଲାମାନଙ୍କୁ ପରାମର୍ଶ ଦେଇଛନ୍ତି ଡ. ସାମନ୍ତ । କେବଳ ରାଜ୍ୟର ନୁହେଁ, ସାରା ଦେଶର ସବୁଠାରୁ ଲୋକପ୍ରିୟ ମୁଖ୍ୟମନ୍ତ୍ରୀ । ତାଙ୍କୁ ଆଜି ଏଭଳି ଭାବେ ଶୁଭେଚ୍ଛା ଓ ଶୁଭକାମନା ଜଣାଇଛନ୍ତି କିସ୍ ଛାତ୍ର ଛାତ୍ରୀମାନେ ।ଏକାଠି ହୋଇ ତାଙ୍କର ମୁଖା ପିନ୍ଧି ନବୀନଙ୍କ ଦୀର୍ଘାୟୁ କାମନା କରିଛନ୍ତି ।
ଗୀତ ଗାଇ, ନାଚି ପାଳିଛନ୍ତି ତାଙ୍କର ଜନ୍ମତିଥି । ନିଜର କାର୍ଯ୍ୟଦକ୍ଷତା ଏବଂ ସଫଳ ଯୋଜନା ପାଇଁ ବେଶ୍ ଲୋକପ୍ରିୟତା ହାସଲ କରିଛନ୍ତି ନବୀନ । ତାଙ୍କରି ନେତୃତ୍ୱରେ ଓଡ଼ିଶା ଆଜି ସାରା ବିଶ୍ୱରେ ଏକ ମର୍ଯ୍ୟାଦା ସମ୍ପନ୍ନ ରାଜ୍ୟର ମାନ୍ୟତା ପାଇଛି । ଖାଲି କାର୍ଯ୍ୟଦକ୍ଷତା ନୁହେଁ ତାଙ୍କର ସରଳତା ଓ ନମ୍ର, ଅମାୟିକ ବ୍ୟବହାର ଏବଂ ତାଙ୍କରି ଶିଶୁ ସୁଲଭ ହସ ତାଙ୍କୁ ସବୁ ଜନନେତାଙ୍କ ଠାରୁ ଅଲଗା କରି ତୋଳିଛି । କିସ୍ର ୨୭ ହଜାର ପିଲା ଆଜି ବେଶ୍ ଖୁସିରେ ପାଳିଛନ୍ତି ନବୀନଙ୍କ ଜନ୍ମଦିନ । ହୃଦୟର ସହ ବଧେଇ ଜଣାଇଛନ୍ତି ନବୀନଙ୍କୁ ।