ଅଲବିଦା କେକେ : ଆଜି ହେବ ଶେଷକୃତ୍ୟ, ବର୍ସୋଭା ଶ୍ମଶାନରେ ଦିଆଯିବ ଅନ୍ତିମ ବିଦାୟ; ସାମିଲ ହେବେ କଳାକାର

ବଲିଉଡ ଇଣ୍ଡଷ୍ଟ୍ରୀକୁ ଅନେକ ଲୋକପ୍ରିୟ ସଙ୍ଗୀତ ଭେଟି ଦେଇଥିବା ପ୍ରସିଦ୍ଧ ଗାୟକ କୃଷ୍ଣ କୁମାର କୁନ୍ନଥ କେକେଙ୍କ ପରଲୋକ ହୋଇଛି । ତେବେ ଆଜି କେକେଙ୍କ ଅନ୍ତିମ ସଂସ୍କାର ହେବ । ବୁଧବାର ରାତିରେ ତାଙ୍କ ପାର୍ଥିବ ଶରୀର କୋଲକାତାରୁ ମୁମ୍ବାଇ ଅଣାଯାଇଥିଲା । କେକେଙ୍କ ପରିବାର ଲୋକେ ତାଙ୍କର ପାର୍ଥିବ ଶରୀର ଆଣିବା ପାଇଁ କୋଲକାତା ଯାଇଥିଲେ । ବର୍ସୋଭାର ‘ପାର୍କ ପ୍ଲାଜା’ କମ୍ପେ୍ଲକ୍ସର ହଲରେ ତାଙ୍କର ମରଶରୀରକୁ ଅନ୍ତିମ ଦର୍ଶନ ପାଇଁ ରଖାଯାଇଛି ।

ସୂଚନା ଅନୂଯାୟୀ, ଗାୟଙ୍କ କେକେଙ୍କ ପାର୍ଥିବ ଶରୀରର ଶେଷ ଦର୍ଶନ ପାଇଁ ସକାଳ ସାଢ଼େ ୧୦ ଟାରୁ ସାଢ଼େ ୧୨ ଟା ପର୍ଯ୍ୟନ୍ତ ତାଙ୍କ ଘରେ ରଖାଯିବ ଯେଉଁଠାରେ ତାଙ୍କର ଫ୍ୟାନ୍ସ ତାଙ୍କୁ ଶେଷ ଦର୍ଶନ କରିବେ । କେକେଙ୍କ ପାର୍ଥିବ ଶରୀର ବୁଧବାର କୋଲକାତାରେ ପୋଷ୍ଟମର୍ଟମ ହୋଇଥିଲା । ଡାକ୍ତରଙ୍କ ଅନୂଯାୟୀ କେକେଙ୍କ ମୃତ୍ୟୁ ହାର୍ଟ ଆଟାକ ଯୋଗୁଁ ହୋଇଥିଲା । ମିଡିଆ ରିପୋର୍ଟ ଅନୂଯାୟୀ କେଙ୍କେ ଫୁସଫୁସ ଏବଂ ଯକୃତରେ ସମସ୍ୟା ଥିଲା ।

ସେପଟେ ଗନ ସାଲ୍ୟୁଟ ପରେ ପଶ୍ଚିମବଙ୍ଗ ପୋଲିସ କେକେଙ୍କୁ ଅନ୍ତିମ ବିଦାୟ ଦେଇଥିଲେ । ଏହାପରେ ତାଙ୍କର ପାର୍ଥିବ ଶରୀରକୁ ଏୟାର ଇଣ୍ଡିଆ ବିମାନ ଯୋଗେ କୋଲକାତାରୁ ମୁମ୍ବାଇ ଅଣାଯାଇଥିଲା । କୋଲକାତା ପୋଲିସ ଅପ୍ରାକୃତିକ ମୃତ୍ୟୁ ମାମଲା ରୁଜୁ କରି କେକେଙ୍କ ମୃତ୍ୟୁ ଉପରେ ଉଠୁଥିବା ପ୍ରଶ୍ନର ଜବାବ ଖୋଜିବାରେ ଲାଗିଛି ।

ତେବେ ମଙ୍ଗଳବାର ବିଳମ୍ବିତ ରାତିରେ କେକେଙ୍କ ମୃତ୍ୟୁ ଘଟିଛି। ପଶ୍ଚିମବଙ୍ଗରେ ଏକ ଲାଇଭ୍‌ କନସର୍ଟରେ ଗୀତ ଗାଉଥିବା ବେଳେ ସେ ହଠାତ୍‌ ଟଳି ପଡ଼ିଥିଲେ। ତାଙ୍କୁ ତୁରନ୍ତ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲେ ମଧ୍ୟ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ। ମୃତ୍ୟୁ ବେଳକୁ କେକେଙ୍କୁ ୫୩ ବର୍ଷ ହୋଇଥିଲା।

ଷ୍ଟେଜ ଉପରେ କେକେ କେମିତି ହଠାତ ଅସୁସ୍ଥ ହୋଇପଡୁଛନ୍ତି ସେହି ସମୟର ଏକ ଭିଡିଓ ଏବେ ଭାଇରାଲ ହେଉଛି । ହଠାତ୍ ତାଙ୍କ ଦେହରୁ ଝାଳ ବାହାରିଲା ଓ ସେ ଅସହଜ ମନେ କରୁଥିବା ନେଇ ଆୟୋଜକଙ୍କୁ ଜଣାଇଥିଲେ । ତୁରନ୍ତ ସୋ ବନ୍ଦ କରି ସେ ଚାଲି ବି ଆସିଲେ । ଏହାପରେ ତାଙ୍କୁ ସିଧା ହସପିଟାଲ ନିଆଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । କେକେଙ୍କର ଆକସ୍ମିକ ମୃତ୍ୟୁ, ହୃତଘାତ ଯୋଗୁଁ ହୋଇଥିବା ପ୍ରାଥମିକ ପୋଷ୍ଟମର୍ଟମ ରିପୋର୍ଟରୁ ଜଣାପଡିଛି ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.