ବେଡ୍‌ରୁମ ତଳେ ସିକ୍ରେଟ ଚାମ୍ବର, ଏଠି ଭର୍ତ୍ତି ହୋଇଥିଲା ଚୋରା ମଦ

ନବରଙ୍ଗପୁର (କେନ୍ୟୁଜ୍‌) : କୁହାଯାଏ କି ପୋଲିସ୍‌ ଡାଳେ ଡାଳେ ଗଲେ ଚୋର ପତ୍ରରେ ପତ୍ରରେ ଯାଏ । ଅବଶ୍ୟ ଏଇ ଘଟଣାରେ ଚୋର ବେଶ୍‌ ଚାଲାକି କାମ କରିଥିଲା ହେଲେ ପୋଲିସ୍‌ କିନ୍ତୁ ତାକୁ ଧରି ପକାଇଲା । ନବରଙ୍ଗପୁର କୋଷାଗୁମୁଡ଼ା ଠାରେ ଅବକାରୀ ବିଭାଗ ଓ ପୋଲିସ୍‌ ମିଳିତ ଚଢ଼ାଉ କରି ବିପୁଳ ପରିମାଣର ଦେଶୀ ଓ ବିଦେଶୀ ଚୋରା ମଦ ଜବତ କରିଛନ୍ତି ।

ସୂଚନା ଅନୁଯାୟୀ, କୋଷାଗୁମୁଡ଼ା ଥାନା ଅନ୍ତର୍ଗତ ନେଇଗାଁ, ଦାଡିଆଗୁଡ଼ା, ଲାଣ୍ଡୁଗୁଡ଼ା ଓ ରାଜୋଡା ଗ୍ରାମରେ ଚଢ଼ାଉ କରାଯାଇ ଥିଲା । ଏହି ସମୟରେ ପ୍ରାୟ ୧୫୦ ଲିଟର ଦେଶୀ ରନ୍ଧା ମଦ ଓ ପାଖାପାଖି ୧୫୦୦ ଲିଟର ମହୁଲ ପୋଚ ଜବତ ହୋଇଛି । ଏଥିସହ ରାଜୋଡା ଗ୍ରାମର ଯୋଜନା ବିଶୋଇ ଓ ରାମକୃଷ୍ଣ ବିଶୋଇଙ୍କ ଠାରୁ ମଦ ଓ ପୋଚ ଜବତ କରି ସେମାନଙ୍କୁ ଗିରଫ କରା ଯାଇଛି ।

ତେବେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଏହି ଚଢ଼ାଉ ସମୟରେ ଜଣେ ଚୋରା ମଦ ବେପାରୀ ଘର ଭିତରୁ ମାଟି ତଳେ ଥିବା ଏକ ଗୁପ୍ତ କୋଠରୀର ସନ୍ଧାନ ମିଳିଥିଲା । ଏହି ସିକ୍ରେଟ ଚାମ୍ବରରେ ବହୁ ପରିମାଣର ମଦ ରନ୍ଧା ସାମଗ୍ରୀ ଜବତ କରାଯାଇଛି । ନବରଙ୍ଗପୁର ଜିଲ୍ଲା ଅବକାରୀ ଅଧୀକ୍ଷକ ସନ୍ତୋଷ କୁମାର ଧଳସାମନ୍ତଙ୍କ ନିର୍ଦ୍ଦେଶ କ୍ରମେ ନବରଙ୍ଗପୁର ଅବକାରୀ ନିରୀକ୍ଷକ ସୁଧୀର କୁମାର ସାହୁ ଏହି ଚଢ଼ାଉର ନେତୃତ୍ୱ ନେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ କୋଡ଼ିଙ୍ଗା ଅବକାରୀ ବିଭାଗର ଏସଆଇ ହରପ୍ରସାଦ ରଣା, ଏଏସଆଇ ଜଗବନ୍ଧୁ ଯାନୀ, ରାଜେନ୍ଦ୍ର ପଟ୍ଟନାୟକ, ଅବକାରୀ କନେଷ୍ଟବଳ ଆକ୍ରମ ଖାନ, ଦେବେନ୍ଦ୍ର ସମରଥ, ରୀନା ବଡନାୟକ ଓ ରଞ୍ଜିତ ସିଂଙ୍କ ସହ କୋଷାଗୁମୁଡ଼ା ପୋଲିସ କର୍ମଚାରୀ ସାମିଲ ଥିଲେ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.