ରାତି ଅଧରେ ଅମାନବୀୟ ଘଟଣା, ସ୍ୱାମୀ ମାରିଲା ଆଉ ପୋଲିସ୍‌ ତଡ଼ି ଦେଲା

ବେଗୁନିଆ (କେ ନ୍ୟୁଜ୍‌) : ଖୋର୍ଦ୍ଧା ଜିଲ୍ଲା ବୋଲଗଡ ଅଞ୍ଚଳର ଏକ ଭିଡିଓ ଏବେ ଭାଇରଲ୍‌ ହେବାରେ ଲାଗିଛି । ଏଥିରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଓ ଅମାନବୀୟ ଘଟଣା। କିଛିଦିନ ତଳେ ବୋଲଗଡ ବ୍ଲକର ଧଳାପଥର ଏବଂ କଡବ ଗାଁରେ ମହିଳାଙ୍କୁ ଗାଁ ଦାଣ୍ଡରେ ମାଡ ମରା ଘଟଣା ଘଟିଥିଲା । ଏବେ ପୁଣି ଦେଖିବାକୁ ମିଳିଛି ସେହିଭଳି ଘଟଣା । ତେବେ ଏଠି ଅଭିଯୋଗର କାଠଗଡ଼ାରେ ଅଛି ବୋଲଗଡ ପୋଲିସ। ଜଣେ ମହିଳାଙ୍କ ଠାରୁ ଅଭିଯୋଗ ନରଖି ରାତି ଅଧରେ ଥାନାରୁ ତଡ଼ି ଦେଇଥିଲା ପୋଲିସ୍‌ । ବାହାରକୁ ବିଦା କରି ଥାନା ଗେଟ୍‌ରେ ତାଲା ପକାଇ ଦେଲେ କର୍ମଚାରୀ । ବିଳମ୍ବିତ ରାତି ପର୍ଯ୍ୟନ୍ତ ଥାନା ଗେଟ୍ ମୁହଁରେ ପଡି ରହିଲେ ମହିଳା ।

ଏପରି ଏକ ଅମାନୁଷିକ ଘଟଣା ବୋଲଗଡ ଥାନାରେ ଗତକାଲି ରାତିରେ ଘଟି ଥିବାର କିଛି ଦୃଶ୍ୟ ସୋସିଆଲ ମିଡିଆରେ ଘୂରି ବୁଲୁଛି । ଏପଟେ ବୋଲଗଡ ପୋଲିସର ଜଣେ ଅସହାୟ ମହିଳାଙ୍କ ପ୍ରତି ଏପରି ଆଚରଣକୁ ନେଇ ଜୋରରେ ଚର୍ଚ୍ଚା ଚାଲିଛି । ଘଟଣାରୁ ଜଣାପଡ଼ିଛି ଯେ ବୋଲଗଡ କଳାମାଟିଆ ଗାଁର ଜୈନିକ ମହିଳାଙ୍କୁ ଗତ ରାତିରେ ତାଙ୍କ ସ୍ବାମୀ ମାଡ଼ା ମରିବା ସହିତ ଜୀବନରୁ ମାରିଦେବାକୁ ଗୋଡାଇବାରୁ ସେ ପ୍ରାଣ ବିକଳରେ ବୋଲଗଡ ପୋଲିସର ଆଶ୍ରୟ ପାଇଁ ଦୌଡି ଆସିଥିଲେ । ହେଲେ ବୋଲଗଡ ପୋଲିସ ତାଙ୍କର ଏତଲା ଗ୍ରହଣ କରି ନ ଥିଲେ ବୋଲି ଅଭିଯେଗ ହୋଇଛି । ତାଙ୍କର ଜୀବନ ପ୍ରତି ବିପଦ ଥିବା କହି ମହିଳା ଜଣଙ୍କ ବିଳମ୍ବିତ ରାତି ପର୍ଯ୍ୟନ୍ତ ଥାନା ପରିସରରେ ବସି ରହିଥିଲେ। ଏଭଳି କ୍ଷଣରେ ବୋଲଗଡ ପୋଲିସ ମହିଳାଙ୍କୁ ଟିକେ ଆଶ୍ରୟ ଦେବା ପରିବର୍ତ୍ତେ ଥାନା ଭିତରୁ ଠେଲି ଠେଲି ବାହାର କରି ଦେବା ସହ ଥାନା ଗେଟ୍‌ରେ ତାଲା ପକାଇ ଦେଇଥିଲେ।

ମହିଳା ଜଣଙ୍କ କିଛି ସମୟ ଧରି ବୋଲଗଡ ଥାନା ଗେଟ୍ ଆଗରେ ପଡି ରହିଥିଲେ । ତେବେ ଅନେକ ସମୟ ପରେ ସେହି ବାଟ ଦେଇ ଯାଉଥିବା ଜଣେ ଯୁବକଙ୍କ ଦୃଷ୍ଟି ତାଙ୍କ ଉପରେ ପଡିବାରୁ ସେ ସ୍ଥାନୀୟ କିଛି ଲୋକଙ୍କ ସହାୟତାରେ ଥାନା ଗେଟ୍‌ରର ତାଲା ଭାଙ୍ଗି ଭିତରକୁ ପଶିଥିଲେ । ଦେଖାଗଲା ଯେ ଥାନା ଭିତର ଗ୍ରିଲରେ ମଧ୍ୟ ତାଲା ପଡ଼ିଛି । ଫଳରେ ମହିଳାଙ୍କ ସହାୟତା ପାଇଁ ଆସିଥିବା ଲୋକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଥିଲା। ଅନେକ ପାଟିତୁଣ୍ଡ ପରେ ଜଣେ କନେଷ୍ଟବଳ ଉଠି ବାବୁ ନାହାଁନ୍ତି ବୋଲି କହିଥିଲେ। ଆଉ ଆଜି ସକାଳୁ ଏସବୁର ଭିଜୁଆଲ ସୋସିଆଲ ମିଡିଆରେ ପ୍ରଚାର ହୋଇଛି ।

ବର୍ତ୍ତମାନର କରୋନା ମହାମାରୀର ଘଡିସନ୍ଧି ମୁହୂର୍ତ୍ତରେ ଗୋଟିଏ ପଟେ ଏତଲା ପାଇଁ ଅଭିଯୋଗକାରୀଙ୍କ ପାଖକୁ ପୋଲିସ ନିଜେ ଯିବ ବୋଲି କୁହା ଯାଉଥିବା ବେଳେ ଜଣେ ଅସହାୟ ମହିଳାଙ୍କ ପ୍ରତି ବୋଲଗଡ ପୋଲିସର ଏପରି ଆଚରଣ ଅନେକ ପ୍ରଶ୍ନ ଉଠାଇଛି। ତେବେ ଏ ନେଇ ପୋଲିସ୍‌ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳି ପାରିନାହିଁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.