ପ୍ରତିଶ୍ରୁତି ରଖିଲେ ମୁଖ୍ୟମନ୍ତ୍ରୀ, ନୂଆ ସରକାର ପ୍ରଥମ ଦିନରେ ମିଳିଲା ହିତାଧିକାରୀଙ୍କ କାଳିଆ ଟଙ୍କା

ରାଜ୍ୟରେ ଗଠନ ହେଲା ନବୀନଙ୍କ ନୂଆ ସରକାର। ପ୍ରଥମ ଦିନରୁ ହିଁ ଆରମ୍ଭ ହୋଇଗଲା କାମ। ବସିଥିଲା ମନ୍ତ୍ରୀ ପରିଷଦ ଓ କ୍ୟାବିନେଟ୍‌ ବୈଠକ। ପ୍ରଥମ ଦିନରେ ନିଜ ପ୍ରତିଶ୍ରୁତି ରକ୍ଷା କରିଛନ୍ତି ନବୀନ ପଟ୍ଟନାୟକ। କାଳିଆ ହିତାଧିକାରୀଙ୍କ ସଂଖ୍ୟା ୪୨ ଲକ୍ଷରୁ ୭୫ ଲକ୍ଷ କରାଯାଇଛି। ଅତିରିକ୍ତ ୩୩ ଲକ୍ଷ ହିତାଧିକାରୀଙ୍କୁ ସାମିଲ କରାଯାଇଛି। ଏହାସହ ଆଜିଠାରୁ ଅତିରିକ୍ତ ୨୫ ଲକ୍ଷ କାଳିଆ ହିତାଧିକାରୀଙ୍କୁ ଅର୍ଥ ମିଳିବ।

ସେପଟେ ୧ ହଜାର କୋଟି ଟଙ୍କାର ସରକାରୀ କାମ ମିଶନ ଶକ୍ତି ଜରିଆରେ ମହିଳା ଏସ୍‌ଏଚ୍‌ଜି ଗ୍ରୁପ୍‌ଙ୍କୁ ଦିଆଯିବ। ୪୦ଟି ଭିନ୍ନଭିନ୍ନ କାମ ଏସ୍‌ଏଚ୍‌ଜି ଗ୍ରୁପ୍‌ଙ୍କୁ ଦିଆଯିବ। ଏହାକୁ କ୍ୟାବିନେଟ୍‌ ଅନୁମୋଦନ ମିଳିଛି। ନିର୍ବାଚନୀ ପ୍ରଚାର ସମୟରେ କାଳିଆ ଓ ମିଶନ ଶକ୍ତିକୁ ନେଇ ପ୍ରତିଶ୍ରୁତି ଦେଇଥିଲେ ନବୀନ। କହିଥିଲେ ସରକାର ଗଠନର ପ୍ରଥମ ଦିନରେ ହିଁ ମିଳିବ କାଳିଆ ଅର୍ଥ। ଆଜି  ପ୍ରଥମ ଦିନରେ ହିଁ ତାକୁ ପୂରଣ କରିଛନ୍ତି।

ସେପଟେ ମନ୍ତ୍ରୀ ପରିଷଦ ବୈଠକରେ ବିଜେଡି ଦେଇଥିବା ନିର୍ବାଚନୀ ଇସ୍ତାହାରକୁ ସରକାରୀ କାର୍ଯ୍ୟକ୍ରମ ଭାବେ ଗ୍ରହଣ କଲା ପରିଷଦ । ଏହା ସହ ଥ୍ରୀଟି ମନ୍ତ୍ର ଟିମ୍‌ ୱାର୍କ, ଟ୍ରାନ୍‌ସପରେନ୍‌ସୀ ଏବଂ ଟେକ୍ନୋଲୋଜି ସହ ଟାଇମ୍‌କୁ ଯୋଡିଲେ ନବୀନ। ମନ୍ତ୍ରୀ ପରିଷଦ ସଦସ୍ୟଙ୍କୁ ଥ୍ରୀ ଟି ପ୍ଲସ ଟିର ଗୁରୁତ୍ୱକୁ ବୁଝାଇଥିଲେ ମୁଖ୍ୟମନ୍ତ୍ରୀ। କହିଥିଲେ ସମୟ ବେଶ ଗୁରୁତ୍ୱପୂର୍ଣ୍ଣ। ସମୟ ଥାଇ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ନିଆଯାଇଥିଲା, ତେଣୁ ଫନି ମୁକାବିଲା ନେଇ ଓଡ଼ିଶାକୁ ଆନ୍ତର୍ଜାତିକ ସ୍ତରରେ ପ୍ରଶଂସା କରାଯାଇଛି। ୯୦ ଦିନ ଭିତରେ ଏସିଆନ ଆଥଲେଟିକ୍‌ ଚାମ୍ପିଅନସିପ୍‌ ଆୟୋଜନ, ୧୫ ଦିନ ଭିତରେ କାଳିଆ ଯୋଜନା ଲାଗୁ, ୩୦ ଦିନ ଭିତରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାର କାର୍ଯ୍ୟକାରିତା

ଏଭଳି ତତ୍ପରତାର ସହ କାମ ହେଉ, ଏହା ଲୋକେ ଚାହୁଁଛନ୍ତି ବୋଲି ନବୀନ କହିଛନ୍ତି। ବର୍ଷକ ପରେ ସରକାର କେତେ ପ୍ରତିଶ୍ରୁତି ରକ୍ଷା କରିଛନ୍ତି ତାହା ଲୋକଙ୍କ ପାଖରେ ରଖାଯିବ। ନ୍ୟୁ ଓଡ଼ିଶା ପାଇଁ ସମସ୍ତେ ଫୋକସ କରିବା ଦରକାର। ନ୍ୟୁ ଓଡ଼ିଶା ଏଭଳି ହେବା ଆବଶ୍ୟକ ଯେଉଁଠି ଦାରିଦ୍ର୍ୟ ଅତୀତ ହୋଇ ରହିଯିବ, ଅଭିବୃଦ୍ଧି ଓ ବିକାଶରେ ମହିଳାଙ୍କ ସମାନ ଭାଗିଦାରୀ ରହିବ, ବିକାଶରେ ଦୁର୍ବଳ ଶ୍ରେଣୀ ସାମିଲ ହେବେ, ଯୁବପିଢ଼ିଙ୍କ ସ୍ୱପ୍ନ ସାକାର ହେବ। ବିଶ୍ୱ ଜାଣିବା ଆବଶ୍ୟକ ଏବେ ଓଡ଼ିଶାର ସମୟ ଆସିଲା। ମନ୍ତ୍ରୀ ପରିଷଦ ସଦସ୍ୟଙ୍କୁ ଆହ୍ଵାନ ଦେଇ ନବୀନ କହିଛନ୍ତି, ଆୱାର ଟାଇମ୍‌ ଷ୍ଟାର୍ଟସ ନାଓ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.