Below header

ସତରେ ଭାଗ୍ୟର ଖେଳ କାହାପାଇଁ କଣ, ପାଖରେ ଭାଇ ଓ କୋଳରେ ୬ ମାସର ସାନ ଭଉଣୀକୁ ଧରି ବସିଛି ୮ ବର୍ଷର ବଡ ଭଉଣୀ

ବେଳେ ବେଳେ ଏମିତି ଚିତ୍ର ସାମନାକୁ ଆସିଯାଏ ଯେଉଁ ମାନଙ୍କ ଭାଗ୍ୟରେ ସକାଳର ଖୁସି ସଂଜକୁ ନଥାଏ । ସ୍ବପ୍ନ ଦେଖିବା ପୂର୍ବରୁ ଭାଗ୍ୟରେ କଳା ବାଦଲ ଢାଙ୍କି ଯାଏ ।

ଆଠଗଡ (କେନ୍ୟୁଜ) : କୁନି କୋଳରେ ଟିକି ଝିଅ । ପାଖରେ ଭାଇ ଓ କୋଳରେ ୬ ମାସର ସାନ ଭଉଣୀକୁ ଧରି ବସିଛି ଏହି କୁନି ପିଲାଟି । ପୁଣି ଭୋକରେ କାନ୍ଦିଲା ବେଳକୁ ବଢ଼ାଇଦେଉଛି ବୋତଲ କ୍ଷୀର । କୋଳରେ ଶୁଆଇ ତୁନି କରାଉଛି କୁନି ଝିଅଟି । ନିଜର ବୟସ ମାତ୍ର ୮ ବର୍ଷ । ସେଥିରେ ସେ ସମ୍ଭାଳୁଛି ବଡ ଭଉଣୀର ଦାୟିତ୍ୱ । ଭଗବାନଙ୍କ ନିର୍ଦ୍ଦେଶରେ କଲା ଭଳି ଏ କୁନି ଝିଅଟି ସମ୍ଭାଳୁଛି ମାଆର ଦାୟିତ୍ୱ । ନିଜ ଭାଇ ଭଉଣୀଙ୍କ ମାଆ ହେବାକୁ ଚେଷ୍ଟା କରୁଛି ଏହି କୁନି ଝିଅ । ସତରେ ଭାଗ୍ୟର ଖେଳ କାହାପାଇଁ କଣ, କିଏ କ୍ଷୀର ସର ପୁରୀରେ ବୁଡ଼ି ରହୁଚି ତ ଆଉ କେହି ନିଜର ଜୀବନ ଆରମ୍ଭ କରିବା ପାଇଁ ସଂଘର୍ଷ କରୁଛି । ତେବେ ବେଳେ ବେଳେ ଏମିତି ଚିତ୍ର ସାମନାକୁ ଆସିଯାଏ ଯେଉଁ ମାନଙ୍କ ଭାଗ୍ୟରେ ସକାଳର ଖୁସି ସଂଜକୁ ନଥାଏ । ସ୍ବପ୍ନ ଦେଖିବା ପୂର୍ବରୁ ଭାଗ୍ୟରେ କଳା ବାଦଲ ଢାଙ୍କି ଯାଏ ।

ଆଠଗଡ଼ ବ୍ଲକ୍ ଗୋବରା ପଂଚାୟତ ଅଧୀନ ଖାକସା ଗାଁ, ଏହି ଗାଁରେ କେବଳ ଆଦିବାସୀ ଅଧ୍ୟୁଷିତ ମାନେ ରୁହନ୍ତି। ଏହି ଗାଁ ରୁ ଏଭଳୀ ଏକ ହୃଦୟ ବିଦାରକ ଚିତ୍ର ଦେଖିବାକୁ ମିଳିଛି ଯାହା କୌଣସି ମଣିଷକୁ ଦୁଃଖିତ କରିଦେବ । ଏହି ଗାଁରେ ବାବୁଲି କାରୁଡ଼ିଆ ଓ ରାନୀ କାରୁଡିଆଙ୍କର ତିନୋଟି ସନ୍ତାନ, ଆଠବର୍ଷର ବଡ଼ ଝିଅ ଲିସା, ଚାରି ବର୍ଷର ପୁଅ ଜୟଜିତ୍ ଓ ଛଅ ମାସର କୁନି ଝିଅ ଆଲିସା । ଦୁଃଖ ସୁଖର ସଂସାର ଭିତରେ ଏହି ପରିବାର ଚଳନ୍ତି । କିନ୍ତୁ ଭାଗ୍ୟର ବିଡମ୍ବନା କିଛି ମାସ ପୂର୍ବରୁ ବାପା ବାବୁଲି ଏକ ହତ୍ୟା ଅଭିଯୋଗରେ ଜେଲ୍ ଦଣ୍ଡ ଭୋଗୁଛନ୍ତି, ସେହି ଚିନ୍ତାରେ ମାଆ ରୋଗାଗ୍ରସ୍ତ ହୋଇ ଶଯ୍ୟାଶାୟୀ ହେବା ପରେ ଆରପାରିକୁ ଚାଲିଗଲେ ।

ଏବେ ବଡ଼ ଝିଅ ଲିସା ହାତରେ ଦୁଇ କୁନି ପିଲାମାନଙ୍କ ଭାଗ୍ୟ, ଯିଏ ଦୁନିଆ କଣ ଜାଣିନି ସେ ବା କଣ ଏହି କୁନି କୁନି ପିଲାମାନଙ୍କ ଭାଗ୍ୟ ବଦଳାଇବ । ଯିଏ ଦୁନିଆ ଦେଖିନି କି ହସ ଖୁସି କଣ ଜାଣିନି ସେ ବା କଣ ଏହି କୋମଳମତି ପିଲାଙ୍କୁ ମଣିଷ କରିବ । ନିଜର କୁନି କୁନି ହାତରେ ଛ ମାସର ସାନ ଭଉଣିକୁ ଗେଲ କରି କ୍ଷୀର ଟିକେ ଖାଇବାକୁ ଦେଇ ମନ ବୁଝାଇବା ସତରେ ବିଧାତାଙ୍କୁ ଆଙ୍ଗୁଳି ନିର୍ଦ୍ଦେଶ କରୁଛି । ମାଆ ଆର ପାରୀକୁ ଚାଲିଗଲା ପରେ ଏବେ ସାହୀ ପଡିସାଙ୍କ ହାତ ଟେକାରେ ଅଣସୁଧି କାର୍ଯ୍ୟ ସରିଛି । ସୁଦ୍ଧି କାମ ସିନା ସରିଗଲା ହେଲେ କିଏ ହେବ ଏହି କୁନି କୁନି ପିଲା ମାନଙ୍କ ସାହା ଭରସା।

ସାହିବସ୍ତିର ଲୋକମାନେ ଯାହା କିଛି ସାହାଯ୍ୟ ଓ ନିଜର ବଡ଼ ବୋଉର ସାହାଯ୍ୟ ସହାନୁଭୂତି ରେ ବଞ୍ଚିଛନ୍ତି ଏହି ତିନି କୋମଳମତି ପିଲା । ଖବର ପାଇ ସ୍ଥାନୀୟ ସରପଂଚ ପହଞ୍ଚି କିଛି ଆର୍ଥିକ ସାହାଯ୍ୟ ଯୋଗାଇ ଦେଇଥିଲେ । କିନ୍ତୁ ଏହି ସାହାଯ୍ୟ କେତେ ଦିନ ପାଇଁ , କିଭଳି ଏହି ପିଲାମାନେ ଆଜିର ସମାଜରେ ମଣିଷ ହେବେ ତାହାକୁ ନେଇ ଉଠିଛି ପ୍ରଶ୍ନ । କିଏ ଏମାନଙ୍କର ଭାଗ୍ୟକୁ ଆଗକୁ ନେବ, କିଏ ଏହି ପିଲା ମାନଙ୍କ ଭବିଷ୍ୟତ ଦେଖିବ ତାହାକୁ ନେଇ ଏବେ ଉଠିଛି ଗୋଟିଏ ପରେ ଗୋଟିଏ ପ୍ରଶ୍ନ । ରହିବା ପାଇଁ ଚାଳ ଛପର, ଭଙ୍ଗା ଦଦରା ଘର ।

କେବଳ ସରକାରି ସହାୟତା ହିଁ ଏହି କୁନି କୁନି କୋମଳ ମତି ପିଲା ମାନଙ୍କ ଭବିଷ୍ୟତକୁ ଆଗକୁ ବଢ଼ାଇବ ତାହା ଦାବୀ ହୋଇଛି । ଏନେଇ ଆମେ ସ୍ଥାନୀୟ ସରପଞ୍ଚଙ୍କୁ ଯୋଗାଯୋଗ କରିଥିଲୁ, ଆବଶ୍ୟକ ମୁତାବକ ସାହାଯ୍ୟ ସହଯୋଗ କରିବା ସହିତ ସ୍ଥାନୀୟ ବିଧାୟକ ତଥା ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ଵାଇଁଙ୍କ ଦୃଷ୍ଟି ଆକର୍ଷଣ କରିବା ସହିତ କିଭଳି ଏହି ପିଲା ମାନଙ୍କ ଭବିଷ୍ୟତ ଗଢ଼ି ତୋଳି ହେବ ସେ ନେଇ ଆଲୋଚନା କରାଯିବ ବୋଲି ପ୍ରତିକ୍ରିୟାରେ କହିଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.