ପୁରୀର ୫ ବର୍ଷର ଶିଶୁ କନ୍ୟାକୁ ଦୁଷ୍କର୍ମ ମାମଲା: ୨୪ ଘଣ୍ଟା ପରେ ବି ଅଭିଯୁକ୍ତ ମହେଶ ସାହୁର ମିଳିନି ପତ୍ତା

ପୁରୀ(କେନ୍ୟୁଜ୍):ଲଜ୍ଜାଜନକ, କୁତ୍ସିତ ଓ ଅମାନୁଷିକ କାଣ୍ଡ । ଦୁନିଆ କଣ ଭଲ ଭାବେ ଜାଣି ନଥିବା କୋମଳମତି ନିଷ୍ପାପ ଶିଶୁକନ୍ୟା ଉପରେ ଦୁର୍ବୃତ୍ତର ଲୋଲୁପ ଦୃଷ୍ଟି । ପୁରୀରେ ଜଣେ ୫ ବର୍ଷର ଶିଶୁକନ୍ୟାକୁ ଦୁଷ୍କର୍ମ । ୨୪ ଘଣ୍ଟା ପରେ ବି ପୋଲିସର ହାତଫାଙ୍କା । ଅଭିଯୁକ୍ତ ଡ୍ରାଇଭର ମହେଶ ସାହୁକୁ ଧରିବା ପାଇଁ ଗଠନ ହୋଇଛି ୪ ପୋଲିସ ଟିମ୍‌ । ବିଭିନ୍ନ ସ୍ଥାନରେ କରାଯାଉଛି ରେଡ । ଅଭିଯୁକ୍ତର ନିଜ ଘର ଜଗତସିଂହପୁର ଜିଲ୍ଲାରେ । ସେ ପୁରୀ ଟାଉନଥାନାର ସିଦ୍ଧବକୁଳ ଲେନ୍‌ ଅଞ୍ଚଳରେ ଭଡ଼ା ଘରେ ରହୁଥିଲା । ଗତକାଲି ଶିଶୁକନ୍ୟା ଘରକୁ ଯାଇ ତାକୁ ଛାତ ଉପରକୁ ନେଇ ଦୁଷ୍କର୍ମ କରିବା ପରେ ଫେରାର ହୋଇଯାଇଛି । ଏନେଇ ପୁରୀ ଟାଉନ ଥାନାରେ ଆଇପିସିର ଦଫା ୩୭୬(ଖ) ଓ ପୋକ୍ସୋ ଆକ୍ଟ ୬ରେ ଏକ ମାମଲା ରୁଜୁ ହୋଇଛି । ପୋଲିସର ଗୋଟିଏ ଟିମ ଅଭିଯୁକ୍ତ ଗାଁ, ତା ଭଉଣୀ ବିବାହ କରିଥିବା ଚନ୍ଦନପୁର ଓ ଛଇତନା ଅଂଚଳକୁ ଯାଇ ଚଢ଼ାଉ କରି ଖାଲି ହାତରେ ଫେରିଛି ।

ପୀଡ଼ିତା ଶିଶୁକନ୍ୟାକୁ ପ୍ରଥମେ ଗୁରୁତର ଅବସ୍ଥାରେ ପୁରୀ ସଦର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ପରେ ତାକୁ କଟକ ବଡ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ଏବେ ପୀଡ଼ିତାର ସ୍ୱାସ୍ଥ୍ୟାବସ୍ଥା ସ୍ଥିର ରହିଛି । ଦୁଷ୍କର୍ମ ହୋଇଥିବା ସ୍ଥାନକୁ ପୁରୀ ଏସପି, ଅତିରିକ୍ତ ଏସପି, ଥାନା ଆଇଆଇସି ଯାଇ ତଦନ୍ତ କରିଛନ୍ତି । ସେଠାରେ ରହୁଥିବା ଭଡ଼ାଟିଆ ଓ ସ୍ଥାନୀୟ ବାସିନ୍ଦାଙ୍କୁ କରିଛନ୍ତି ପଚରା ଉଚୁରା । ଅଭିଯୁକ୍ତ ମହେଶ ସାହୁ ଜଣେ ନିଶାଖୋର ଯୁବକ । ତା ନାଁରେ ପୂର୍ବରୁ ଥାନାରେ ଏକାଧିକ ମାମଲା ରହିଥିବା ଜଣାପଡ଼ିଛି । ପୀଡ଼ିତାଙ୍କ ପରିବାର ଏବେ ନ୍ୟାୟ ଅପେକ୍ଷାରେ । ଦୋଷୀକୁ ତୁରନ୍ତ ଗିରଫ ସହ କଠୋର ଦଣ୍ଡ ଦେବାକୁ ସେମାନେ ଦାବି କରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.