ଢେଙ୍କାନାଳର ପ୍ରସିଦ୍ଧ ଶୈବପୀଠ କପିଳାସରେ ମହାଶିବରାତ୍ରୀ: ଜମିବ ଲକ୍ଷ, ଲକ୍ଷ ସଂଖ୍ୟାରେ ଶ୍ରଦ୍ଧାଳୁଙ୍କ ସମାଗମ

କପିଳାସ ଅଭିମୁଖେ ଭକ୍ତଙ୍କ ସୁଅ ଛୁଟିଲାଣି । ବୟସ୍କ ଓ ଭିନ୍ନକ୍ଷମ ଶ୍ରଦ୍ଧାଳୁଙ୍କ ସୁବିଧା ପାଇଁ ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ଗାଡି ଓ ହୁଇଲ ଚେୟାର ବ୍ୟବସ୍ଥା କରାଯାଇଛି । ଶ୍ରଦ୍ଧାଳୁ ମାନଙ୍କର ଶୃଙ୍ଖଳିତ ଦର୍ଶନ ପାଇଁ ବ୍ୟାରେକେଟ୍ ବ୍ୟବସ୍ଥା କରାଯାଇଛି ।

ଢେଙ୍କାନାଳ (କେନ୍ୟୁଜ): ରାଜ୍ୟ ତଥା ଢେଙ୍କାନାଳ ଜିଲ୍ଲାର ପ୍ରସିଦ୍ଧ ଶୈବପୀଠ କପିଳାସ ପୀଠରେ ମହାଶିବରାତ୍ରୀ ପାଳନ । ଏହି ଶିବରାତ୍ରୀ ଉପଲକ୍ଷେ ଏଠାରେ ଜାଗର ଯାତ୍ରା ଅନୁଷ୍ଠିତ ହେଉଛି । ଏଥିପାଇଁ ନିତିକାନ୍ତି ଅନୁଯାୟୀ ପୂଜାର୍ଚ୍ଚନା ପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି । କପିଳାସ ପୀଠର ମହାପ୍ରଭୁ ଶ୍ରୀଶ୍ରୀ ଚନ୍ଦ୍ରଶେଖର ଜୀଉଙ୍କର ମହାଶିବରାତ୍ରୀ ଏବଂ ଜାଗର ଯାତ୍ରା ଉପଲକ୍ଷେ ଷୋଡଶ ଉପଚାର ପୂଜା ନିମନ୍ତେ ରାଜ ପୁରୋଧାଙ୍କ ନୀତି ନିର୍ଦ୍ଧାରଣ ଅନୁଯାୟୀ ସକାଳ ଧୂପ ମଧ୍ୟାନ ଧୂପ ପରେ ସନ୍ଧ୍ୟା ୭ଟାରୁ ସାଢେ ୮ଟା ମଧ୍ୟରେ ପ୍ରଥମ ଚାରିପୂଜା, ରାତି ସାଢେ ୮ଟାରୁ ରାତି ୧୦ଟା ମଧ୍ୟରେ ପୀଠ ପୁରୋଧାଙ୍କ ଚାରିପୂଜା ଅନୁଷ୍ଠିତ ହେବ ।

ସେହିପରି ରାତି ୧୦ଟାରୁ ରାତି ୧ଟା ମଧ୍ୟରେ ରାଜ ପୁରୋଧାଙ୍କ ଦ୍ୱାରା ଚାରିପୂଜା ସମ୍ପନ୍ନ ହେବ । ଏହାପରେ ପ୍ରଥମ ରାଜଦର୍ଶନ, ରାତି ୧ଟାରୁ ସାଢେ ୨ଟା ମଧ୍ୟରେ ରାଜ ପୁରୋଧାଙ୍କ ଚାରିପୂଜା ଏବଂ ରାତି ୩ଟା ମଧ୍ୟରେ ମହା ରୁଦ୍ରାଭିଷେକ, ରାତି ୩ଟାରୁ ୩ଟା ୫୦ମିନିଟ ମଧ୍ୟରେ ମହାସ୍ନାନ ଓ ସୁନା ଅଳଙ୍କାରରେ ମହାପ୍ରଭୁଙ୍କର ନାଗାଭରଣ ବେଶ ଓ ପଂଚବକ୍ର ପୂଜା ରାଜ ପୁରୋଧାଙ୍କ ଦ୍ୱାରା ସମ୍ପନ ହେବ । ଏହାପରେ ଦ୍ୱିତୀୟ ରାଜଦର୍ଶନ ତଥା ରାଜାଙ୍କର ନାଗାଭରଣ ବେଶ ଦର୍ଶନ, ସେବା ଓ ଆଳତୀ ଅନୁଷ୍ଠିତ ହେବ । ରାତି ୩ଟା ୫୫ମିନିଟରେ ମହାଦୀପ ମନ୍ଦିର ଉପରକୁ ଉଠାଣ କାର୍ଯ୍ୟ ଅନୁଷ୍ଠିତ ହେବ । ଏହାପରେ ରାତି ୪ଟା ୨୫ମିନିଟରେ ହରିହର ଭେଟ ହେବାସହ ପୂଜା କାର୍ଯ୍ୟ ଅନୁଷ୍ଠିତ ହେବ ବୋଲି ଦେବୋତର ବିଭାଗ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି ।

ଚଳିତବର୍ଷ ଲକ୍ଷ, ଲକ୍ଷ ସଂଖ୍ୟାରେ ଶ୍ରଦ୍ଧାଳୁ ମାନଙ୍କ ସମାଗମ ହେବାର ସମ୍ଭାବନା ରହିଛି । କପିଳାସ ଅଭିମୁଖେ ଭକ୍ତଙ୍କ ସୁଅ ଛୁଟିଲାଣି । ସେହିପରି ବୟସ୍କ ଓ ଭିନ୍ନକ୍ଷମ ଶ୍ରଦ୍ଧାଳୁଙ୍କ ସୁବିଧା ପାଇଁ ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ଗାଡି ଓ ହୁଇଲ ଚେୟାର ବ୍ୟବସ୍ଥା କରାଯାଇଛି । ଶ୍ରଦ୍ଧାଳୁ ମାନଙ୍କର ଶୃଙ୍ଖଳିତ ଦର୍ଶନ ପାଇଁ ବ୍ୟାରେକେଟ୍ ବ୍ୟବସ୍ଥା କରାଯାଇଛି । ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ ୧୦ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ହୋଇଛନ୍ତି । ପଲିଥିନ ବ୍ୟବହାରକୁ ନିଷେଧ କରାଯାଇଛି । ଚଳିତବର୍ଷ ଶାନ୍ତିଶୃଙ୍ଖଳା ସହ ଜାଗର ଯାତ୍ରାକୁ ସମାପନ କରିବା ପାଇଁ ଜିଲାପାଳ ମନୋରଞ୍ଜନ ମଲ୍ଲିକ ସମସ୍ତଙ୍କର ସହଯୋଗ କାମନା କରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.