ଚାନ୍ଦିପୁର ଆଇଟିଆର ଗୁପ୍ତ ତଥ୍ୟ ଲିକ୍ ମାମଲା, ଗୁପ୍ତ ତଥ୍ୟ ଦେବା ପାଇଁ ଦୁବାଇରୁ ଆସୁଥିଲା ଟଙ୍କା
ବାଲେଶ୍ଵର(କେ ନ୍ୟୁଜ): ଚାନ୍ଦିପୁର ଆଇଟିଆର ଗୁପ୍ତ ତଥ୍ୟ ଲିକ୍ ମାମଲାରେ ୫ ଅଭିଯୁକ୍ତଙ୍କ ଜେରା ଜାରି ରଖିଛି କ୍ରାଇମବ୍ରାଞ୍ଚ। ସମସ୍ତଙ୍କ ବ୍ୟାଙ୍କ ଆକାଉଣ୍ଟରେ ହୋଇଥିବା ଟ୍ରାଞ୍ଜାକ୍ସନର ଯାଞ୍ଚ ହେଉଛି। ଫେସବୁକ୍, ଇନଷ୍ଟାଗ୍ରାମ ଆଦି ସୋସିଆଲ ମିଡିଆ ଆକାଉଣ୍ଟର ତର୍ଜମା ହେଉଛି। ଜଣାପଡିଛି ଜଣେ ଅଭିଯୁକ୍ତଙ୍କ ପାଖକୁ ୨ଟି କିସ୍ତିରେ ଦୁବାଇର ଗୋଟିଏ ଆକାଉଣ୍ଟରୁ ଆସିଛି ୩୮ ହଜାର ଟଙ୍କା। ଅନ୍ୟମାନଙ୍କ ଫାଇନାନ୍ସିଆଲ ଟ୍ରାଞ୍ଜାକ୍ସନ ଉପରେ ଜେରା ଜାରି ରହିଛି । ଜଣେ ମହିଳା ଭିନ୍ନ ଭିନ୍ନ ପରିଚୟ ଦେଇ ଫେସବୁକ୍ ମାଧ୍ୟମରେ ଅଭିଯୁକ୍ତଙ୍କ ସହ ସମ୍ପର୍କ ସ୍ଥାପନ କରିଥିଲେ। ଫେସବୁକ୍ ମେସେଞ୍ଜର ଜରିଆରେ ଚାଟିଂ କରୁଥିଲେ। ପରେ ହ୍ଵାଟ୍ସ ଆପ ଜରିଆରେ ଚାଟିଂ କରି ଖବର ସଂଗ୍ରହ କରୁଥିଲେ ମହିଳା ଜଣକ। ଏଥିପାଇଁ ମହିଳା ଜଣକ ୟୁକେର ମୋବାଇଲ ନମ୍ବର ବ୍ୟବହାର କରୁଥିଲେ ।
ମହିଳାଙ୍କ ଉପରେ ଅଧିକ ତଦନ୍ତ ହେବ ବୋଲି କହିଛନ୍ତି କ୍ରାଇମବ୍ରାଞ୍ଚ ଏଡିଜି ସଞ୍ଜୀବ ପଣ୍ଡା। ଏହି ତଦନ୍ତ ପ୍ରକ୍ରିୟାରେ ଏୟାର ଫୋର୍ସ ବି ସାମିଲ ହୋଇଛି। ଏୟାରଫୋର୍ସର ଗୋଟିଏ ଟିମ୍ ଆସି ଦୁଇ ଦିନ ହେଲା ଅଭିଯୁକ୍ତଙ୍କୁ ଜେରା କରୁଛନ୍ତି । ସମସ୍ତଙ୍କ ମୋବାଇଲ ସିଜ୍ କରାଯାଇଛି। ଯେଉଁ ଫୋନ୍ଗୁଡିକ ଜବତ ହୋଇଛି ତାର ଫରେନ୍ସିକ ଆନାଲିସସ ହେବ। ଅଭିଯୁକ୍ତ ମାନେ ଆଉ କେଉଁ ଆକାଉଣ୍ଟରେ କି ଆଉ କେଉଁ ମାଧ୍ୟମରେ ଟଙ୍କା ନେଇଛନ୍ତି କି ତାର ତଦନ୍ତ ହେଉଛି। ୫ ଅଭିଯୁକ୍ତଙ୍କୁ ଜେରା କରିବାକୁ ୭ ଦିନ ରିମାଣ୍ଡରେ ଆଣିଥିଲା କ୍ରାଇମ୍ବ୍ରାଞ୍ଚ। ଏବେ ବି ଜେରା ଜାରି ରହିଛି ।