ରାତି ପାହିଲେ ଜାଗର, ନିର୍ଦ୍ଧାରିତ ସମୟରେ ମହାପ୍ରଭୁ ଲିଙ୍ଗରାଜଙ୍କ ଉଠିବ ମହାଦୀପ

ଜାଗର ଯାତ୍ରା ପାଇଁ ଉତ୍ସବମୁଖର ରାଜ୍ୟର ବିଭିନ୍ନ ଶୈବ ପୀଠ। ସୁସଜ୍ଜିତ ଆଲୋକମାଳାରେ ସଜାଯାଇଛି ମହାପ୍ରଭୁ ଶ୍ରୀ ଲିଙ୍ଗରାଜଙ୍କ ଏକାମ୍ର କ୍ଷେତ୍ର। ରାତି ୧୦ଟାରେ ମହାଦୀପ ଦର୍ଶନ ହେବ ବୋଲି ମନ୍ଦିର ପ୍ରଶାସନ ପକ୍ଷରୁ କୁହାଯାଇଛି । ଭୋର ୩ଟା ୩୦ରୁ ସକାଳ ୧୦ଟା ୩୦ ଯାଏଁ ସାହାଣମେଲା ଦର୍ଶନ କରିପାରିବେ ଶ୍ରଦ୍ଧାଳୁ ।

ଭୁବନେଶ୍ୱର (କେନ୍ୟୁଜ): ଜାଗର ଯାତ୍ରା ପାଇଁ ଉତ୍ସବମୁଖର ରାଜ୍ୟର ବିଭିନ୍ନ ଶୈବ ପୀଠ। ସୁସଜ୍ଜିତ ଆଲୋକମାଳାରେ ସଜାଯାଇଛି ମହାପ୍ରଭୁ ଶ୍ରୀ ଲିଙ୍ଗରାଜଙ୍କ ଏକାମ୍ର କ୍ଷେତ୍ର। ସମସ୍ତ ନିର୍ଦ୍ଧାରିତ ନୀତିକାନ୍ତିକୁ ଠିକ୍ ସମୟରେ ସୁଚାରୁ ରୂପେ କିପରି ସମ୍ପାଦନ କରାଯିବ, ସେନେଇ ଗତକାଲି ଏକ ବୈଠକରେ ସେବାୟତ ମାନେ ନିଷ୍ପତ୍ତି ନେଇଛନ୍ତି। ମହାଦୀପ ଉଠିବାରେ କୌଣସି ବିଳମ୍ବ ନହେବ ସେଥିପାଇଁ ସେବାୟତ ମାନଙ୍କ ସହିତ ଆଲୋଚନା ହୋଇଛି । କୌଣସି ବିଶୃଙ୍ଖଳା ପରିସ୍ଥତି ନ ଘଟିବ ସେନେଇ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି। ଅନ୍ୟପକ୍ଷରେ ଏକାମ୍ର ପ୍ରକାଶନି ପକ୍ଷରୁ ଭଜନ ସମାରୋହ କାର୍ଯ୍ୟକ୍ରମ ହେବ। ଅନୁରାଧା ପୋଡ଼ୁଆଲଙ୍କ ସମେତ ବଲିଉଡର ଗାୟକମାନେ ଆସି ଏଠି ଭଜନ ପରିବେଷଣ କରିବେ।

ପ୍ରବଳ ଭକ୍ତଙ୍କ ସମାଗମକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି । ଶୃଙ୍ଖଳିତ ଦର୍ଶନ ପାଇଁ ବ୍ୟାରିକେଡ ବ୍ୟବସ୍ଥା କରାଯାଇଛି । ୨୨ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯିବ । ଏହାସହ ମନ୍ଦିର ବାହାରେ ଗହଳି ସ୍ଥାନରେ ୭୦ରୁ ଅଧିକ ବରିଷ୍ଠ ପୋଲିସ ଅଧିକାରୀ ଜଗିବେ । ଗର୍ଭଗୃହରେ ମହିଳା ପୋଲିସ ସହ ବିଭିନ୍ନ ସମ୍ବେଦନଶୀଳ ସ୍ଥାନରେ ସୁରକ୍ଷାକୁ କଡ଼ା କରାଯିବ । ଲୁଟେରାଙ୍କ ଉପରେ ନଜର ରଖିବାକୁ ସାଦା ପୋଷାକରେ ପୋଲିସ ପଇଁତରା ମାରିବେ । ଫୋକସରେ ରହିବ ଟ୍ରାଫିକ ନିୟନ୍ତ୍ରଣ । ରାତି ୧୦ଟାରେ ମହାଦୀପ ଦର୍ଶନ ହେବ ବୋଲି ମନ୍ଦିର ପ୍ରଶାସନ ପକ୍ଷରୁ କୁହାଯାଇଛି । ଭୋର ୩ଟା ୩୦ରୁ ସକାଳ ୧୦ଟା ୩୦ ଯାଏଁ ସାହାଣମେଲା ଦର୍ଶନ କରିପାରିବେ ଶ୍ରଦ୍ଧାଳୁ ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.