ରାଜ୍ୟର ବିଭିନ୍ନ ଶକ୍ତିପୀଠରେ ଚାଲିଛି ଅଷ୍ଟମୀ ପୂଜା, ଭିନ୍ନ ଭିନ୍ନ ରୂପରେ ଦର୍ଶନ ଦେଉଛନ୍ତି ମା’
ଆସୁଛନ୍ତି ମାଆ, ଉଲ୍ଲସିତ ଧରା । ଶକ୍ତିପୀଠରେ ଚାଲିଛି ନବରାତ୍ର ପୂଜା । ଚଣ୍ଡିପାଠରେ ପ୍ରକମ୍ପିତ ହେଉଛି ପରିବେଶ । ଶୋଡ଼ଷ ଉପଚାରରେ ହେଉଛି ମାଆଙ୍କ ନୀତିକାନ୍ତି । ଷୋଡଶ ଉପଚାର ପୂଜା ପାଇଁ ଠାକୁରାଣୀଙ୍କୁ ପ୍ରତିଦିନ ଭିନ୍ନ ଭିନ୍ନ ବେଶରେ ସଜ୍ଜିତ କରାଯାଉଛି ।

କାକଟପୁର/ ଯାଜପୁର/ ଜଗତସିଂହପୁର (କେନ୍ୟୁଜ): ଦୁର୍ଗାପୂଜାକୁ ନେଇ ଚଳଚଞ୍ଚଳ ପଲ୍ଲୀଠୁ ସହର। ଆଜି ଧରାବତରଣ କରିବେ ମାଆ ଦୁର୍ଗା। ମଣ୍ଡପରେ ସପ୍ତମୀ, ଶକ୍ତିପୀଠରେ ଚାଲିଛି ଅଷ୍ଟମୀ ପୂଜା। ଆଜି କାକଟପୁର ବାସିନୀ ମା ମଙ୍ଗଳାଙ୍କ ପୀଠରେ ମହାଷ୍ଟମୀ ପୂଜା କରାଯାଉଛି। ଗତକାଲି ସପ୍ତମୀ ତିଥିରେ ସିଙ୍ଘବାହିନୀ ବେଶରେ ଦର୍ଶନ ଦେଇଛନ୍ତି ମା ମଙ୍ଗଳା । ସପ୍ତମୀ ତିଥିରେ ମା ମଙ୍ଗଳାଙ୍କ ମନ୍ଦିରରେ ସ୍ଵତନ୍ତ୍ର ରୀତିନୀତିରେ ଷୋଡଶ ଉପଚାରରେ ମାଆଙ୍କୁ ପୂଜାର୍ଚ୍ଚନା କରାଯାଇଛି । ସପ୍ତମୀର ପୂଜା ମଧ୍ୟାହ୍ନଠାରୁ ଆରମ୍ଭ ହୋଇ ରାତ୍ରି ଆଠ ଘଟିକା ସମୟରେ ଦି ପ୍ରହର ଧୂପ ସରିବା ପରେ ମନ୍ଦିରର ପରମ୍ପରା ଅନୁଯାଇ ମା ମଙ୍ଗଳାଙ୍କ ଚଳନ୍ତି ପ୍ରତିମାଙ୍କୁ ରତ୍ନଗିରି ବିଜେ ନୀତି ଆରମ୍ଭ ହୋଇଥିଲା । ମା ମଙ୍ଗଳାଙ୍କ ସିଙ୍ଘବାହିନୀ ବେଶ ବେସ୍ ପ୍ରସିଦ୍ଧ । ସିଙ୍ଘବାହିନୀ ଅବସରରେ ମନ୍ଦିର ପ୍ରଶାସନ ପକ୍ଷରୁ ସମସ୍ତ ବ୍ୟବସ୍ଥା କରାଯିବା ସହିତ ସେବାୟତଙ୍କ ସହାୟତାରେ ବେଶକୁ ସୁସଜିତ କରାଯାଇଥିଲା । ବେଶ ସରିବା ପରେ ମାଆ ମଙ୍ଗଳାଙ୍କ ସିଙ୍ଘବାହିନୀ ବେଶକୁ ସର୍ବସାଧାରଣଙ୍କ ଦର୍ଶନ ପାଇଁ ପହଡ ଖୋଲାଯାଇ ସାହାଣମେଲା କରାଯାଇଥିଲା । ଏହି ଅବସରରେ ସଂସ୍କୃତି ବିଭାଗ ପକ୍ଷରୁ ମନ୍ଦିରର ପୂର୍ବଦ୍ଵାର ସମୁଖରେ ଭଜନ ସନ୍ଧ୍ଯା କର୍ଜ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।
ସେହିପରି ଝଙ୍କଡବାସିନୀ ମା’ଶାରଳାଙ୍କ ପୀଠରେ ଚାଲିଛି ମହାଷ୍ଟମୀ ପୂଜା । ସମୁହ ଚଣ୍ଡୀପାଠ, ଘଣ୍ଟଘଣ୍ଟା, ପ୍ରାଖୋଳ ଓ ମନ୍ତ୍ରଧ୍ବନୀରେ ପ୍ରକମ୍ପିତ ହେଉଛି ପୁରା ପରିବେଶ । ଏ ଅବସରରେ ମା’ଙ୍କ ସ୍ବତନ୍ତ୍ର ପୂଜାର୍ଚ୍ଚନା କରାଯାଉଛି । ମା’ଙ୍କ ଦର୍ଶନ କରିବାକୁ ପୀଠରେ ଭକ୍ତଙ୍କ ଲମ୍ବା ଲାଇନ୍ ଲାଗୁଛି । ଭକ୍ତ ଓ ମାନସିକଧାରୀ ମା’ଙ୍କ ପାଖରେ ମଣ୍ଡା ଓ ଚୂଡାଘଷା ଭୋଗ କରୁଛନ୍ତି । ମଧ୍ୟାହ୍ନରେ ଦେଵନୀତି ପରେ ପହଡ଼ ଏବଂ ସନ୍ଧ୍ୟାରେ ସନ୍ଧ୍ୟା ଆରତୀ, ଦାଣ୍ଡ ଯାତ୍ରା ଓ ପରେ ପରେ ନବରାତ୍ର ପୂଜା କରାଯିବ ।
ଯାଜପୁରର ଅଧିଷ୍ଠାତ୍ରୀ ଦେବୀ ମା ବିରଜାଙ୍କ ପୀଠରେ ବି ଜମୁଛି ମହାଅଷ୍ଟମୀ । ଏଥିପାଇଁ ଲୋକାରଣ୍ୟ ହୋଇ ଉଠିଛି ମା ବିରଜାଙ୍କ ପୀଠ । ମାଙ୍କ ଷୋଡଶ ଉପଚାର ରେ ପୂଜା ଜାରି ରହିଛି । ଭୋରୁ ଶାସନ ବ୍ରାହ୍ମଣ ମାନେ ପବିତ୍ର ବୈତରଣୀରୁ ଜଳ ଆଣି ମାଙ୍କୁ ସ୍ନାନ କରିଥିଲେ । ଏହା ପରେ ମାଙ୍କ ଗର୍ଭ ଗୃହ କୁ ଯାଇ ପାଦ ସ୍ପର୍ଶ ଓ ମୁଖ ଦର୍ଶନ ପାଇଁ ଶ୍ରଦ୍ଧାଳୁ ଙ୍କ ଲମ୍ବା ଲାଇନ ଦେଖିବାକୁ ମିଳିଛି । ମାଙ୍କ ଦୁର୍ଗୋସ୍ଚଭ ର ସ୍ୱତନ୍ତ୍ରତା ହେଉଛି ରଥଯାତ୍ରା ପରମ୍ପରା । ଏହି ନଅ ଦିନ ଅପରାହ୍ନରେ ମାଙ୍କ ଚଳନ୍ତି ପ୍ରତିମା ରଥ ଉପରକୁ ବିଜେ କରି ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେଇଥାନ୍ତି । ଏଭଳି ବିରଳ ପରମ୍ପରା ଅନ୍ୟ କୌଣସି ଠାରେ ଦେଖିବାକୁ ମିଳେ ନାହିଁ । ଚଳିତ ବର୍ଷ ତିଥି କ୍ଷୟ ପାଇଁ ମାଙ୍କ ରଥ ୮ଦିନ ଗଡିବ। ମାଙ୍କ ଶୃଙ୍ଖଳିତ ଦର୍ଶନ, ନୀତିକାନ୍ତି ଏବଂ ରଥଯାତ୍ରାକୁ ଶୃଙ୍ଖଳିତ ଭାବେ ଶେଷ କରିବା ପାଇଁ ମନ୍ଦୀର ପ୍ରଶାସନ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଛି ।