ଉଦଳା: ମର୍ଣ୍ଣିଙ୍ଗ ୱାକ୍ ବେଳେ ମହିଳାଙ୍କ ବେକରୁ ସୁନା ଚେନ ଲୁଟିନେଲେ ଦୁର୍ବୃତ୍ତ

ଉଦଳା(କେନ୍ୟୁଜ୍): ମର୍ଣ୍ଣିଙ୍ଗ ୱାକ୍ ଆସିଥିବା ବେଳେ ମହିଳାଙ୍କ ବେକରୁ ସୁନାଚେନ ଲୁଟିନେଲେ ଦୁର୍ବୃତ୍ତ। ଏଭଳି ଘଟଣା ଘଟିଛି ଉଦଳା ଥାନା ଏନଏସି ୩ ନମ୍ବର ୱାର୍ଡରେ। ୩ ନମ୍ବର ୱାର୍ଡର ମିତାରାଣୀ ମଲ୍ଲିକ ଆଜି ସକାଳେ ମର୍ଣ୍ଣିଙ୍ଗ ୱାକରେ ଯାଇଥିଲେ। ଘର ଠାରୁ ମାତ୍ର କେଇ ମିଟର ଦୂର ଯାଇଥିବା ବେଳେ ଦୁଇ ଜଣ ଯୁବକ ବାଇକରେ ଆସି ତାଙ୍କୁ ଜଣେ ବ୍ୟକ୍ତିଙ୍କ ଠିକଣା ପଚାରିଥିଲେ।
ମିତାରାଣୀ ଠିକଣା ଜାଣି ନ ଥିବା କହିବା ପରେ ଦୁଇ ଦୁର୍ବୃତ୍ତଙ୍କ ମଧ୍ୟରୁ ଜଣେ ମିତାରାଣୀ ପିନ୍ଧିଥିବା ସୁନାଚେନକୁ ଛିଣ୍ଡାଇ ନେଇଥିଲା। ହେଲେ ମିତାରାଣୀ ଚେନକୁ ଧରି ରଖିବାକୁ ଚେଷ୍ଟା କରିବାରୁ ଚେନଟି ଛିଣ୍ଡି ଯାଇଥିଲା ଏବଂ ଲୁଟେରାମାନେ ଛିଣ୍ଡା ଚେନକୁ ନେଇ ଆଖି ପିଛୁଳାକେ ଫେରାର ହୋଇଯାଇଥିଲେ। ତେବେ ଅଧା ଛିଣ୍ଡା ସୁନାଚେନ ମିତାରାଣୀଙ୍କ ପାଖରେ ରହିଯାଇଛି। ଏନେଇ ମିତାରାଣୀ ଥାନାରେ ଅଭିଯୋଗ କରିବା ପରେ ଏବେ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି। ଲୁଟ ହୋଇଥିବା ସୁନାଚେନର ମୂଲ୍ୟ ତିରିଶ ହଜାର ଟଙ୍କା ହେବ ବୋଲି ଜଣାଯାଇଛି।