ଶ୍ରୀଲିଙ୍ଗରାଜଙ୍କ ରଥଯାତ୍ରା ପାଇଁ କଟକଣା ଲାଗୁ: ଆସନ୍ତା ୯ ଓ ୧୩ରେ ମାଉସୀ ମା’ ଛକ-ରଥ ରୋଡ୍‌ରେ ଗଡ଼ିବନି ଗାଡ଼ି

ଭୁବନେଶ୍ବର(କେନ୍ୟୁଜ୍):  କମିସନରେଟ୍‌ ପୋଲିସ ପକ୍ଷରୁ ଆସନ୍ତା ୯ ଓ ୧୩ ତାରିଖ ଦିନ ମାଉସୀ ମା’ ଛକଠାରୁ ରଥ ରୋଡ୍‌ ପର୍ଯ୍ୟନ୍ତ କଟକଣା ଲାଗୁ । ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ରଥଯାତ୍ରାକୁ ନଜରରେ ରଖି କିଭଳି ସୁଚାରୁରୂପେ ପରିଚାଳନା କରିହେବ ସେନେଇ ଏଭଳି ପଦକ୍ଷପ ଗ୍ରହଣ କରାଯାଇଛି। ରଥଖଳାଠାରୁ ରଥ ରୋଡ୍‌ରେ ମଧ୍ୟ କୌଣସି ଗାଡ଼ି ଯିବ ନାହିଁ। ଏହି ରାସ୍ତା ପରିବର୍ତ୍ତେ ମହାଦେବ ମନ୍ଦିର ପଟୁ ବିଏମ୍‌ସି ମାର୍କେଟ୍ କମ୍ପ୍ଲେକ୍ସ ନଚେତ୍ ବିନ୍ଦୁସାଗର ରାସ୍ତା ଦେଇ ଯାନବାହନ ଚଳାଚଳ କରିବ।

ଏପଟେ ଏହି ୨ ଦିନ ସବୁ ଗାଡ଼ି ମାଉସୀ ମା’ ଛକଠାରୁ ମ୍ୟୁଜିୟମ୍ ଛକ ଆଡ଼କୁ କିମ୍ବା ବିବେକାନନ୍ଦ ରାସ୍ତାରେ ଯାତାୟାତ କରିବ। ରଥରୋଡ୍‌ରେ ଥିବା ବାରିକ ସାହି, ମହାରଣା ସାହି, ଗୋସାଗରେଶ୍ବର ଛକ, ଶୀତଳଷଷ୍ଠୀ ଛକ, ତିନିମୁଣ୍ଡିଆ ଛକ, ହରଚଣ୍ଡୀ ଗଳି, ମୁନା ମେଡିକାଲ ଗଳି, ପୁନାମା ଗେଟ୍ ଗଳି ସମେତ ରଥ ରୋଡ୍‌କୁ ସଂଯୋଗ କରୁଥିବା ସମସ୍ତ ରାସ୍ତାରେ ଗାଡ଼ି ଚଳାଚଳ ଉପରେ କଟକଣା ଲାଗିଛି।

ମିଳିଥିବା ସୂଚନା ମୁତାବକ,  ରୁକୁଣା ରଥ ନିମନ୍ତେ ସୁରକ୍ଷାକୁ ଦୃଷ୍ଟିରେ ରଖି  ଭୁବନେଶ୍ବର ଡିସିପିଙ୍କ ତତ୍ତ୍ବାବଧାନରେ ୩ଜଣ ଅତିରିକ୍ତ ଡିସିପି, ୭ଜଣ ଏସିପି, ୧୪ଜଣ ଇନ୍ସପେକ୍ଟର, ୬୦ ଜଣ ଏସ୍‌ଆଇ ଓ ଏଏସ୍‌ଆଇ, ୨୫ଜଣ ହୋମଗାର୍ଡ ଓ ୧୬ପ୍ଲାଟୁନ୍‌ ଫୋର୍ସ ମୁତୟନ ରହିବେ। ସେହିଭଳି ଟ୍ରାଫିକ୍‌ ବ୍ୟବସ୍ଥା ପାଇଁ ୧ ପ୍ଲାଟୁନ୍ କନେଷ୍ଟବଳ, ୫୦ଜଣ ହୋମ୍‌ଗାର୍ଡ, ୯ଜଣ ଏସ୍‌ଆଇ ଓ ଏଏସ୍‌ଆଇ ଏବଂ ୧୧ଜଣ ହାବିଲଦାର ରହିବେ। ନିୟମ ଉଲ୍ଲଂଘନ କଲେ ୫ଶହରୁ ଆରମ୍ଭ କରି ୧ହଜାର ଟଙ୍କା ପର୍ଯ୍ୟନ୍ତ ଜରିମାନା ଆଦାୟ କରାଯିବ ବୋଲି ନିୟମ ଲାଗୁ କରାଯାଇଛି।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.