ନୋ ହେଲମେଟ ନୋ ଡିଏଲ, ଏଥର ଆଇନ ଉଲଂଘନ କରି ଗାଡି ଚଳାଇଲେ ଲାଇସେନ୍ସ ରଦ୍ଦ

କେନ୍ୟୁଜ୍ (ବ୍ୟୁରୋ) : ନୋ ହେଲମେଟ ନୋ ଡିଏଲ । ଆଇନ ଉଲଂଘନ କରି ହେଲମେଟ ନପିନ୍ଧି ଗାଡି ଚଲାଉଥିବା ବ୍ୟକ୍ତିଙ୍କ ଲାଇସେନ୍ସ ରଦ୍ଦ ହେବ । ଆଇନ ଯେପରି ଠିକ ଭାବେ କାର୍ଯ୍ୟକାରୀ ହେବ ତାହାର ତଦାରଖ କରିବା ଦିଗରେ ପଦକ୍ଷେପ ନେବାକୁ ପରିବହନ କମିଶନଙ୍କୁ ବିଭାଗୀୟ ପ୍ରମୁଖ ସଚିବ ମଧୁସୂଧନ ପାଢୀ ଚିଠି ଲେଖିଛନ୍ତି । ଏଥିସହ ୨୦୧୯ ଏବଂ ୨୦୨୦ ଜାନୁଆରୀରୁ ଅକ୍ଟୋବର ମଧ୍ୟରେ ହେଲମେଟ ଆଇନ ଉଲଂଘନ କରିବା ଅଭିଯୋଗରେ କେତେଜଣଙ୍କ ଡ୍ରାଇଭିଂ ଲାଇସେନ୍ସ ନିଲମ୍ବନ କରାଯାଇଛି ତାର ଜିଲ୍ଲାଓ୍ଵାରୀ ରିପୋର୍ଟ ଦେବାକୁ ଅନୁରୋଧ କରିଛନ୍ତି ।

ସୁପ୍ରିମକୋର୍ଟ କମିଟିକୁ ଏସବୁ ତଥ୍ୟ ସପ୍ତାହକ ଭିତରେ ଦେବାକୁ କୁହାଯାଇଛି । ୨୦୧୯ ମସିହାରେ ରାଜ୍ୟରେ ଦୁଇ ଚକିଆ ଯାନ ଯୋଗୁଁ ଘଟିଥିବା ଦୁର୍ଘଟଣା ଜନିତ ମୃତକଙ୍କ ମଧ୍ୟରୁ ୨ ହଜାର ୧୭୫ ଜଣ ହେଲମେଟ ପିନ୍ଧିନଥିଲେ ବୋଲି ଜଣାପଡିଛି । ହେଟମେଟ ଆଇନ ଉଲଂଘନ କରିଥିବା ଅଭିଯୋଗରେ ପୋଲିସ ଏବଂ ଓଡ଼ିଶା ମୋଟର ଯାନ ବିଭାଗ ଦ୍ୱାରା ୮ଲକ୍ଷ ୫୦ ହଜାର ବ୍ୟକ୍ତିଙ୍କୁ ଚିହ୍ନଟ କରାଯାଇଛି । ମୋଟରଯାନ ଆଇନର ୧୯୪ ଡି ଧାରା ଅନୁସାରେ ବିନ ହେଲମେଟରେ ମୋଟରସାଇକେଲ ଚଲାଉଥିବା ବ୍ୟକ୍ତିଙ୍କ ଠାରୁ ହଜାରେ ଟଙ୍କା ଜରିମାନା ଏବଂ ୩ ମାସ ପାଇଁ ଲାଇସେନ୍ସ ବାତିଲ ଭଳି ଦଣ୍ଡବିଧାନ ରହିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.