ଘର ସଫା କରୁଥିବା ବେଳେ ଘଟିଲା ବଜ୍ରାଘାତ, ଚାଲିଗଲା ନବ ବିବାହିତା ମହିଳାଙ୍କ ଜୀବନ

ଆଜି ଅପରାହ୍ନରେ କାଳବୈଶାଖୀ ଜନିତ ବର୍ଷା ସମୟରେ ବଜ୍ରପାତ ହୋଇଥିଲା । ବବିତା ପ୍ରାଇଜ ଜୋମ ପର୍ବ ପାଇଁ ମା ଘର ଲୋକଙ୍କ ସହ ଘର ସଫା କରୁଥିବା ବେଳେ ବଜ୍ରପାତର ଶିକାର ହୋଇଥିଲେ । ତୁରନ୍ତ ତାଙ୍କୁ ରାଇରଙ୍ଗପୁର ଡାକ୍ତରଖାନାକୁ ନିଆଯାଇଥିଲା ।

କେନ୍ୟୁଜ୍(ବ୍ୟୁରୋ): ବଜ୍ରପାତରେ ନବ ବିବାହିତା ମହିଳାଙ୍କ ମୃତ୍ୟୁ। ଏପରି ଏକ ଅଭାବନୀୟ ଘଟଣା ଘଟିଛି ମୟୁରଭଞ୍ଜ ଜିଲ୍ଲା ଗୋରୁମହିଷାଣୀ ଥାନା ଅନ୍ତର୍ଗତ ସୁଣ୍ଢୋଳ ଗ୍ରାମର ହିକେଇସାହିରେ। ସୂଚନା ଅନୁଯାୟୀ, ରାଇରଙ୍ଗପୁର ଟାଉନ ଥାନା ଅନ୍ତର୍ଗତ ରାଣୀପାଳ ଗ୍ରାମର ସିଦ୍ଧ ମାରାଣ୍ଡିଙ୍କ ସହିତ ସୁଣ୍ଢୋଳ ଗ୍ରାମ ହିକେଇସାହିରେ ବବିତା ମାରାଣ୍ଡିଙ୍କ ବିବାହ ଚାରି ମାସ ପୂର୍ବେ ହୋଇଥିଲା। ତେବେ ଆସନ୍ତା ୯ ତାରିଖ ସାନ୍ତାଳୀମାନଙ୍କ ପ୍ରାଇଜ ଜୋମ କାର୍ଯ୍ଯକ୍ରମ ହିକେଇ ସାହିରେ ଥିବାରୁ ବବିତା ମାରାଣ୍ଡି ମା ଘରକୁ କିଛି ଦିନ ପୂର୍ବରୁ ଆସିଥିଲେ।

ତେବେ ଆଜି ଦିନ ପ୍ରାୟ ୧୨.୦୦ ଟା ସମୟ ପାଖାପାଖି କାଳବୈଶାଖୀ ଜନିତ ବର୍ଷା ସମୟରେ ବଜ୍ରପାତ ହୋଇଥିଲା । ବବିତା ପ୍ରାଇଜ ଜୋମ ପର୍ବ ପାଈଁ ମା ଘର ପରିବାର ଲୋକଙ୍କ ସହ ଘର ଲେପା ପୋଛା କରୁଥିବା ବେଳେ ବଜ୍ରପାତର ଶିକାର ହୋଇଥିଲେ।  ତୁରନ୍ତ ତାଙ୍କୁ ଉଦ୍ଧାର କରି ରାଇରଙ୍ଗପୁର ଡାକ୍ତରଖାନାକୁ ନିଆଯାଇଥିଲା । ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଘଟଣା ସମ୍ପର୍କରେ ଖବର ପାଇ ଗୋରୁମହିଷାଣୀ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିବା ସହିତ ମୃତଦେହକୁ ଜବତ କରି ବ୍ଯବଚ୍ଛେଦ ପାଇଁ ରାଇରଙ୍ଗପୁର ଡାକ୍ତରଖାନା ପଠାଇଥିଲେ। ତେବେ ଆସନ୍ତା କାଲି ଶବ ବ୍ଯବଚ୍ଛେଦ ପରେ ପରିବାର ଲୋକଙ୍କୁ ଶବ ହସ୍ତାନ୍ତର କରାଯିବ ବୋଲି ପୋଲିସ ପକ୍ଷରୁ ସୂଚନା ମିଳିଛି।