ଆଜିଠୁ ରାଜ୍ୟରେ ବିଜେପି ସରକାର: ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ମୋହନ ମାଝୀ

ଭୁବନେଶ୍ଵର (କେନ୍ୟୁଜ): ଆଜିଠୁ ରାଜ୍ୟରେ ବିଜେପି ସରକାର ।  ଆଉ କେଇ ଘଣ୍ଟାର ଅପେକ୍ଷା ।  ରାଜ୍ୟରେ ପ୍ରଥମ ବିଜେପି ସରକାରର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ କେନ୍ଦୁଝର ବିଧାୟକ ମୋହନ ମାଝୀ । ଗତକାଲି ବିଜେପି ରାଜ୍ୟ କାର୍ଯ୍ୟାଳୟରେ ବସିଥିବା ବୈଠକରେ ତାଙ୍କୁ ସର୍ବସମ୍ମତି କ୍ରମେ ବିଧାୟକ ଦଳ ନେତା ଭାବେ ଚୟନ କରାଯାଇଛି । ବୈଠକରେ ଦଳର ୭୮ ବିଧାୟକଙ୍କ ବୈଠକରେ ଉପସ୍ଥିତ ଥିଲେ। ବରିଷ୍ଠ ନେତା ଓ ସମସ୍ତ ସାଂସଦ ମଧ୍ୟ ଯୋଗ ଦେଇ ଥିଲେ। ବିଧାୟକ ଦଳ ନେତା ଚୟନ ନେଇ ପର୍ଯ୍ୟବେକ୍ଷକ ଭାବେ କେନ୍ଦ୍ରମନ୍ତ୍ରୀ ରାଜନାଥ ସିଂ ଓ ଭୂପେନ୍ଦ୍ର ଯାଦବଙ୍କ ଉପସ୍ଥିତିରେ ହୋଇଥିଲା ବୈଠକ।

ମୋହନଙ୍କୁ ବନ୍ଦାପନା କରି ପରିବାର ଲୋକେ ଘରକୁ ପାଛୋଟି ନେଇଥିଲେ। ମୋହନ ମାଝି କେନ୍ଦୁଝର ସଦରରୁ ୪ଥର ବିଧାୟକ ନିର୍ବାଚିତ ହୋଇଥିବା ବେଳେ କେଭି ସିଂଦେଓ ପାଟଣାଗଡ଼ରୁ ୬ଥର ଓ ନିମାପଡ଼ାରୁ ପ୍ରଥମ ଥର ବିଧାୟିକା ହୋଇଛନ୍ତି ପ୍ରଭାତୀ ପରିଡ଼ା । ବିଧାୟକ ଦଳ ନେତା ଭାବେ ନିର୍ବାଚିତ ହେବା ପରେ ରାଜ୍ୟରେ ପରିବର୍ତ୍ତନ ନେଇ ମହାପ୍ରଭୁ ଜଗନ୍ନାଥ ଓ ସାଢେ ଚାରିକୋଟି ଓଡ଼ିଶାବାସୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ମୋହନ ମାଝି। ବିଜେପି ଉପରେ ଆସ୍ଥା ପ୍ରକଟ କରି କ୍ଷମତାକୁ ଆଣିଥିବାରୁ ଭାରତରେ ଓଡ଼ିଶାକୁ ଏକ ନଂ ରାଜ୍ୟ କରିବାକୁ ସଂକଳ୍ପ ବଦ୍ଧ ବୋଲି ସେ କହିଛନ୍ତି।

Leave A Reply

Your email address will not be published.