ରାଜ୍ୟରେ ପ୍ରଥମ କରି ଏହି ମହିଳା SHG ଗ୍ରୁପ ଆରମ୍ଭ କଲେ ଗୋଲାପ ଚାଷ, ଅନ୍ୟମାନଙ୍କ ପାଇଁ ସାଜିଲେ ଉଦାହାରଣ

ଗଞ୍ଜାମ: ଛତ୍ରପୁର ବ୍ଳକ ନୂଆପଲ୍ଲୀ ଗାଁରେ ରହିଥିବା ୫ଟି ସ୍ୱୟଂ ସହାୟିକା ଗୋଷ୍ଠୀ ରାଜ୍ୟର ପ୍ରଥମ ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀ ଭାବେ କରୁଛନ୍ତି ଫୁଲ ଚାଷ । ପ୍ରଥମ ପର୍ଯ୍ୟାୟ ୧୨ ଶହ ବର୍ଗ ମିଟର ଜମିରେ କରିଛନ୍ତି ଗୋଲାପ ଫୁଲ ଚାଷ । ପୂର୍ବ ଅପେକ୍ଷା ସେମାନଙ୍କର ଆର୍ଥିକ, ସାମାଜିକ ଭଳି ବିଭିନ୍ନ କ୍ଷେତ୍ରରେ ଆସିଛି ପରିବର୍ତ୍ତନ ।

ଗଞ୍ଜାମ ଜିଲ୍ଲା ନୂଆପଲ୍ଲୀରେ ରହିଥିବା ୫ଟି ସ୍ୱୟଂ ସହାୟିକା ଗୋଷ୍ଠୀ ଏବେ ଚର୍ଚ୍ଚାର ବିଷୟ ପାଲଟିଛନ୍ତି । କାରଣ ରାଜ୍ୟରେ ପ୍ରଥମ ଥର ପାଇଁ ଏହି ପାଞ୍ଚଟି ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀ ଏକତ୍ରିତ ହୋଇ କରୁଛନ୍ତି ଫୁଲ ଚାଷ । ନୂଆପଲ୍ଲୀ ଠାରେ ଏକ ୧୨ଶହ ବର୍ଗଫୁଟ ଜମି ଲିଜ ସୂତ୍ରରେ ନେଇ ପ୍ରଥମ ପର୍ଯ୍ୟାୟରେ ମହିଳା ମାନେ ଆରମ୍ଭ କରିଛନ୍ତି ଗୋଲାପ ଫୁଲ ଚାଷ । ନିଜର ପରିବାରର ପ୍ରତିପୋଷଣ ପାଇଁ ମହିଳାମାନେ ବର୍ତ୍ତମାନ ଘରୁ ବାହାରକୁ ବାହାରି ଗଠନ କରିଛନ୍ତି ସ୍ୱୟଂ ସହାୟିକା ଗୋଷ୍ଠୀ । ଏହି ଗୋଷ୍ଠୀର ସଦସ୍ୟମାନେ ସରକାରଙ୍କ ଓଡ଼ିଶା ଜୀବିକା ମିଶନ ଯୋଜନାରେ କିଛି ଋଣ ଆଣି ବ୍ୟବସାୟକୁ ସଫଳ କରିଛନ୍ତି।

ଆହୁରି ପଢନ୍ତୁ: ଫଟୋ ଦେଖି ଆଶ୍ଚର୍ଯ୍ୟ ଲାଗୁଥିବା ଏହି ସ୍ଥାନରେ ବସବାସ କରୁଛନ୍ତି ମଣିଷ, ବିଶ୍ବାସ ହେଉନିନା !

 

ପୂର୍ବରୁ ନିଜ ଘରେ ରୋଷେଇ କାମ ସରିବା ପରେ ଖାଲିରେ ବସି ରହୁଥିଲେ ଏହି ଗୋଷ୍ଠୀର ସଦସ୍ୟମାନେ। ହେଲେ ଏବେ ଘର କାମ ସରିବା ପରେ ନିଜର ଅବସର ସମୟକୁ ନଷ୍ଟ କରୁନାହାନ୍ତି ଏମାନେ। ସକାଳ ୭ଟା ସମୟ ମଧ୍ୟରେ ଘରର ସମସ୍ତ କାମ ସାରି ଏକଜୁଟ ହୋଇଯାଇଥାନ୍ତି ଫୁଲ ବଗିଚାରେ । କିଏ ଫୁଲ ଗଛରେ ପାଣି ଦେଇଥାଏ ତ ଆଉ କିଏ ଗଛ ଗୁଡ଼ିକ ଉପରେ ଔଷଧ ସିଞ୍ଚନ କରିଥାନ୍ତି ଓ ଅନ୍ୟ ମହିଳା ମାନେ ଗଛକୁ ସୁରକ୍ଷା ନିମନ୍ତେ ବିଭିନ୍ନ କାମରେ ଲାଗି ପଡ଼ିଥାନ୍ତି । ଏଭଳି ସକାଳ ୭ଟାରୁ ୯ ପର୍ଯ୍ୟନ୍ତ ଚାଲିବା ପରେ ମହିଳା ମାନେ ନିଜ ଘରକୁ ଯାଇ ବିଶ୍ରାମ ନିଅନ୍ତି। ପରେ ପୁଣି ଥରେ ଅର୍ଥାତ ଅପରାହ୍ନ ୩ଟା ଠାରୁ ସନ୍ଧ୍ୟା ୬ଟା ପର‌୍ୟ୍ୟନ୍ତ ମହିଳା ମାନେ ଏହି ଫୁଲ ଚାଷ କାର୍ଯ୍ୟରେ ଲିପ୍ତ ରହିଥାନ୍ତି । ଏହି କାର‌୍ୟ୍ୟ କରି ମହିଳାମାନେ ଖୁସି ଥିବା ସହ ବେଶ୍ ଦୁଇ ପଇସା ଲାଭ କରିଥିବାର ମହିଳାମାନେ କହିଛନ୍ତି।

ଆହୁରି ପଢନ୍ତୁ: ଏବେ ପେଟ୍ରୋଲ୍ ନୁହେଁ ବରଂ ଆଖୁ ରସରେ ଚାଲିବ ଗାଡି, ଏପରି ହେବ ଚାଷିଙ୍କ ପ୍ରଗତି

 

ପ୍ରଥମେ ମହିଳାମାନେ କେଉଁ ବ୍ୟବସାୟ କଲେ ଅଧିକ ଲାଭବାନ ହୋଇପାରିବେ ସେ ବିଷୟରେ ଆଲୋଚନା କରିଥିଲେ। ଏହାପରେ ଛତ୍ରପୁର ବ୍ଳକରେ କାର୍ଯ୍ୟରତ ଥିବା ଓଡ଼ିଶା ଜୀବିକା ମିଶନର ବିପିଏମଙ୍କ ପରାମର୍ଶ ଲୋଡିଥିଲେ। ବିପିଏମ୍ ସେମାନଙ୍କୁ ଗୋଲାପ ଚାଷ କରିବା ପାଇଁ କହିଥିଲେ। ମହିଳା ମାନେ ସେବେଠାରୁ ଗୋଲାପ ଚାଷ କରିଆସୁଛନ୍ତି। ଆଗାମୀ ଦିନରେ ଅର୍କିଡ଼ ଓ ଜାର୍ବେରା୍ ଫୁଲ ଚାଷ କରିବା ନିମନ୍ତେ ଲକ୍ଷ୍ୟ ରଖିଛନ୍ତି ଏହି ୫ଟି ସ୍ୱୟଂ ସହାୟିକା ଗୋଷ୍ଠୀର ମହିଳା ମାନେ । ଏହି ମହିଳା ମାନଙ୍କୁ ଗୋଷ୍ଠୀ ବିନିଯୋଗ ପାଣ୍ଠି ପକ୍ଷରୁ ୧୦ ଲକ୍ଷ ଟଙ୍କା ବ୍ୟାଙ୍କ୍ ଲୋନ୍ ୫ ଲକ୍ଷ ଟଙ୍କା, କୃଷି ଋଣ ପ୍ରତ୍ୟେକ ସ୍ୱୟଂ ସହାୟିକା ଗୋଷ୍ଠୀକୁ ୧୦ ହଜାର ଟଙ୍କା ସମେତ ୧୨ ଶହ ବର୍ଗଫୁଟ ଜମି ସେମାନଙ୍କୁ ଯୋଗାଇ ଦିଆଯାଇଛି ।

ଆହୁରି ପଢନ୍ତୁ: ଜାଣିଛନ୍ତି କି କମ୍ପ୍ୟୁଟର କିବୋର୍ଡରେ ସବୁ ଅକ୍ଷର କାହିଁକି କ୍ରମରେ ନଥାନ୍ତି? ଜାଣନ୍ତୁ କ’ଣ ହୋଇପାରେ ଏହାର କାରଣ

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.