ପୁରୀରେ ମାନସିକ ଭାରସାମ୍ୟ ହରାଇ ଭିକ୍ଷାବୃତ୍ତି କରୁଥିବା ବନ୍ଧୁଙ୍କୁ ସାହାଯ୍ୟର ହାତ ବଢାଇଲେ କମିଶନର ସୁଧାଂଶୁ ଷଡଙ୍ଗୀ, ସୃଷ୍ଟି କଲେ ଉଦାହାରଣ
କେନ୍ୟୁଜ୍(ବ୍ୟୁରୋ): କଥାରେ ଅଛି ‘ବନ୍ଧ ତଳେ ଚାଷ, ବନ୍ଧୁ ତଳେ ବାସ’, ବିପଦ ସମୟରେ ଯେଉଁ ବନ୍ଧୁ ସାହାଯ୍ୟର ହାତ ବଢାଏ ତାକୁ ହିଁ ପ୍ରକୃତ ବନ୍ଧୁ ବୋଲି ଦୂନିଆ କହେ। ସେଥିପାଇଁ ତ ବେଦରେ ମଧ୍ୟ ଲେଖା ଯାଇଛି ‘ରାଜ ଦ୍ବାରେ ଶ୍ମଶାନେ ଚ ଯ ତିଷ୍ଠନ୍ତି ସ ବାନ୍ଧବଃ’। ଏହି କଥା କହିବାର ତାତ୍ପର୍ଯ୍ୟ ହେଉଛି ଖୋଦ ରାଜଧାନୀ ଭୁବନେଶ୍ବରର ପୋଲିସ କମିଶନର ଏହି ଉକ୍ତିକୁ ଅକ୍ଷରେ ଅକ୍ଷରେ ପାଳନ କରିଛନ୍ତି। ବୁଲେଇ ବଙ୍କେଇ ନକହି ସିଧା କହିବାକୁ ଗଲେ କିଛି ଦିନ ତଳେ ପୁରୀରେ ଚିହ୍ନଟ ହୋଇଥିବା ଜଣେ ମାନସିକ ଭାରସାମ୍ୟ ହରାଇ ଭିକ୍ଷା ବୃତ୍ତି କରୁଥିବା ଶ୍ରୀଜିତ୍ ହେଉଛନ୍ତି ପୋଲିସ କମିଶନର ସୁଧାଂଶୁ ଷଡଙ୍ଗୀଙ୍କର କଲେଜ ବେଳର ବନ୍ଧୁ। ଯାହାଙ୍କ ବିଷୟରେ କିଛି ଦିନ ତଳେ ଗଣମାଧ୍ୟମରେ ପ୍ରସାରଣ ହୋଇଥିଲା। ଅବଶ୍ୟ ଶ୍ରୀଜିତଙ୍କ ବିଷୟରେ ଖବର ପାଇବା ପରେ ତାଙ୍କ ସାଙ୍ଗମାନେ ତାଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ହେଲେ ବହୁଦିନ ପରେ ନିଜ ସାଙ୍ଗକୁ ଏଭଳି ଅବସ୍ଥାରେ ପାଇ କମିଶନର ମଧ୍ୟ ନିଜକୁ ସମ୍ଭାଳି ପାରିନଥିଲେ । ରେଭେନ୍ସା ସାଙ୍ଗମାନଙ୍କଠାରୁ ଯେତେବେଳେ ଶ୍ରୀଜିତଙ୍କ ଅସହାୟତା କଥା ଶୁଣିବାକୁ ପାଇଥିଲେ ସଙ୍ଗେସଙ୍ଗ ବଡ ମେଡିକାଲରେ ବେଡଟିଏ ଯୋଗାଡ କରିଦେଇଥିଲେ ସୁଧାଂଶୁ । ନିଜ ତରଫରୁ କିଛି ସାହାଯ୍ୟ କରିପାରିଲେ ସାଙ୍ଗ ନାମର ସାର୍ଥକତା ମିଳିପାରିବ ବୋଲି ଭାବିନେଇଥିଲେ। ଏଥିପାଇଁ କଟକ ବଡ ମେଡିକାଲରେ ଶ୍ରୀଜିତଙ୍କୁ ଚିକିତ୍ସା ବାବଦକୁ ସମସ୍ତ ସହାୟତା କରିବା ପାଇଁ ବଡ ମେଡିକାଲ କର୍ତୃପକ୍ଷଙ୍କୁ ନବେଦନ କରିଥିବାର ଶୁଣିବାକୁ ମିଳିଛି।
ତେବେ ଶ୍ରୀଜିତ କିଏ? ଓ କହିଁକି ଏଭଳି ସ୍ଥିତିରେ ଥିଲେ ତାହା ଅନେକଙ୍କୁ ଅଗୋଚର ଥିଲା। ସଂକ୍ଷେପରେ କହିବାକୁ ଗଲେ ପୁରୀ ବଡଶଙ୍ଖ ତଳ ନୂଆସାହିର ଶିକ୍ଷିତ ଯୁବକ ଅଟନ୍ତି ଶ୍ରୀଜିତ୍ ପାଢୀ । ପାଠ ପାଇଁ ପାଗଳ ହୋଇଯାଇଥିଲେ ଶ୍ରୀଜିତ। କଟକ ରେଭେନ୍ସାରେ ଶ୍ରୀଜିତ୍ ଓ ସୁଧାଂଶୁ ଦୁହେଁ ସାଙ୍ଗ ହୋଇ ଇକୋନମିକ୍ସରେ ପିଜି କରୁଥିଲେ। ଏହା ପରେ ଶ୍ରୀଜିତ୍ ଓଏଏସ ପରୀକ୍ଷା ଦେଇଥିଲେ। ଏଥିରେ ଅକୃତକାର୍ଯ୍ୟ ହେବା ପରେ ମାନସିକ ସନ୍ତୁଳନ ହରାଇ ବସିଥିଲେ। ସେବେଠାରୁ ଘର ସହ ସମ୍ପର୍କ ଛିନ୍ନ କରି ବଡଦାଣ୍ଡରେ ଘୂରି ବୁଲୁଥିଲେ ଶ୍ରୀଜିତ୍। ପାଖାପାଖି ୧୦ ବର୍ଷ ହେବ ଶ୍ରୀକ୍ଷେତ୍ରରେ ହାତ ପତାଇ ଅନ୍ୟମାନଙ୍କଠାରୁ ମାଗିଯାଚି ପେଟ ପୋଷନ୍ତି ଓ କାହା ଦାଣ୍ଡ ପିଣ୍ଡାରେ ଶୋଇ ରାତ୍ରୀଯାପନ କରିନିଅନ୍ତି। କିନ୍ତୁ କିଛି ଦିନ ତଳେ ତାଙ୍କ ବିଷୟରେ ଗଣ ମାଧ୍ୟମରେ ପ୍ରସାରଣ ହେବା ପରେ ଶ୍ରୀଜିତଙ୍କ କିଛି ସାଙ୍ଗ ତାଙ୍କୁ ଉଦ୍ଧାର କରି ପୁରୀ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ଏହା ପରେ ତାଙ୍କ ଚିକିତ୍ସା ପାଇଁ କଟକ ବଡ ମେଡିକାଲକୁ ସ୍ଥାନାନ୍ତର କରିବା ପରେ ସିପି ଏହି ଭଳି ସାଙ୍ଗର କର୍ତ୍ତବ୍ୟକୁ ସଂପାଦନ କରିଛନ୍ତି। କମିଶନରଙ୍କ ଏଭଳି କାମ ସମାଜ ପାଇଁ ଏକ ଉଦାହାରଣ ବୋଲି ଅନେକ ମତ ଦେଇଛନ୍ତି।