ଆଜିଠୁ ଯୁକ୍ତ ୨ ଖାତାଦେଖା ଆରମ୍ଭ, ଦୁଇଟି ପର୍ଯ୍ୟାୟରେ ହେବ ଏହି ପ୍ରକ୍ରିୟା

ଭୁବନେଶ୍ବର(କେନ୍ୟୁଜ୍): ଆଜିଠୁ ଆରମ୍ଭ ହେଉଛି ଯୁକ୍ତ ୨ ଖାତାଦେଖା । ଚଳିତବର୍ଷ ଦୁଇଟି ପର୍ଯ୍ୟାୟରେ ହେବ ଖାତାଦେଖା । ପ୍ରଥମ ପର୍ଯ୍ୟାୟ ଜୁନ୍ ୨ରୁ ଆରମ୍ଭ ହୋଇ ୧୨ ତାରିଖରେ ସରିବ । ଦ୍ୱିତୀୟ ପର୍ଯ୍ୟାୟ ଜୁନ୍ ୧୩ ତାରିଖରୁୁ ଆରମ୍ଭ ହେବ । ପ୍ରଥମ ପର୍ଯ୍ୟାୟରେ କଳା, ବାଣିଜ୍ୟ ଛାତ୍ରଛାତ୍ରୀ ମାନଙ୍କ ସମସ୍ତ ବିଷୟ ଓ ବିଜ୍ଞାନର ୫ଟି ବିଷୟରେ ଖାତା ଦେଖାହେବ ।
ଦ୍ଵିତୀୟ ପର୍ଯ୍ୟାୟରେ ବିଜ୍ଞାର ଅନ୍ୟ ବିଷୟ ଓ ଧନ୍ଦାମୂଳକର ସମସ୍ତ ବିଷୟର ଖାତା ଦେଖା ହେବ । ଚଳିତବର୍ଷ ବର୍ଷ ଅଫଲାଇନ୍ ଓ ଅନଲାଇନ୍ ରେ ଖାତା ଦେଖାଯିବ ବୋଲି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ କୁହାଯାଇଛି । ଖାତାଦେଖା ପାଇଁ ଅଫଲାଇନ୍ରେ ୬୪ ଟି କେନ୍ଦ୍ର ହୋଇଥିବା ବେଳେ ଅନଲାଇନ୍ରେ ୩୭ଟି କେନ୍ଦ୍ର ହୋଇଛି । ଆସନ୍ତା ଜୁଲାଇରେ ରେଜଲ୍ଟ ପ୍ରକାଶ ପାଇବ ବୋଲି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ କୁହାଯାଇଛି ।
ଚଳିତବର୍ଷ ୨ ପ୍ରକାର ପଦ୍ଧତିରେ ମୂଲ୍ୟାୟନ ହେବ । ପ୍ରଥମ ପଦ୍ଧତିରେ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ସ୍ତରରେ ହୋଇଥିବା ଇଣ୍ଟରନାଲ ପରୀକ୍ଷାର ୨୦ ପ୍ରତିଶତ ଓ ଦ୍ଵାଦଶ ପରୀକ୍ଷାର ୮୦ ପ୍ରତିଶତ କୁ ନେଇ ପିଲାଙ୍କ ଖାତା ମୂଲ୍ଯାୟନ କରାଯିବ। ଛାତ୍ରଛାତ୍ରୀ ମାନଙ୍କ ୩ ଟି ଇଣ୍ଟରନାଲ ପରୀକ୍ଷା ଭିତରୁ ସର୍ବାଧିକ ମାର୍କ ପାଇଥିବା ୨ ଟି ପରୀକ୍ଷା କୁ ଗ୍ରହଣ କରାଯିବ। ଚଳିତବର୍ଷ କଳା, ବିଞ୍ଜାନ, ବାଣିଜ୍ଯ ଓ ଧନ୍ଦାମୂଳକ ବିଷୟରେ ୩ ଲକ୍ଷ ୨୦ ହଜାର ଛାତ୍ରଛାତ୍ରୀ ପରୀକ୍ଷା ଦେଇଛନ୍ତି।