ଆସନ୍ତା ୨୪ ଘଣ୍ଟା ଛେଚିବ ବର୍ଷା, ୫ଟି ଜିଲ୍ଲାକୁ ରେଡ୍‌ ୱାର୍ଣ୍ଣିଂ ଜାରି କଲା ପାଣିପାଗ ବିଭାଗ

କେନ୍ୟୁଜ୍(ବ୍ୟୁରୋ):  ଫେରିଛି ଲଘୁଚାପ ବର୍ଷା । ଉତ୍ତରପୂର୍ବ ବଙ୍ଗୋପର ସାଗର ଓ ଉତ୍ତର ଓଡ଼ିଶା ତଟ ନିକଟରେ ଲଘୁଚାପ । ଗତ ୨୪ ଘଣ୍ଟାରେ ରାଜ୍ୟ୍‌ର ପ୍ରାୟ ସବୁ ଜିଲ୍ଲାରେ ବର୍ଷା ହୋଇଛି । ଏହାର ପ୍ରଭାବ ଆହୁରି ୨୪ ଘଣ୍ଟା ରହିବ । ନବରଙ୍ଗପୁର, ନୂଆପଡ଼ା, ବରଗଡ଼, ଝାରସୁଗୁଡ଼ା ଓ ବଲାଙ୍ଗିରରେ ଆସନ୍ତା ୨୪ ଘଣ୍ଟା ବର୍ଷା ଛେଚିବ । ଏହି ୫ଟି ଜିଲ୍ଲା ପାଇଁ ଜାରି ହୋଇଛି ରେଡ୍‌ ୱାର୍ଣ୍ଣିଂ । ସେହିପରି କଳାହାଣ୍ଡି, ମାଲକାନଗିରି, କୋରାପୁଟ, ସୁବର୍ଣ୍ଣପୁର, ସମ୍ବଲପୁର, ସୁନ୍ଦରଗଗଡ଼, ଦେବଗଡ଼ ଓ କେନ୍ଦୁଝରରେ ମଧ୍ୟ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବା ଅନୁମାନ କରାଯାଉଛି । ଏହି ୮ଟି ଜିଲ୍ଲା ପାଇଁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି । ସେହିପରି ରାୟଗଡ଼ା, କନ୍ଧମାଳ, ବୌଦ୍ଧ, ଅନୁଗୁଳ, ଢେଙ୍କାନାଳ , ମୟୂରଭଂଜ, ଯାଜପୁର ଓ ଗଜପତି ଜିଲ୍ଲାରେ ପ୍ରବଳ ବର୍ଷା ଅନୁମାନ କରିଛି ପାଣିପାଗ ବିଭାଗ । ଏହି ୮ଟି ଜିଲ୍ଲା ପାଇଁ ଜାରି ହୋଇଛି ୟେଲୋ ୱାର୍ଣ୍ଣିଂ ।

ଗତ ୨୪ ଘଣ୍ଟାରେ ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡାରେ ସର୍ବାଧିକ ବର୍ଷା ରେକର୍ଡ କରାଯାଇଛି । ସେଠାରେ ୧୪୪ ମିଲିମିଟର ବର୍ଷା ରେକର୍ଡ ହୋଇଛି। କଟକ ଭୁବନେଶ୍ୱରରେ ମଧ୍ୟ ଗତ ୨୪ ଘଣ୍ଟାରେ ପ୍ରବଳ ବର୍ଷା ହୋଇଛି । ଭୁବନେଶ୍ୱରରେ ଗତ ୨୪ ଘଣ୍ଟାରେ ୪୩.୭ ମିଲିମିଟର ବର୍ଷା ରେକର୍ଡ ହୋଇଛି। ଆଗାମୀ ୨୪ ଘଣ୍ଟାରେ ମଧ୍ୟ ଟ୍ଵିନ୍‌ ସିଟିରେ ପ୍ରବଳ ବର୍ଷା ଅନୁମାନ କରାଯାଇଛି।

ରେଡ ୱାର୍ଣ୍ଣିଂ ଜିଲ୍ଲାଗୁଡିକରେ ପ୍ରବଳ ବର୍ଷା ଯୋଗୁଁ ଭୂସ୍ଖଳନ, ହଠାତ ବନ୍ୟା, ତଳିଆ ଅଂଚଳରେ ପାଣି ଜମିବା ଭଳି ସ୍ଥିତି ଉପୁଜି ପାରେ । ତେଣୁ ପ୍ରବଳ ବର୍ଷା ହେବାକୁ ଥିବା ଜିଲ୍ଲାଗୁଡିକର ଜିଲ୍ଲାପାଳଙ୍କୁ ସତର୍କ ରହିବାକୁ ପରାମର୍ଶ ଦେଇଛନ୍ତି ଏସ୍‌ଆରସି । ଏହାସହ ୨୨ ତାରିଖ ଯାଏ ସମୁଦ୍ରକୁ ନ ଯିବା ପାଇଁ ମତ୍ସ୍ୟଜୀବୀଙ୍କୁ ପରାମର୍ଶ ଦିଆଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.