ଓଡ଼ିଶାରେ କେବଳ ଫିଲ୍ମ କଲେ ହେବ ନାହିଁ, ସିନେମାର ପ୍ରମୋସନ ଦରକାର : ଏସ୍‌ଆରଏଫ୍‌ଟି ନିର୍ଦ୍ଦେଶକ ହିମାଂଶୁ ଖଟୁଆ

ଭୁବନେଶ୍ୱର (କେନ୍ୟୁଜ୍‌) : ‘ପାରମ୍ପରିକ ସିନେମା, ଅଭିବୃଦ୍ଧି, ଅବନତି ଏବଂ ଆଗକୁ ନେବା’ ଶୀର୍ଷକରେ ଏକ ଆଲୋଚନାଚକ୍ର ମେକ୍‌୍‌ଇନ ଓଡ଼ିଶା କନକ୍ଲେଭରେ ଆୟୋଜିତ ହୋଇଥିଲା। ଓଡ଼ିଆ ସିନେମାର ଭିତ୍ତିଭୂମିକୁ କିଭଳି ଆଗକୁ ନେଇ ହେବ ତାହା ଉପରେ ବିସ୍ତୃତ ଉପସ୍ଥାପନା କରିଥଲେ ପ୍ରଖ୍ୟାତ ଚଳଚ୍ଚିତ୍ର ନିର୍ଦ୍ଦେଶକ ତଥା କୋଲକାତା ସ୍ଥିତ ସତ୍ୟଜିତ ରାୟ ଫିଲ୍ମ ଆଣ୍ଡ ଟେଲିଭିଜନ ଇନ୍‌ଷ୍ଟିଚ୍ୟୁଟର ନିର୍ଦ୍ଦେଶକ ହିମାଂଶୁ ଶେଖର ଖଟୁଆ । ସେ କହିଥିଲେ, ଓଡ଼ିଶାରେ କେବଳ ଫିଲ୍ମ ତିଆରି କଲେ ହେବ ନାହିଁ ବରଂ ବିଭିନ୍ନ ଷ୍ଟେକ ହୋଲଡରଙ୍କୁ ନେଇ ଓଡ଼ିଆ ସିନେମାର ପ୍ରମୋସନ କରାଯିବା ଦରକାର । ରାଜ୍ୟର ବ୍ଲକ ସ୍ତରରେ ଥିଏଟର ହେବା ଜରୁରୀ । କେବଳ ସେତିକି ନୁହେଁ ଓଡ଼ିଶାର ଦର୍ଶନୀୟ ସ୍ଥାନକୁ ଫିଲ୍ମ ମାଧ୍ୟମରେ ପ୍ରମୋସନ କରିବା ପାଇଁ ପର୍ଯ୍ୟଟନ ବିଭାଗ ପଦକ୍ଷେପ ନେବା ଆବଶ୍ୟକ ବୋଲି ସେ କହିଥିଲେ ।

ଆହୁରି ମଧ୍ୟ ଓଡ଼ିଶାରେ ଫିଲ୍ମ ନିର୍ମାଣ ପାଇଁ ଥିବା ଭିତ୍ତିଭୂମି ଉପରେ ଆଲୋଚନା କରିଥିଲେ ପ୍ରଖ୍ୟାତ ଚଳଚ୍ଚିତ୍ର ନିର୍ଦ୍ଦେଶକ ସାଜି.ଏନ୍‌. କାରୁନ । ସେହିପରି ଆସୁଥିବା ନୂଆ ନୂଆ ଟେକ୍ନୋଲୋଜି ଉପରେ କହିଥିଲେ ତେଲଗୁ ଫିଲ୍ମ ଚାମ୍ବର ସଭାପତି କେ. ବାସୀ ରେଡ୍ଡୀ । ଓଡ଼ିଶା ଚଳଚ୍ଚିତ୍ର ନିଗମର ଅଧ୍ୟକ୍ଷ ସତ୍ୟବ୍ରତ ତ୍ରିପାଠୀ ଓଡ଼ିଆ ସିନେମାର ବର୍ତ୍ତମାନ ସ୍ଥିତି ଉପରେ ସୂଚନା ଦେଇଥିଲେ ।

ଫିଲ୍ମ ନିର୍ମାତାଙ୍କୁ ୧୦ କୋଟି ସବସିଡି

ଅନ୍ୟପକ୍ଷରେ ଶିଳ୍ପ ସଚିବ ହେମନ୍ତ ଶର୍ମା ଓ ପର୍ଯ୍ୟଟନ ନିର୍ଦ୍ଦେଶକ ପ୍ରମୁଖ ଓଡ଼ିଆ ଚଳଚ୍ଚିତ୍ରକୁ ନେଇ ସରକାରଙ୍କ ଆଭିମୁଖ୍ୟ ସମ୍ପର୍କରେ ଆଲୋଚନା କରିଥିଲେ । ରାଜ୍ୟରେ ଏକ ବଡ଼ ଷ୍ଟୁଡିଓ କରାଯିବ । କଟକ ଓ ଭୁବନେଶ୍ୱରରେ ୧୫ ଏକର ଜାଗାରେ ବିଜୁ ପଟ୍ଟନାୟକ ଫିଲ୍ମ ଇନଷ୍ଟିଚ୍ୟୁଟ୍‌ ପ୍ରତିଷ୍ଠା ହେବ । ସେହିପରି ଯେଉଁମାନେ ଫିଲ୍ମ ନିର୍ମାଣ କରୁଛନ୍ତି ସେମାନଙ୍କୁ ୧୦ କୋଟି ପର୍ଯ୍ୟନ୍ତ ସବସିଡି ଦେବାର ବ୍ୟବସ୍ଥା ରହିଥିବା ସୂଚନା ଦିଆଯାଇଛି । ଏହି ଆଲୋଚନାରେ ଓଡିଶା ସିନେମା ଜଡ଼ିତ ପ୍ରଯୋଜକ, ନିର୍ଦ୍ଦେଶକ, ଅଭିନେତା ଓ ଅଭିନେତ୍ରୀ ଉପସ୍ଥିତ ଥିଲେ ।

CONCLAVE MD