ନିମ୍ନମାନର କଂକ୍ରିଟ ରାସ୍ତା : ସିମେଣ୍ଟ କମ୍ କୁ ବାଲି ଅଧିକ, ଅଧାରୁ କାମ ବନ୍ଦ କଲେ ଗ୍ରାମବାସୀ !

ରାଜ୍ୟ ସରକାର ଗ୍ରାମାଞ୍ଚଳର ରାସ୍ତାର ଉନ୍ନତିକରଣ ନିମନ୍ତେ କୋଟି କୋଟି ଟଙ୍କା ବ୍ୟୟ ବରାଦ କରି କଂକ୍ରିଟ୍ ରାସ୍ତା ନିର୍ମାଣ କରୁଛନ୍ତି । ହେଲେ ସଠିକ୍ କାମ ବଦଳରେ ନିମ୍ନମାନର କାର୍ଯ୍ୟ କରାଯାଉଛି । ବିଭାଗୀୟ ଅଧିକାରୀ ଓ ଠିକାଦାରଙ୍କ ମନମୁଖୀ କାର୍ଯ୍ୟକଳାପକୁ ବିରୋଧ କରି କାମ ବନ୍ଦ କରିଛନ୍ତି ଗ୍ରାମବାସୀ ।

ଯାଜପୁର(କେନ୍ୟୁଜ): ରାସ୍ତା ନିର୍ମାଣ ସମୟରେ ନିମ୍ନମାନର କାମ । ପ୍ରତିବାଦ ସ୍ୱରୂପ ନିର୍ମାଣ କାର୍ଯ୍ୟକୁ ବନ୍ଦ କଲେ ଗ୍ରାମବାସୀ । ପୂର୍ତ୍ତ ବିଭାଗ ଅଧିନରେ ଥିବା ଯାଜପୁର ଜିଲ୍ଲା ଧର୍ମଶାଳାର କାଏମା ନରସିଂହପୁର ନିରଘାଟ ଠାରୁ ବ୍ରହ୍ମବରଦା ବ୍ୟାଙ୍କ ଛକ ପର୍ଯ୍ୟନ୍ତ ରାସ୍ତାର ପ୍ରଶସ୍ତିକରଣ ଓ ଉନ୍ନତିକରଣ ପାଇଁ ସରକାରଙ୍କ ପକ୍ଷରୁ ୧୨କୋଟି ୩୪ ଲକ୍ଷ ଟଙ୍କା ବ୍ୟୟବରାଦ କରାଯାଇଛି । ତେବେ ଏହି କାର୍ଯ୍ୟ ଅତି ନିମ୍ନମାନର ହେଉଛି । ସିମେଣ୍ଟ ଅଧିକ ଭାଗ ବଦଳରେ ବାଲି ଅଧିକ ଦେଇ କଂକ୍ରିଟ ରାସ୍ତା ନିର୍ମାଣ କରାଯାଉଛି। ଯାହାର ସ୍ଥାୟୀତ୍ୱକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଥିବା ବେଳେ ଏହି କାର୍ଯ୍ୟକୁ ବିରୋଧ କରିଛନ୍ତି ଗ୍ରାମବାସୀ ।

ଅନ୍ୟ ପକ୍ଷେ ରାସ୍ତା ନିର୍ମାଣ କାର୍ଯ୍ୟରେ ବିଭାଗୀୟ ଅଧିକାରୀ ଉପସ୍ଥିତ ରହିବା ନିୟମ ରହିଥିବା ବେଳେ ଏହି କାର୍ଯ୍ୟରେ କେହି ଅଧିକାରୀ ଉପସ୍ଥିତ ରହୁ ନଥିବାରୁ ଠିକାଦର ନିଜ ମନମୁତାବକ କାର୍ଯ୍ୟ କରୁଥିବା ନେଇ ଗ୍ରାମବାସୀ ଅଭିଯୋଗ କରିଛନ୍ତି । ୧୫ ଦିନ ହେବ ଏହି କାର୍ଯ୍ୟ ଚାଲୁ ରହିଥିବାବେଳେ ସମୃକ୍ତ ଠିକାଦାର ଗ୍ରାମବାସୀଙ୍କ କଥାକୁଜମାରୁ ଗୁରୁତ୍ୱ ଦେଉନାହିଁ।

ଯାହାଫଳରେ ଗ୍ରାମବାସୀ ବିଭାଗୀୟ ଅଧିକାରୀଙ୍କ ନିକଟରେ ଅଭିଯୋଗ କରିଥିଲେ ମଧ୍ୟ କିଛି ସୁଫଳ ନ ମିଳିବାରୁ ସ୍ଥାନୀୟ ମଙ୍ଗଳପୁର ପଂଚାୟତର ନୂଆକୂଳ ଓ କୋଠିଡିହ ଗ୍ରାମବାସୀ ଏହାକୁ ଦୃଢ ବିରୋଧ କରି କାର୍ଯ୍ୟକୁ ବନ୍ଦ କରି ଦେଇଛନ୍ତି । ବିଭାଗୀୟ ଅଧିକାରୀ କାର୍ଯ୍ୟସ୍ଥଳରେ ଉପସ୍ଥିତ ନରହିଲେ ଏହି କାମକୁ ସମ୍ପୂର୍ଣ୍ଣଭାବେ ବନ୍ଦ କରିବାକୁ ଗ୍ରାମବାସୀଙ୍କ ପକ୍ଷରୁ ଚେତାବନୀ ଦିଆଯାଇଛି । ତେବେ କାମ ବନ୍ଦ ସମ୍ପର୍କରେ ଅବଗତ ଥିବାବେଳେ ଏହାର ତଦନ୍ତ କରାଯାଇ ପଦକ୍ଷେପ ନିଆଯିବ ବୋଲି ବିଭାଗୀୟ ଏସ୍ଡ଼ିଓ ମହେଶ୍ୱର ସାହୁ କହିଛନ୍ତି ।

ରାଜ୍ୟ ସରକାର ଗ୍ରାମାଞ୍ଚଳର ରାସ୍ତାର ଉନ୍ନତିକରଣ ନିମନ୍ତେ କୋଟି କୋଟି ଟଙ୍କା ବ୍ୟୟ ବରାଦ କରି କଂକ୍ରିଟ୍ ରାସ୍ତା ନିର୍ମାଣ କରୁଛନ୍ତି । ହେଲେ ସଠିକ୍ କାମ ବଦଳରେ ନିମ୍ନମାନର କାର୍ଯ୍ୟ କରାଯାଉଛି । ବିଭାଗୀୟ ଅଧିକାରୀ ଓ ଠିକାଦାରଙ୍କ ମନମୁଖୀ କାର୍ଯ୍ୟକଳାପକୁ ବିରୋଧ କରି କାମ ବନ୍ଦ କରିଛନ୍ତି ଗ୍ରାମବାସୀ । ଏ ଦିଗରେ ତୁରନ୍ତ ତଦନ୍ତ କରାଯାଇ ପଦକ୍ଷେପ ନିଆଯିବା ନିହାତୀ ଜରୁରୀ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.