ନୂଆ ଟ୍ରାଫିକ ନିୟମ ଲାଗୁ ନେଇ ରାଜନୀତି ଆରମ୍ଭ, ଶାଣିତ ଆକ୍ରମଣ କଲେ ବିରୋଧୀ
ଭୁବନେଶ୍ବର(କେନ୍ୟୁଜ୍): ଆଗ ଲାଠି ବାଜିଲା। ପରେ ମିଠା ମିଳିଲା। କୋହଳ ହେଲା ଫାଇନ୍ ଆଦାୟ। ଲୋକଙ୍କ ଅସୁବିଧା ଦେଖି, ମୁଖ୍ୟମନ୍ତ୍ରୀ ତିନି ମାସ କଡାକଡି ଚେକିଂ ଉପରେ ରୋକ୍ ଲଗାଇଲେ। ସେପଟେ ଗୁଜରାଟରେ ନୂଆ ନିୟମ ସେପ୍ଟେମ୍ବର ୧୬ରୁ ଲାଗୁ ହେବ। କେନ୍ଦ୍ରୀୟ ନିୟମରେ ଯାହା ବ୍ୟବସ୍ଥା ଥିଲା, ତାକୁ ହିଁ ଲାଗୁ କରିଥିଲେ ଓଡ଼ିଶା ସରକାର। କିନ୍ତୁ ଗୁଜରାଟ ସରକାର ଫାଇନ୍ ବ୍ୟବସ୍ଥାକୁ କମାଇ ଲାଗୁ କରିବାକୁ ଯାଉଛନ୍ତି। ହେଲମେଟ୍ ନ ପିନ୍ଧିଲେ ଫାଇନ ହଜାରେ ନୁହଁ ୫ଶହ ଟଙ୍କା ଫାଇନ୍ ନେବ ଗୁଜରାଟ ସରକାର। ସେପଟେ ରାଜ୍ୟ ବିଜେପି କହିଛି, ଓଡ଼ିଶା ସରକାର ବୁଝି ବିଚାରି ଆଇନ ଲାଗୁ କରିବାର ଥିଲା। କଂଗ୍ରେସ ବିଧାୟକ ଦଳ ନେତା କହିଛନ୍ତି, ଆଇନ ସ୍ୱାଗତ ଯୋଗ୍ୟ। କିନ୍ତୁ ଲୋକେ କିପରି ଅସୁବିଧ ନ ହେଉ, ସେଥି ପ୍ରତି ଧ୍ୟାନ ଦେବା ଦରକାର।
ମୁଖ୍ୟମନ୍ତ୍ରୀଙ୍କ ୩ ମାସ ମହଲତ ପରେ ଏବେ ଫାଇନ୍ କୋହଳକୁ ନେଇ ଚର୍ଚ୍ଚା ଜୋରଦାର ଆରମ୍ଭ ହୋଇଛି। ଗୁଜରାଟ ସରକାଙ୍କ ନିଷ୍ପତ୍ତି ଏପରି ଚର୍ଚ୍ଚାକୁ ଅଧିକ ଖୋରାକ ଯୋଗାଇଛି। ବିଭାଗୀୟ ସଚିବ କହିଛନ୍ତି, ଏ ସବୁ ଦିଗ ଉପରେ ତର୍ଜମା କରାଯାଉଛି।ବର୍ତ୍ତମାନ ନିୟମ କୋହଳ ହୋଇଛି। କିନ୍ତୁ ହେଲମେଟ୍ କିମ୍ବା ସିଟ୍ ବେଲ୍ଟ ପିନ୍ଧି ନଥିଲେ, ବାଇକରେ ତିନି ଜଣ ଯାଉଥିଲେ, ମଦ ପିଇ ଗାଡ଼ି ଚାଳନା, ମୋବାଇଲରେ କଥା ହୋଇ ଗାଡ଼ି ଚଳାଇବା, ରାସ୍ତାର ଭୁଲ୍ ଦିଗରେ ଗଲେ ମାଫ୍ ନାହିଁ। ଜରିମାନା ଆଦାୟ ହେଉଛି।