ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ଜେଜେ ମୃତ, ନାତି-ନାତୁଣୀ ଗୁରୁତର

ନବରଙ୍ଗପୁର(କେନ୍ଯୁଜ୍): କାଳ ହେଲା ବେଆଇନ ବିଦ୍ୟୁତ ସଂଯୋଗ । ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକ ପ୍ରଧାନୀଗୁଡା ଗ୍ରାମରେ ଘଟି ଯାଇଛି ଏହି ଅଭାବନୀୟ ଘଟଣା । ବେଆଇନ ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ଜେଜେଙ୍କର ମୃତ୍ଯୁ ହୋଇଥିବାବେଳେ, ନାତି ନାତୁଣୀଙ୍କୁ ଗୁରୁତର ଅବସ୍ଥାରେ ପାପଡାହାଣ୍ଡି ମେଡିକାଲରେ ଭର୍ତ୍ତି କରାଯାଇଛି ।

ଗ୍ରାମର ଗେଡ ସାହିର ଜଣେ ବ୍ଯକ୍ତିଙ୍କ ଘରକୁ ବେଆଇନ ଭାବରେ ବିଦ୍ୟୁତ ଖୁଣ୍ଟରୁ ହୁକ୍‌ ପକାଯାଇ ବିଦ୍ୟୁତ୍ ସଂଯୋଗ କରାଯାଇଥିଲା । ଲାଇବାନ ଗେଡ ନାମକ ଜଣେ ବ୍ଯକ୍ତି ଗତକାଲି ସଂନ୍ଧ୍ଯା ୫ଟା ବେଳେ ମାଛ ଧରିବା ପାଇଁ ମାଛ ଜାଲ ଧରି ଘରୁ ବାହାରକୁ ବାହାରିଥିଲେ । ତାଙ୍କ ମାଛ ଜାଲଟି ଉକ୍ତ ବିଦ୍ୟୁତ ତାର ସଂସ୍ପର୍ଷ ରେ ଆସିବାରୁ ତାରଟି ଛିଡି ତାଙ୍କ ଉପରେ ପଡିଯାଇଥିଲା । ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଲାଇବନ ଗୁରୁତର ଭାବେ ଛଟପଟ ହେଉଥିବା ଦେଖି ତାଙ୍କ ନାତି ଓ ନାତୁଣୀ ତାଙ୍କୁ ବଞ୍ଚାଇବାକୁ ଚେଷ୍ଟା କରିବା ସମୟରେ ସେମାନେ ଦୁହେଁ ବି ଗୁରୁତର ହୋଇଥିଲେ ।

ଏହି ଘଟଣା ଦେଖି ଗ୍ରାମବାସୀ ତୁରନ୍ତ ଘଟଣା ସ୍ଥଳରେ ପହଞ୍ଚି ବିଦ୍ୟୁତ ତାରକୁ ବିଦ୍ୟୁତ ଖୁଣ୍ଟରୁ ବାହାର କରିଦେଇଥିଲେ । ସମସ୍ତଙ୍କୁ ଗୁରୁତର ଅବସ୍ଥାରେ ପାପଡାହାଣ୍ଡି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତୀ କରାଯାଇଥିଲା । ତେବେ ଡାକ୍ତରଖାନାରେ ଲାଇବନଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ । ଏ ନେଇ ପାପଡାହାଣ୍ଡି ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ କରାଯାଇ ତଦନ୍ତ ଜାରି ରଖିଛି ପୋଲିସ୍ ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.