ଜମିବାଡି ବିବାଦକୁ କେନ୍ଦ୍ର କରି ସ୍ୱାମୀଙ୍କୁ ଆକ୍ରମଣ ସହ ସ୍ତ୍ରୀଙ୍କୁ ହତ୍ୟା ଅଭିଯୋଗ ମାମଲା: ବ୍ୟବଚ୍ଛେଦ ରିପୋର୍ଟ କହୁଛି ହତ୍ୟା ନୁହେଁ

ଯାଜପୁର (କେନ୍ୟୁଜ): ଘର ଭିତରୁ ସ୍ତ୍ରୀର ମୃତଦେହ ସହ ସ୍ୱାମୀଙ୍କୁ ଅଚେତ ଅବସ୍ଥାରେ ଉଦ୍ଧାର ଘଟଣା,  ଜମିବାଡି ବିବାଦକୁ କେନ୍ଦ୍ର କରି ସ୍ୱାମୀଙ୍କୁ ଆକ୍ରମଣ ସହ ସ୍ତ୍ରୀଙ୍କୁ ହତ୍ୟା ନେଇ ହୋଇଥିଲା ଅଭିଯୋଗ। ଗତ ୧୦ତାରିଖ ଦିନ ଏଭଳି ଅଭିଯୋଗ ଆସିଥିଲା ଯାଜପୁର ଜିଲ୍ଲା ଧର୍ମଶାଳା ଥାନା ପାଟପୁର ପଂଚାୟତ ପାଣିମୁହାଣି ଗ୍ରାମରୁ। ତେବେ ଶବ ବ୍ୟବଚ୍ଛେଦ ରିପୋର୍ଟ ପୋଲିସର ହସ୍ତଗତ ହେବା ପରେ ଏହା ହତ୍ୟା ନୁହେଁ ବୋଲି ସୂଚନା ମିଳିଛି।

ମୃତ ମହିଳା ପାଣିମୁହାଣି ଗ୍ରାମର ବିଜୟ ନାୟକଙ୍କ ପତ୍ନୀ ବିନି ନାୟକ। ତେବେ ମହିଳାଙ୍କ କିପରି ମୃତ୍ୟୁ ହେଲା ସେନେଇ ପୋଲିସ ଅଧିକ ତଦନ୍ତ ଜାରି ରଖିଛି। ତେବେ ସ୍ୱାମୀ କରିଥିବା ଅଭିଯୋଗ ମିଛ ନା ଏହା ପଛରେ ଆଉ କଣ ରହସ୍ୟ ରହିଛି ସେ ନେଇ ଏବେ ଚର୍ଚ୍ଚା ଜୋର ଧରିଛି। ସୂଚନା ମୁତାବକ ପାଣି ମୁହାଣି ଗ୍ରାମର ବିଜୟ ନାୟକଙ୍କ ଅଭିଯୋଗକ୍ରମେ ଗତ ୯ତାରିଖ ରାତିରେ ପଡୋଶୀ କିଛି ଯୁବକ ତାଙ୍କ ଘର ଭିତରେ ପଶି ବିଜୟ ଏବଂ ତାଙ୍କ ପତ୍ନୀଙ୍କୁ ମରଣାନ୍ତକ ଆକ୍ରମଣ କରିଥିଲେ । ଏଥିରେ ତାଙ୍କର ପତ୍ନୀଙ୍କ ମୃତ୍ୟୁ ଘଟିଥିବା ବେଳେ ସେ ଆହତ ହୋଇ ଧର୍ମଶାଳା ଡାକ୍ତରଖାନାରେ ଭର୍ତି ହୋଇଥିଲେ। ଜମିବାଡ଼ି ବିବାଦ ସହ ଗଛ କଟାକୁ କେନ୍ଦ୍ର କରି ବିଜୟ ଓ ପଡୋଶୀଙ୍କ ମଧ୍ୟରେ ପୂର୍ବରୁ ଗଣ୍ଡଗୋଳ ଘଟିଥିଲା । ଏନେଇ ଧର୍ମଶାଳା ଥାନା ଅଧିନ କୋତପୁର ଫାଣ୍ଡିରେ ଉଭୟ ପକ୍ଷ ଏତଲା ଦେଇଥିଲେ। ସେହି ଘଟଣାକୁ କେନ୍ଦ୍ର କରି ଗତ ୯ତାରିଖ ରାତିରେ ୪/୫ଜଣ ଯୁବକ ତାଙ୍କ ଘରେ ପଶି ଏଭଳି କାଣ୍ଡ ଭିଆଇଥିବା ଥାନାରେ ଅଭିଯୋଗ କରିଥିଲେ ବିଜୟ ।

ତେବେ ଏହି ଆକ୍ରମଣରେ ବିଜୟ ଏବଂ ମୃତ ପତ୍ନୀଙ୍କ ଶରୀରରେ କୈାଣସି କ୍ଷତ ଚିହ୍ନ ନଥିବା ଦେଖିବାକୁ ମିଳିଥିଲା। ଏପରିକି ଘଟଣା ଦିନ ରାତିରେ ହୋଇଥିବା ପାଟିତୁଣ୍ଡ ସମ୍ପର୍କରେ ଗ୍ରାମବାସୀ ମଧ୍ୟ ଜାଣିପାରିନଥିଲେ। ଯେଉଁଥିପାଇଁ ପୋଲିସର ସନ୍ଦେହ ରହିଥିଲା। ତେବେ ସ୍ୱାମୀ ବିଜୟଙ୍କ ଅଭିଯୋଗକ୍ରମେ ପୋଲିସ ଏକ ମାମଲା ରୁଜୁ କରି ମୃତଦେହକୁ ଜବତ କରିବା ସହ ଘଟଣାର ତଦନ୍ତ ଚଳାଇଥିଲା। ଏପରିକି ସନ୍ଦେହରେ ଗ୍ରାମର ୪ଜଣ ଯୁବକଙ୍କୁ ୩ଦିନ ଥାନାରେ ଅଟକ ରଖି ପଚରାଉଚରା କରିଥିଲା। ତେବେ ଶବ ବ୍ୟବଚ୍ଛେଦ ରିପୋର୍ଟରୁ ଏହା ହତ୍ୟା ନୁହେଁ ବୋଲି ପୋଲିସ ଜାଣିବାକୁ ପାଇବା ପରେ ସେମାନଙ୍କୁ ଛାଡି ଦେଇଥିବା ସୂଚନା ମିଳିଛି।

ତେବେ ସେଦିନ ରାତିରେ କଣ ଘଟିଥିଲା? ବିନିଙ୍କର ମୃତ୍ୟୁ ହେଲା କିପରି? ସ୍ୱାମୀ ବିଜୟ ଆଣିଥିବା ଅଭିଯୋଗ କଣ ମିଛ ନା ଏହା ପଛରେ ଆଉ କଣ ରହସ୍ୟ ଅଛି? ଏଭଳି ନାନା ପ୍ରଶ୍ନ ଉଙ୍କି ମାରୁଛି। ଏପଟେ ଏହି ଘଟଣାକୁ ପୋଲିସ ଗୁରୁତର ଭାବେ ନେଇ ଏହାର ରହସ୍ୟ ଉନ୍ମୋଚନ କରିବା ଦିଗରେ ତଦନ୍ତକୁ ଆଗକୁ ନେଉଥିବା କହିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.