ସାଧାରଣ ରିକ୍ସା ବାଲାରୁ କେମିତି ବନିଗଲା ଗ୍ୟାଙ୍ଗଷ୍ଟର ହାଇଦର, ଜାଣନ୍ତୁ ହାଇଦରର କେମିତି ମଜବୁତ ହୋଇଥିଲା କ୍ରାଇମ ସିଣ୍ଡିକେଟ୍

କେନ୍ୟୁଜ୍(ବ୍ୟୁରୋ): ରିକ୍ସାବାଲାରୁ ଗ୍ୟାଙ୍ଗଷ୍ଟର । କେନ୍ଦ୍ରାପଡ଼ା ସହରର ରଣାପଡ଼ାରେ ଜନ୍ମଗ୍ରହଣ କରିଥିଲା ହାଇଦର । ବାପା ଶେକ୍‌ ଐଉତ ଖାଁ । ୫ ଭାଇ ଭଉଣୀରେ ସେ ଘରର ବଡ଼ ପୁଅ । ବାପା ମୂଲ ଲାଗି ପରିବାର ଚଳାନ୍ତି । ବାପାଙ୍କୁ ସହାୟତା କରିବା ପାଇଁ ହାଇଦର ମୂଲିଆ କାମ କରିବା ସହ ରିକ୍ସା ବି ଚଳାଉ ଥିଲା । ୧୯୯୧ ମସିହାରେ ହାଇଦର ସ୍ୱାଧୀନତା ସଂଗ୍ରାମୀ ଦୁର୍ଯ୍ୟୋଧନ ପଣ୍ଡାଙ୍କୁ ବାଉଁଶ ଠେଙ୍ଗାରେ ଆକ୍ରମଣ କରିବାରୁ ତାଙ୍କର ମୃତ୍ୟୁ ହୋଇଥିଲା । ତାପରେ ଛୋଟ ବଡ ଅପରାଧରେ ସାମିଲ ହୋଇଥିଲା ହାଇଦର । କେନ୍ଦ୍ରାପଡାରେ ହାଇଦର, ସୁଲେମାନ୍‌ ଓ ଟିଟୋ ମିଶି ଗ୍ୟାଙ୍ଗ ଗଢ଼ିଥିଲେ । ସେମାନେ ବିଭିନ୍ନ ହତ୍ୟା, ଦାଦାବଟି ଆଦାୟ, ଟେଣ୍ଡର ଫିକ୍ସି ଆଦି କାମରେ ସାମିଲ ହୋଇଥିଲେ ।

ପାରାଦୀପର ଜଣେ ଠିକାଦାରଠାରୁ ଆଣିଥିବା ୮୦ ଲକ୍ଷ ଟଙ୍କା ବଟି ଭାଗବଣ୍ଟାକୁ ନେଇ ଝଗଡା ପରେ ଅଲଗା ଗ୍ୟାଙ୍ଗ ଗଢ଼ିଥିଲେ ସୁଲେମାନ ଓ ହାଇଦର । ୨୦୦୫, ମେ ୩୧ ତାରିଖରେ ଭୁବନେଶ୍ୱର ଷ୍ଟୁଆର୍ଟ ସ୍କୁଲ ଆଗରେ ସୁଲେମାନର ଭାଇ ଚୁନାକୁ ହତ୍ୟା କରିଥିଲା ହାଇଦର । ଏଥିରେ ସମ୍ପୃକ୍ତ ସୁଦାମ ଶତପଥୀ, ଟୁକୁ, ରୁମାନ୍‌, ବବୁଲ ଓ ଲାଲା କଟକ ଆଡ଼କୁ ଏକ ବୋଲେରୋ ଗାଡ଼ିରେ ପଳାଇ ଆସିଥିଲେ। କଟକରୁ କେନ୍ଦ୍ରାପଡ଼ା ଓ କେନ୍ଦ୍ରାପଡ଼ାରୁ ବସ୍‌ ଯୋଗେ ସମ୍ବଲପୁର ଆଡ଼କୁ ଚମ୍ପଟ୍‌ ମାରିଥିଲେ। ସମ୍ବଲପୁରରୁ ଛତିଶଗଡ଼ର ଭିଲ୍ଲାଇ ସହର ଆଡ଼କୁ ଯାଇଥିଲେ। ଭିଲ୍ଲାଇରେ ପୂର୍ବରୁ ହାଇଦର ଓ ତା ସହଯୋଗୀ ମୀର୍ ଓ ଲାଲା ଅପେକ୍ଷା କରିଥିଲେ। ସମସ୍ତେ ଏକାଠି ହୋଇ ମହାରାଷ୍ଟ୍ରର ନାଗପୁର ଆଡ଼କୁ ପଳାଇଥିଲେ।

ସେକ ଚୁନା ହତ୍ୟା ଘଟଣାରେ ୨୦୧୫, ଅକ୍ଟୋବର ୧୬ରେ ହାଇଦରକୁ ଆଜୀବନ ଜେଲ ଦଣ୍ଡାଦେଶ ହୋଇଥିଲା । ପରବର୍ତ୍ତୀ ସମୟରେ ଖଣି ବ୍ୟବସାୟୀ ରଶ୍ମୀରଞ୍ଜନଙ୍କୁ ହତ୍ୟା ମାମଲାରେ ତାକୁ ମିଳିଥିଲା ଆଜୀବନ ଜେଲ ଦଣ୍ଡାଦେଶ । କେନ୍ଦୁଝରର ଖଣି ଓ କ୍ରସର‌୍‌ ବ୍ୟବସାୟୀ ଥିଲେ ରଶ୍ମି ରଞ୍ଜନ ମହାପାତ୍ର। ତାଙ୍କୁ ଭୁବନେଶ୍ବର ସହିଦ ନଗର ଅଞ୍ଚଳରୁ ୨୦୦୭ ମେ ୨୭ ତାରିଖରେ ଅପହରଣ କରାଯାଇଥିଲା। ରଶ୍ମି ମାର୍ବଲ ସ୍ଲାବ୍‌ କିଣିବାକୁ ଆସିଥିବା ବେଳେ ତାଙ୍କୁ ଓ ତାଙ୍କ ଡ୍ରାଇଭରଙ୍କୁ ଅପହରଣ କରାଯାଇଥିଲା। ତାଙ୍କୁ ମୁଣ୍ତ ଜାମିନ ରଖି ପରିବାର ଲୋକଙ୍କୁ ୨ କୋଟି ଟଙ୍କା ମଗା ଯାଇଥିଲା। ୧ କୋଟି ୧୨ ଲକ୍ଷ ଟଙ୍କା ପରିବାର ଲୋକେ ଦେଇଥିଲେ। ତଥାପି ତାଙ୍କୁ ହତ୍ୟା କରାଯାଇଥିଲା। ରଶ୍ମିଙ୍କୁ ହତ୍ୟା କରିବା ପରେ ଶବ ଯେଭଳି ଚିହ୍ନଟ ନହୁଏ ସେଥିପାଇଁ ତାଙ୍କ ଶବକୁ ପେଟ୍ରୋଲ ଢାଳି ଜାଳି ଦିଆଯାଇଥିଲା। କମିସନେରଟ୍‌ ପୁଲିସ ଜାମସେଦପୁରର ଏକ ନିକାଞ୍ଚନ ସ୍ଥାନରୁ ରଶ୍ମି ଓ ତାଙ୍କ ଡ୍ରାଇଭରଙ୍କ ଶବ ଉଦ୍ଧାର କରିବା ସହିତ ଗାଡ଼ି ଜବତ ହୋଇଥିଲା।

କୁହାଯାଏ, ରଶ୍ମିଙ୍କ ଶବକୁ ହାଇଦର‌୍‌ର ସହଯୋଗୀ ଏଭଳି ଜାଳି ଦେଇଥିଲେ ଯେ ଶବ ଚିହ୍ନଟରେ ବି ପୁଲିସକୁ ସମସ୍ୟା ହୋଇଥିଲା। ହାଇଦ୍ରାବାଦ୍‌ ସ୍ଥିତ ଏକ ଲାବ୍ରୋଟାରିକୁ ଶବର ଡିଏନ୍‌ଏ ପରୀକ୍ଷା ପାଇଁ ପଠାଯାଇଥିଲା। ଭୁବନେଶ୍ବର କମିସନରେଟ୍‌ ପୁଲିସ ହାଇଦର‌୍‌ ସମେତ ୧୪ ଜଣଙ୍କ ବିରୋଧରେ ମାମଲା ରୁଜୁ କରିଥିଲା। ରଶ୍ମି ରଞ୍ଜନଙ୍କୁ ହତ୍ୟା ସମୟରେ ଝାରପଡ଼ା ଜେଲ୍‌ରେ ଥାଇ ହାଇଦର‌୍‌ ପୁରା ହତ୍ୟାକାଣ୍ତ ଯୋଜନାର ମାଷ୍ଟରପ୍ଲାନ୍‌ ପ୍ରସ୍ତୁତ କରିଥିଲା।

୩୦ ବର୍ଷ ଧରି ଓଡ଼ିଶାର ଅପରାଧିକ ଦୁନିଆ ସହ ଜଡ଼ିତ ଥିଲା ହାଇଦର । ବିଭିନ୍ନ ଜିଲ୍ଲାରେ ତା ନାଁରେ ରହିଛି ୪୦ରୁ ଅଧିକ ମାମଲା । ହାଇଦରର ତିନି ପୁଅଙ୍କୁ ଭିତରୁ ବଡ଼ପୁଅ ସେକ୍‌ ମୁନା ୧୨ ବର୍ଷ ହେବ ଜେଲରେ ଅଛି । ମଝିଆ ପୁଅ ସେକ୍‌ ଚୁନେଇ ଓ ସାନ ପୁଅ ସେକ ଅଜୁ ପୋଲିସ୍ ପାଇଁ ଏବେ ଫେରାର ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.