ସୌରଭ ଗାଙ୍ଗୁଲିଙ୍କ ଟ୍ବିଟ୍‌ ଉପରେ ଲାଗିଲା ବିରାମ, କହିଲେ ବିସିସିଆଇ ଅଧ୍ୟକ୍ଷ ପଦରୁ ଦେଇନାହାନ୍ତି ଇସ୍ତଫା ’କିଛି ନୂଆ କରିବାକୁ ଯାଉଛି’

ଭାରତୀୟ ଟିମର ପୂର୍ବତନ ଅଧିନାୟକ ସୌରଭ ଗାଙ୍ଗୁଲି ବୁଧବାର ଏକ ଟ୍ୱିଟକୁ ନେଇ ଖୁବ୍ ଚର୍ଚ୍ଚା ହେଉଥିଲା । ସୌରଭ ଗାଙ୍ଗୁଲି କହିଥିଲେ ଯେ ସେ ବର୍ତ୍ତମାନ କିଛି ନୂଆ କରିବାକୁ ଆରମ୍ଭ କରିବାକୁ ଯାଉଛନ୍ତି ଏବଂ ଏଥିପାଇଁ ସେ ପ୍ରଶଂସକଙ୍କ ସମର୍ଥନ ମଧ୍ୟ ଲୋଡିଛନ୍ତି। ଆଉ ଗାଙ୍ଗୁଲିଙ୍କ ଏହି ଟ୍ୱିଟ ପରେ ଅନୁମାନ କରାଯାଉଥିଲା ଯେ ସେ ଇସ୍ତଫା ଦେଉଛନ୍ତି ଏବଂ କୌଣସି ରାଜନୀତିକ ଦଳରେ ଯୋଗ ଦେଉଛନ୍ତି । କିନ୍ତୁ ବର୍ତ୍ତମାନ ଗାଙ୍ଗୁଲି ନିଜେ ଏହାକୁ ଅସ୍ୱୀକାର କରିଛନ୍ତି।

ତେବେ ବିସିସିଆଇ ଅଧ୍ୟକ୍ଷ ତଥା ସୌରଭ ଗାଙ୍ଗୁଲିଙ୍କ ଟ୍ୱିଟକୁ ନେଇ ଚାଲିଥିବା ଚର୍ଚ୍ଚା ଉପରେ ଲାଗିଲା ବିରାମ । ଗାଙ୍ଗୁଲି କହିଛନ୍ତି ଯେ ସେ ବିସିସିଆଇ ପଦରୁ ଇସ୍ତଫା ଦେଇନାହାନ୍ତି କିମ୍ବା ସେମିତି କୌଣସି କଥା ନାହିଁ । ବିଶ୍ୱସ୍ତରରେ ସେ ଏକ ନୂଆ ଏଜୁକେସନ୍ ଆପ୍ ଲଂଚ କରୁଥିବା ସେ କହିଛନ୍ତି । ଗାଙ୍ଗୁଲିଙ୍କ ସ୍ପଷ୍ଟୋକ୍ତି ପରେ ତାଙ୍କର ରାଜନୀତିରେ ଯୋଗଦେବା ନେଇ ଉଠିଥିବା ଚର୍ଚ୍ଚା ଉପରେ ବିରାମ ଲାଗିଛି । ବୁଧବାର ଗାଙ୍ଗୁଲି ଏକ ଟ୍ୱିଟ୍ କରିଥିଲେ, ଯାହାକୁ ନେଇ ଖୁବ୍ ଚର୍ଚ୍ଚା ହୋଇଥିଲା । ଗାଙ୍ଗୁଲି ଲେଖିଥିଲେ ଯେ କ୍ରିକେଟରେ ୩୦ ବର୍ଷର ଲମ୍ବା ଯାତ୍ରା ପରେ ସେ ଏବେ ଏକ ନୂଆ ଆରମ୍ଭ କରିବାକୁ ଯାଉଛନ୍ତି । ଏହି ନୂଆ ଆରମ୍ଭ ଲୋକଙ୍କୁ ବହୁତ ସହାୟକ ହେବ ବୋଲି ସେ ଲେଖିଥିଲେ । ଗାଙ୍ଗୁଲିଙ୍କ ଏହି ଟ୍ୱିଟ୍ ପରେ ବିଭିନ୍ନ କଥା ଉଠିବାରେ ଲାଗିଥିଲା ।

ଏହା ମଧ୍ୟ ସେ ନିଜ ପୋଷ୍ଟରେ ଲେଖିଛନ୍ତି, “୨୦୨୨ ବର୍ଷ ହେଉଛି କ୍ରିକେଟ୍ ରେ ମୋର ୩୦ ତମ ବର୍ଷ । ମୁଁ ୧୯୯୨ ରେ ଖେଳିବା ଆରମ୍ଭ କରିଥିଲି, ସେବେଠାରୁ ଆଜି ପର୍ଯ୍ୟନ୍ତ କ୍ରିକେଟ୍ ମୋତେ ବହୁତ କିଛି ଦେଇଛି । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଏହା ମୋତେ ଆପଣଙ୍କ ସମସ୍ତଙ୍କର ସମର୍ଥନ ଦେଇଛି । ମୁଁ ସେହି ସମସ୍ତ ବ୍ୟକ୍ତିଙ୍କୁ ଧନ୍ୟବାଦ ଦେବାକୁ ଚାହୁଁଛି, ଯିଏ ମୋ ଯାତ୍ରାର ଏକ ଅଂଶ ହୋଇଛନ୍ତି । ମୋତେ ସମର୍ଥନ ଦେଇଛନ୍ତି ଏବଂ ମୁଁ ଆଜି ଯେଉଁଠାରେ ଅଛି ସେଠାରେ ପହଞ୍ଚିବାରେ ସାହାଯ୍ୟ କରାଇଛନ୍ତି । ଆଜି ମୁଁ ଏପରି କିଛି ଆରମ୍ଭ କରିବାକୁ ଯୋଜନା କରୁଛି, ଯାହା ମୁଁ ଭାବୁଛି ବୋଧହୁଏ ଅନେକ ଲୋକଙ୍କୁ ସାହାଯ୍ୟ କରିବ । ମୁଁ ଆଶା କରେ ଆପଣ ଜୀବନର ଏହି ନୂତନ ଅଧ୍ୟାୟରେ ମୋ ସହିତ ରହିବେ ।”

ସୂଚନାଯୋଗ୍ୟ, ସୌରଭ ଗାଙ୍ଗୁଲି ଅକ୍ଟୋବର ୨୦୧୯ ରେ ବିସିସିଆଇ ଅଧ୍ୟକ୍ଷ ଭାବରେ ପଦ ସମ୍ଭାଳିଥିଲେ । ଗାଙ୍ଗୁଲି ଭାରତୀୟ କ୍ରିକେଟ ବୋର୍ଡର ୩୯ତମ ଅଧ୍ୟକ୍ଷ । ତାଙ୍କର କାର୍ଯ୍ୟକାଳ ଚଳିତ ବର୍ଷ ସେପ୍ଟେମ୍ବରରେ ଶେଷ ହେଉଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.