ଆଉ ମାତ୍ର ୪୮ ଘଣ୍ଟା ଭିତରେ କେରଳ ଛୁଇଁବ ମୌସୁମୀ, ଜୁନ ୧୮ରେ ଛୁଇଁବ ଓଡିଶା

ନୂଆଦିଲ୍ଲୀ : ଆସନ୍ତା ଜୁନ ୮ ଶନିବାର ଦିନ ଦକ୍ଷିଣ-ପଶ୍ଚିମ ମୌସୁମୀ କେରଳ ଛୁଇଁବ ବୋଲି ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ଗୁରୁବାର ପୂର୍ବାନୁମାନ କରିଛି। ଆସନ୍ତା ୪୮ ଘଣ୍ଟା ମଧ୍ୟରେ ମୌସୁମୀ କେରଳରେ ପହଞ୍ଚିବ। ଏହା ପୂର୍ବରୁ ଆଇଏମଡି ପୂର୍ବାନୁମାନ କରିଥିଲା ଯେ ଜୁନ ୬ରେ ମୌସୁମୀ କେରଳ ଛୁଇଁବ। ମୌସୁମୀ ପ୍ରାୟ ଏକ ସପ୍ତାହ ବିଳମ୍ବରେ ପହଞ୍ଚିବ ବୋଲି କୁହାଯାଉଥିଲା। ଏବେ ଏଥିରେ ଆଉ ୨ ଦିନ ବିଳମ୍ବ ହେବ ବୋଲି ଅନୁମାନ କରାଯାଇଛି। ଅନ୍ୟପକ୍ଷରେ ଜୁନ ୭ ସୁଦ୍ଧା ମୌସୁମୀ କେରଳ ଛୁଇଁବ ବୋଲି ଘରୋଇ ପାଣିପାଗ ଏଜେନ୍ସି ସ୍କାଏମେଟ ପୂର୍ବାନୁମାନ କରିଛି।ସ୍ୱାଭାବିକ ଭାବେ ମୌସୁମୀ ଜୁନ ୧ରେ କେରଳରେ ପହଞ୍ଚିଥାଏ। ଚଳିତ ଥର ମୌସୁମୀ ପହଞ୍ଚିବାରେ ବିଳମ୍ବ ପରିଲକ୍ଷିତ ହେଉଛି। ମୌସୁମୀ କେରଳ ଛୁଇଁବାର ପ୍ରାୟ ୧୦ ଦିନ ପରେ ଓଡ଼ିଶାରେ ପହଞ୍ଚିଥାଏ। ଏହି କ୍ରମରେ ଚଳିତ ବର୍ଷ ଜୁନ ୧୮ରେ ମୌସୁମୀ ଓଡିଶା ଛୁଇଁବ ବୋଲି ଅନୁମାନ କରାଯାଉଛି। ଏଥର ଜଳବାୟୁ ପରିବର୍ତ୍ତନ ଯୋଗୁଁ ମୌସୁମୀ ଦୁର୍ବଳ ରହିବ ବୋଲି କୁହାଯାଉଛି।
ଚଳିତ ବର୍ଷ ମୌସୁମୀ ସର୍ବନିମ୍ନ ହାରାହାରି ବୃଷ୍ଟିପାତ (ଏଲପିଏ) ୯୩% (ସ୍ୱାଭାବିକ ଠାରୁ କମ) ହେବ ବୋଲି ସ୍କାଏମେଟ ଓ ଏଲପିଏ ୯୬% ରହିବ ବୋଲି ଆଇଏମଡି ପକ୍ଷରୁ ପୂର୍ବାନୁମାନ କରାଯାଇଛି। ଆଇଏମଡିର ପୂର୍ବାନୁମାନ ଅନୁସାରେ ଜୁଲାଇରେ ମୌସୁମୀ ବର୍ଷା ସ୍ବାଭାବିକ ଠାରୁ କମ୍ ହେବ ଓ ଅଗଷ୍ଟରେ ସ୍ବାଭାବିକ ହେବ। ଉତ୍ତର-ପଶ୍ଚିମ ଭାରତରେ ଏଲପିଏ ୯୪% ରହିବ। କେନ୍ଦ୍ର ଭାରତରେ ଏଲପିଏ ୧୦୦%, ଉତ୍ତରପୂର୍ବ ଭାରତରେ ଏହା ୯୧% ରହିବ। ଆଇଏମଡିର ଉତ୍ତରପୂର୍ବ ଡିଭିଜନ ମଧ୍ୟରେ ପଶ୍ଚିମବଙ୍ଗ, ବିହାର, ଓଡ଼ିଶା, ଝାଡଖଣ୍ଡ ଭଳି ରାଷ୍ଟ୍ର ରହିଛି। ତେଣୁ ଓଡ଼ିଶାରେ ସ୍ବାଭାବିକ ଠାରୁ କମ୍ ବର୍ଷା ହେବାର ଆଶଙ୍କା ରହିଛି। ପାଣିପାଗ ବିଭାଗ ଅନୁସାରେ ମୌସୁମୀ ପୂର୍ବୋତ୍ତର ରାଜ୍ୟରେ କେରଳ ଛୁଇଁବାର ୩ରୁ ୪ ଦିନ ମଧ୍ୟରେ ପହଞ୍ଚିଯିବ। ଆସନ୍ତା ୫ ଦିନ ମଧ୍ୟରେ ଆସାମ, ମେଘାଳୟ, ନାଗାଲାଣ୍ଡ, ମଣିପୁର, ମିଜୋରମ ଏବଂ ତ୍ରିପୁରାର କେତେକ ସ୍ଥାନରେ ମଧ୍ୟମରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଥିବା ଆଇଏମଡି ପୂର୍ବାନୁମାନ କରିଛି।