ପ୍ଲଟ ବିକ୍ରି ନାଁରେ ୨କୋଟି ଟଙ୍କାର ଠକେଇ, ଜଣଙ୍କୁ ଗିରଫ କଲା ମଞ୍ଚେଶ୍ୱର ଥାନା ପୋଲିସ

କେନ୍ୟୁଜ୍(ବ୍ୟୁରୋ): ପ୍ଲଟ ବିକ୍ରି ନାଁରେ ୨କୋଟି ଟଙ୍କାର ଠକେଇ। ଦୁଇ କୋଟି ୧୨ଲକ୍ଷ ଟଙ୍କା ଠକେଇ ଅଭିଯୋଗରେ ଜଣଙ୍କୁ ଗିରଫ କଲା ମଞ୍ଚେଶ୍ୱର ଥାନା ପୋଲିସ। ଗିରଫ ଅଭିଯୁକ୍ତ ପଦାରବିନ୍ଦ ମହାପାତ୍ର। ବ୍ୟାଙ୍କର ଅକ୍ସନ ପ୍ଲଟ ବିକ୍ରି କରିବାକୁ କହି ଜଣେ ପୂର୍ବତନ କଲେଜ ଅଧ୍ୟକ୍ଷଙ୍କୁ ଠକି ଫେରାର ହେଇଯାଇଥିଲା ପଦାରବିନ୍ଦ। ୨୦୧୯ ମସିହାରେ ଏକ ଜମିର ନିଲାମ ପାଇଁ ଏକ ଖବର କାଗଜରେ ବିଜ୍ଞାପନ ଦେଖି ବ୍ୟାଙ୍କ ସହ ଯୋଗାଯୋଗ କରିଥିଲେ ଖୋର୍ଦ୍ଧା ପି. ଏନ କଲେଜର ପୂର୍ବତନ ଅଧ୍ୟକ୍ଷ।

ବ୍ୟାଙ୍କ କର୍ତ୍ତୃପକ୍ଷ ଏନେଇ ଜମି ବନ୍ଧକ ରଖି ଟଙ୍କା ନେଇଥିବା ବ୍ୟକ୍ତିଙ୍କ ସହ ଯୋଗାଯୋଗ କରିବା ପାଇଁ କହିଥିଲେ। ଇଡ଼କୋ ପ୍ଲଟକୁ ବ୍ୟାଙ୍କରେ ବନ୍ଧକ ରଖି ଟଙ୍କା ନେଇ ସୁଝି ପାରିନଥିଲେ ଅଭିଯୁକ୍ତ। ତେଣୁ ଉକ୍ତ ପ୍ଲଟକୁ ବ୍ୟାଙ୍କ କର୍ତ୍ତୃପକ୍ଷ ୧କୋଟି ୬୨ଲକ୍ଷ ଟଙ୍କାରେ ନିଲାମ କରିବେ କହି ଅଭିଯୁକ୍ତ ସହ ଯୋଗାଯୋଗ କରିଥିଲେ। ଟଙ୍କା ପାଇବା ପରେ ଫେରାର ହୋଇଯାଇଥିଲା ପଦାରବିନ୍ଦ। ପୁଣି ଥରେ ଅଧ୍ୟକ୍ଷଙ୍କ ସହ ଯୋଗାଯୋଗ କରି ମୋଟ ୨କୋଟି ୧୨ଲକ୍ଷ ନେଇ ବର୍ଷେ ହେଲା ଫେରାର ଥିଲା। ଶେଷରେ ତାକୁ ଗିରଫ କରିଛି ପୋଲିସ ।