ଏଣିକି ସବୁ ପୁରୁଣା ଗାଡ଼ିରେ ବି ଲାଗିବ ହାଇ ସିକ୍ୟୁରିଟି ନମ୍ବର ପ୍ଲେଟ୍, କଡ଼ା ନିୟମ ଆଣୁଛନ୍ତି ସରକାର

ଭୁବନେଶ୍ୱର (କେନ୍ୟୁଜ): ବାରମ୍ବାର କହିବା ସତ୍ତ୍ୱେ ସବୁ ଗାଡିରେ ହାଇ ସିକ୍ୟୁରିଟି ରେଜିଷ୍ଟ୍ରେସନ ପ୍ଲେଟ ଅର୍ଥାତ୍‌ ଏଚ୍‌ଏସ୍‌ଆରପି ଲାଗୁ ନାହିଁ। ଏନେଇ କଡ଼ା ପଦକ୍ଷେପ ଗ୍ରହଣ କରିବାକୁଯାଉଛି ପରିବହନ ବିଭାଗ। ଆସନ୍ତା ୬ ତାରିଖରେ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ବସିବାକୁ ଯାଉଛି। ଏହି ବୈଠକରେ ନିୟମ ଉଲ୍ଲଙ୍ଘନକାରୀଙ୍କ ବିରୋଧରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ସମ୍ପର୍କରେ ଆଲୋଚନା ହୋଇ ନିଷ୍ପତ୍ତି ନିଆଯିବ ।

ସୂଚନାମୁତାବକ, ସୋ ରୁମ୍‌ରୁ ନୂଆ କରି ଆଣୁଥିବା ଗାଡିରେ ହାଇ ସିକ୍ୟୁରିଟି ନମ୍ବର ପ୍ଲେଟ ଲାଗୁଛି। ୨୦୧୯ରେ ରାଜ୍ୟ ପରିବହନ ବିଭାଗ ସମସ୍ତ ଗାଡି ଡିଲରମାନଙ୍କୁ ହାଇ ସିକ୍ୟୁରିଟି ନମ୍ବର ପ୍ଲେଟ ଲଗାଇବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ଏହା ନଥିଲେ ନୂଆଗାଡି ପାଇଁ ରେଜିଷ୍ଟ୍ରେସନ ପ୍ରମାଣପତ୍ର ମିଳିବ ନାହିଁ ବୋଲି ସ୍ପଷ୍ଟ ମଧ୍ୟ କୁହାଯାଇଥିଲା। କିନ୍ତୁ ଅଧିକାଂଶ ନୂଆ ଗାଡିରେ ମନ ଇଚ୍ଛା ନମ୍ବର ପ୍ଲେଟ ଲଗାଯାଉଛି। ପୁରୁଣା ଗାଡିରେ ମଧ୍ୟ ପୂର୍ବରୁ ଲାଗିଥିବା ନମ୍ବର ପ୍ଲେଟ୍‌ ବଦଳାଯାଉ ନାହିଁ।

ଏବେବି ଲକ୍ଷଲକ୍ଷ ଗାଡ଼ିରେ ଏହି ନମ୍ବର ପ୍ଲେଟ୍ ଲାଗିନି। ତେଣୁ ସମସ୍ତ ପୁରୁଣା ଗାଡ଼ିରେ ହାଇ ସିକ୍ୟୁରିଟି ରେଜିଷ୍ଟ୍ରେସନ୍ ପ୍ଲେଟ୍‌ସ ଲଗାଇବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେବାକୁ ଯାଉଛନ୍ତି। ଏବେ ଯେଉଁ ଗାଡ଼ିରେ ପୁରୁଣା ନମ୍ବର ପ୍ଲେଟ୍ ଲାଗିଛି ସେଗୁଡ଼ିକୁ ଗାଡ଼ି ଚୋରମାନେ ସହଜରେ ବଦଳାଇପାରୁଛନ୍ତି। ଏପରିକି କିଛି ଲୋକ ଜରିମାନାରୁ ବର୍ତ୍ତିବା ପାଇଁ ଗୋଟିଏ ନମ୍ବର ଲିଭାଇ ଦେଉଛନ୍ତି ନଚେତ୍ ନମ୍ବରପ୍ଲେଟ୍‌କୁ ନଷ୍ଟ କରିଦେଉଛନ୍ତି। ଫଳରେ ଅନଲାଇନ୍‌ ଚାଲଣ କାଟିବା ସମୟରେ ଅସୁବିଧା ହେଉଛି। ତେଣୁ ସମସ୍ତ ନୂଆ ଓ ପୁରୁଣା ଗାଡ଼ିରେ ହାଇ ସିକ୍ୟୁରିଟି ନମ୍ବର ପ୍ଲେଟ୍‌ ଲଗାଇବାକୁ ପରିବହନ ବିଭାଗ ନିଷ୍ପତ୍ତି ନେଇଛି।

ଏହାକୁ ନେଇ ଲୋକଙ୍କ ମନରେ ପ୍ରଶ୍ନ ଉଠୁଛି ଯେ ପୁରୁଣା ଗାଡ଼ିରେ ହାଇ ସିକ୍ୟୁରିଟି ନମ୍ବର ପ୍ଲେଟ୍ ଲଗାଇବା ପାଇଁ ଲୋକଙ୍କୁ ଅର୍ଥ ଦେବାକୁ ପଡ଼ିବ ନା ନାହିଁ, ଏହା ଲଗାଇବା ବାଧ୍ୟତାମୂଳକ କଲେ ଲୋକ ସରକାରଙ୍କ ଦ୍ବାରା ନିୟୋଜିତ ସଂସ୍ଥା ଠାରୁ କିଣିବେ ନା ବଜାରରୁ କିଣିକି ଲଗାଇପାରିବେ, ଏହି ନିୟମ କେବେ ଆରମ୍ଭ ହେବ କେବେ ଶେଷ ହେବ, କେତେ ଗାଡ଼ିରେ ଲାଗିବ । ତେବେ ବୈଠକରେ ଏସବୁକୁ ନେଇ ସମୀକ୍ଷା ହେବ ବୋଲି ଖବର ମିଳୁଛି। ଏହାସହ ଏହି ନମ୍ବର ପ୍ଲେଟ୍ ନଲଗାଇଲେ କେ‌ତେ ଟଙ୍କା ଜରିମାନା ଦେବାକୁ ପଡ଼ିବ ସେନେଇ ନିଷ୍ପତ୍ତି ଆସିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.