୮ ତାରିଖ ସକାଳ ସୁଦ୍ଧା ଏକ ଅବପାତରେ ପରିଣତ ହେବ ଲଘୁଚାପ: ଆଣ୍ଡାମାନ ସାଗର ଓ କେନ୍ଦ୍ରୀୟ ବଙ୍ଗୋପସାଗର ଅଶାନ୍ତ ରହିବ

କେନ୍ୟୁଜ୍(ବ୍ୟୁରୋ):  ଦକ୍ଷିଣ ଆଣ୍ଡାମାନ ସାଗର ଏବଂ ତା’ର ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ଘୂର୍ଣ୍ଣିବଳୟ ସୃଷ୍ଟି । ସକାଳ ୫ଟା ୩୦ରେ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି । ପ୍ରଭାବରେ ଆସନ୍ତା ୬ ତାରିଖ ସୁଦ୍ଧା ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବ । ଲଘୁଚାପ କ୍ଷେତ୍ର କ୍ରମଶଃ ଉତ୍ତର-ପଶ୍ଚିମ ଦିଗରେ ଗତି କରିବ । ଅଧିକ ଘନୀଭୂତ ହୋଇ ୮ ତାରିଖ ସକାଳ ସୁଦ୍ଧା ଏକ ଅବପାତରେ ପରିଣତ ହେବାର ସମ୍ଭାବନା ରହିଛି । ଫଳରେ ଆଣ୍ଡାମାନ ସାଗର ଓ କେନ୍ଦ୍ରୀୟ ବଙ୍ଗୋପସାଗର ଅଶାନ୍ତ ରହିବ । ଏନେଇ ସୂଚନା ଦେଇଛନ୍ତି IMD ଡିଜି ମୃତ୍ୟୁଞ୍ଜୟ ମହାପାତ୍ର । ଆଜି ଆଣ୍ଡାମାନ ସାଗର ଓ ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ପବନର ବେଗ ଘଣ୍ଟା ପ୍ରତି ୪୦ରୁ ୫୦ କିମି ରହିବ ।

ଆସନ୍ତାକାଲିଠୁ ୮ ତାରିଖ ଯାଏ ପବନର ବେଗ ଘଣ୍ଟା ପ୍ରତି ୫୫ରୁ ୬୫ କିମି ରହିବ । ଲଘୁଚାପ କ୍ଷେତ୍ରରେ ପରିଣତ ହେବା ପରେ ସଠିକ୍‌ ଆକଳନ କରାଯିବ ବୋଲି ଆଇଏମଡି କହିଛି । ସେପଟେ ସମ୍ଭାବ୍ୟ ବାତ୍ୟାର ତୀବ୍ରତା ଓ ଗତିପଥ ନେଇ ଭିନ୍ନ ଭିନ୍ନ ଆକଳନ ଜାରି ରହିଛି । ପାଣିପାଗ ସଂସ୍ଥା ୱିଣ୍ଡିର ୟୁରୋପୀୟ ଓ ଆମେରିକୀୟ ମଡେଲ ଭିନ୍ନ ଭିନ୍ନ ତଥ୍ୟ ଦେଉଛନ୍ତି। ଉଭୟ ମଡେଲରେ ସମ୍ଭାବ୍ୟ ବାତ୍ୟା ଆକଳନ କରାଯାଇଛି । କିନ୍ତୁ ଗତିପଥ ଓ ତୀବ୍ରତା ଅଲଗା ଅଲଗା ରହିଛି । ୟୁରୋପୀୟ ମଡେଲ ECMWFର ଆକଳନ ଅନୁସାରେ ସମ୍ଭାବ୍ୟ ବାତ୍ୟାର ଗତିପଥ ଓଡ଼ିଶା ଅତିକ୍ରମ ଉପକୂଳକୁ ଦେଖାଯାଉଛି । ବାତ୍ୟାର ତୀବ୍ରତା ଓଡ଼ିଶାରେ ଅଧିକ ନ ରହିପାରେ ବୋଲି ଅନୁମାନ କରାଯାଉଛି । କିନ୍ତୁ ଆମେରିକୀୟ ମଡେଲ୍‌ GFSରେ ତୀବ୍ରତା ବେଶୀ ରହିଛି । ସେହିପରି ସମ୍ଭାବ୍ୟ ବାତ୍ୟା ବାଂଲାଦେଶ ମୁହାଁଇବ ବୋଲି କୁହାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.