ନ୍ୟାୟ ପାଇଁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପ୍ରତିବାଦ, ପ୍ରତିଶୁତି ପରେ ଶାନ୍ତ ହେଲା ପରିସ୍ଥିତି

ଗୁଣ୍ଡୁରାପସି ଗ୍ରାମରେ ଅଷ୍ଟ ପ୍ରହରୀ ଯୋଗୁଁ କଳସ ଯାତ୍ରା ପାଇଁ ଏକାଦଶୀ ମହାଳିକ ପାଣି ଆଣିବାକୁ ଯାଉଥିଲେ । ଏହି ସମୟରେ ସନାତନ ପାତ୍ର ନାମକ ଜଣେ ବ୍ୟକ୍ତିଙ୍କ ସହ ଏକାଦଶୀ ମହାଳିକଙ୍କର ଟଙ୍କା ଧାର ଉଧାରକୁ ନେଇ ଯୁକ୍ତି ତର୍କ ସହ ବଚସା ହୋଇ ଥିଲା ।

ଢେଙ୍କାନାଳ (କେନ୍ୟୁଜ୍‌): ଢେଙ୍କାନାଳ ଗଦିଆ ଥାନା ଅନ୍ତର୍ଗତ ଗୁଣ୍ଡୁରାପସି ଗାଁରେ ପୂର୍ବ ଶତୃତାକୁ ନେଇ ଏକାଦଶୀ ମହାଳିକ ନାମକ ଜଣେ ବ୍ୟକ୍ତିଙ୍କ ଜୀବନ ନିଆଯାଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି । ଏହି ଘଟଣାରେ ଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ମୃତଦେହ ଥିବା ଗାଡ଼ି ରଖି ଅଭିଯୁକ୍ତମାନଙ୍କୁ ତୁରନ୍ତ ଗିରଫ ଦାବି ନେଇ ପରିବାର ଓ ସମ୍ପର୍କୀୟ ଭିଡ଼ ଜମାଇଥିଲେ । ଏକାଦଶୀ ମହାଳିକଙ୍କ ମୃତ୍ୟୁକୁ ସହଜରେ ଗ୍ରହଣ କରି ପାରିନଥିଲେ ପରିବାର । ତାଙ୍କର ଜୀବନ ନିଆଯାଇଥିବା ଦାବି କରି ଜିଲ୍ଲାପାଳଙ୍କ ଅଫିସ ଆଗରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ନ୍ୟାୟ ପାଇଁ ଅପେକ୍ଷା କରି କରି ମୃତଦେହ ସଂସ୍କାର ବି କରିନଥିଲେ ପରିବାର ଲୋକେ ।

ସୂଚନା ଅନୁସାରେ ଗୁଣ୍ଡୁରାପସି ଗ୍ରାମରେ ଅଷ୍ଟ ପ୍ରହରୀ ଯୋଗୁଁ କଳସ ଯାତ୍ରା ପାଇଁ ଏକାଦଶୀ ମହାଳିକ ପାଣି ଆଣିବାକୁ ଯାଉଥିଲେ । ଏହି ସମୟରେ ସନାତନ ପାତ୍ର ନାମକ ଜଣେ ବ୍ୟକ୍ତିଙ୍କ ସହ ଏକାଦଶୀ ମହାଳିକଙ୍କର ଟଙ୍କା ଧାର ଉଧାରକୁ ନେଇ ଯୁକ୍ତି ତର୍କ ସହ ବଚସା ହୋଇ ଥିଲା । ଟଙ୍କା ଦେଇଥିବା ସନାତନ ପାତ୍ର ଓ ତାଙ୍କ ପରିବାର ଉତ୍ୟକ୍ତ ହୋଇ ଏକାଦଶୀଙ୍କୁ ଅତର୍କିତ ଭାବେ ଆକ୍ରମଣ କରିଥିଲେ । ଆକ୍ରମଣରେ ଗୁରୁତର ହୋଇଥିଲେ ଏକାଦଶୀ ମହାଳିକ । ତାଙ୍କୁ ତୁରନ୍ତ ଢେଙ୍କାନାଳ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ ପରିବାର ଲୋକେ । କିନ୍ତୁ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।

ଏଭଳି ଘଟଣା ପରେ ମୁଖ୍ୟ ଚିକିତ୍ସାଳୟରେ ଏକାଦଶୀଙ୍କର ମୃତଦେହ ବ୍ୟବଚ୍ଛେଦ ସରିବା ପରେ ପରିବାର ଓ ସମ୍ପର୍କୀୟ ମାନେ ମୃତଦେହଗାଡ଼ି ଧରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପହଞ୍ଚିଥିଲେ । ପରେ ଅଭିଯୁକ୍ତ ମାନଙ୍କୁ ତୁରନ୍ତ ଗିରଫ କରିବାକୁ ଦାବି କରିଥିଲେ ପରିବାର ଲୋକେ । ଟାଉନ ଥାନା ପୋଲିସ ପହଞ୍ଚି ଉତ୍ୟକ୍ତ ଲୋକମାନଙ୍କୁ ବୁଝାସୁଝା କରିବା ସହ ତୁରନ୍ତ ଗିରଫ କରାଯିବାକୁ ପ୍ରତିଶୃତି ଦେଇଥିଲେ । ପରେ ପରିସ୍ଥିତି ଶାନ୍ତ ହୋଇଥିଲା ଏବଂ ପରିବାର ଲୋକେ ମୃତଦେହ ସସ୍କାର ପାଇଁ ଗାଁକୁ ଯାଇଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.