ଭକ୍ତ ଭଗବାନଙ୍କ ମଧ୍ୟରେ ପୁଣି ପାଚେରୀ ହେଲା କରୋନା: କାଲିଠାରୁ ଭକ୍ତଙ୍କ ଦର୍ଶନ ଦେବେ ନାହିଁ ଶ୍ରୀଜିଉ, ଆଜି ଅସମ୍ଭାଳ ଭିଡ଼

ପୁରୀ(କେନ୍ୟୁଜ୍): ୧୦ ତାରିଖରୁ ଶ୍ରୀଜିଉଙ୍କ ସର୍ବସାଧାରଣ ଦର୍ଶନ ବନ୍ଦ। ଜାନୁଆରୀ ୩୧ ତାରିଖ ପର୍ଯ୍ୟନ୍ତ ବନ୍ଦ ରହିବ ଶ୍ରୀମନ୍ଦିର। କାଲି ରବିବାର ଥିବାରୁ ମନ୍ଦିର ସାନିଟାଇଜ ପାଇଁ ବନ୍ଦ ରହିବ। ଆଜି ଶେଷ ସର୍ବସାଧାରଣ ଦର୍ଶନ ହୋଇଥିବାରୁ ଶ୍ରୀକ୍ଷେତ୍ରରେ ଲାଗିଥିଲା ପ୍ରବଳ ଗହଳି। ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟ ନିକଟରେ ବ୍ୟାରିକେଡ ଦେଇ ଶ୍ରଦ୍ଧାଳୁ ଶ୍ରୀମନ୍ଦିର ସିଂହଦ୍ୱାର ଦେଇ ପ୍ରବେଶ କରିଥିଲେ। ପ୍ରଭୁଙ୍କୁ ଦର୍ଶନ କରି ବେଶ ଆତ୍ମସନ୍ତୋଷ ଲାଭ କରିବା ସହ କରୋନା ମହାମାରୀ ଦୂର ପାଇଁ ପ୍ରାର୍ଥନା କରିଛନ୍ତି। ମନ୍ଦିର ବନ୍ଦ ସମୟରେ ସହରବାସୀ ତଥା ଶ୍ରଦ୍ଧାଳୁ କେବଳ ପତିତପାବନଙ୍କୁ ଦର୍ଶନ କରିପାରିବେ। ମହାପ୍ରସାଦ ପାଇଁ ଶ୍ରୀମନ୍ଦିର ଉତ୍ତରଦ୍ୱାରରେ ଟୋକନ ବ୍ୟବସ୍ଥା କରାଯିବ।

ପୁରୀ ସହରରେ କୋଭିଡ ସଂକ୍ରମଣ ବୃଦ୍ଧି ସହ ଶ୍ରୀମନ୍ଦିରର ସେବାୟତ ଓ କିଛି ପ୍ରଶାସନ କର୍ମଚାରୀ ମାନେ କୋଭିଡ ଚିହ୍ନଟ ହୋଇଛନ୍ତି। ମହାପ୍ରଭୁଙ୍କ ନୀତିକାନ୍ତି ଯେଭଳି ପ୍ରଭାବିତ ନହେବ ସେନେଇ ଶ୍ରୀମନ୍ଦିର ବନ୍ଦ ରଖିବାକୁ ଛତିଶାନିଯୋଗ ବୈଠକରେ ନିଷ୍ପତ୍ତି ହୋଇଛି। ଜାନୁୟାରୀ ୩୧ପରେ ପରିସ୍ଥିତିକୁ ନେଇ ବୈଠକ କରାଯାଇ ପରବର୍ତ୍ତୀ ନିଷ୍ପତି ନିଆଯିବ। କୋଭିଡ ସଂକ୍ରମଣ ବଢୁଥିବାରୁ ସର୍ବସାଧାରଣ ଦର୍ଶନ ବନ୍ଦ ରଖିବାକୁ ଶ୍ରୀମନ୍ଦିର ଓ ଜିଲ୍ଲା ପ୍ରଶାସନର ନିଷ୍ପତ୍ତିକୁ ସବୁ ମହଲରେ ସ୍ୱାଗତ କରାଯାଇଛି।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.