ଗୁରୁମନ୍ତ୍ର ଦେବେ ମୋଦି: ଓଡ଼ିଶା ବିଜେପି ସାଂସଦଙ୍କୁ ପ୍ରଧାନମନ୍ତ୍ରୀଙ୍କ ବ୍ରେକଫାଷ୍ଟ ଆମନ୍ତ୍ରଣ

କେନ୍ୟୁଜ୍: ଓଡ଼ିଶା ସାଂସଦଙ୍କୁ ପ୍ରାତଃ ଭୋଜନକୁ ଆମନ୍ତ୍ରଣ। ଦିଲ୍ଲୀ ଦରବାରରେ ରାଜ୍ୟ ବିଜେପି ରାଜନୀତି ଦୁଲୁକୁଥିବାବେଳେ ପ୍ରାତଃ ଭୋଜନ ଲାଗି ଓଡ଼ିଶା ବିଜେପି ସାଂସଦଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆମନ୍ତ୍ରଣ ଦଳୀୟ ନେତାଙ୍କ ହୃତକମ୍ପ ବଢାଇ ଦେଇଛି। ଉଭୟ ଲୋକସଭା ଓ ରାଜ୍ୟସଭାର ସମସ୍ତ ୯ଜଣ ବିଜେପି ସାଂସଦଙ୍କୁ ସକାଳୁ ପ୍ରଧାନମନ୍ତ୍ରୀଙ୍କ ୭ ଲୋକକଲ୍ୟାଣ ମାର୍ଗସ୍ଥିତ ବାସଭବନରେ ପହଞ୍ଚିବା ଲାଗି କୁହାଯାଇଛି।

ପ୍ରଥମେ ବୈଠକ ଓ ପରେ ପ୍ରାତଃ ଭୋଜନରେ ସମସ୍ତେ ସମ୍ମିଳିତ ହେବେ। ପ୍ରଧାନମନ୍ତ୍ରୀ ମୋଦି ରାଜ୍ୟ ବିଜେପି ସାଂସଦଙ୍କ ସହ ପ୍ରାୟ ଏକ ଘଣ୍ଟା ଧରି ସିଧାସଳଖ କଥାବାର୍ତ୍ତା ହେବେ। ଓଡ଼ିଶା ସମେତ ହରିଆଣା, ଦିଲ୍ଲୀ ଓ ଉତ୍ତରାଖଣ୍ଡର ବିଜେପି ସାଂସଦଙ୍କୁ ମଧ୍ୟ ପ୍ରାତଃ ଭୋଜନ ଲାଗି ଡକାଯାଇଛି। ୧୭ଶ ଲୋକସଭା କାଳରେ ପୂର୍ବରୁ ଦୁଇଥର ଓଡ଼ିଆ ସାଂସଦଙ୍କୁ ପ୍ରାତଃ ଭୋଜନ ଲାଗି ପ୍ରଧାନମନ୍ତ୍ରୀ ଆମନ୍ତ୍ରଣ କରିଥିବାବେଳେ ଏହା ହେଉଛି ତୃତୀୟ ଡାକରା।