କର୍କଟ ରୋଗୀଙ୍କ ପାଇଁ ଖୁସି ଖବର , କିମ୍‌ସ କ୍ୟାନ୍‌ସର ସେଣ୍ଟରରେ ଆରମ୍ଭ ହେଲା ରେଡିଏସନ୍‌ ଅଙ୍କୋଲୋଜି କ୍ଲିନିକାଲ୍‌ ସେବା

ମାର୍ଚ୍ଚ ୧୪ ତାରିଖରୁ ଆରମ୍ଭ ହୋଇଛି କିମ୍‌ସ କ୍ୟାନ୍‌ସର ସେଣ୍ଟର ରେଡିଏସନ୍‌ ଅଙ୍କୋଲୋଜି କ୍ଲିନିକାଲ ସେବା। ଏଠାରେ ଏଣିକି କର୍କଟ ରୋଗୀଙ୍କ ପାଇଁ ରେଡିଓଥେରାପୀ ଅଭ୍ୟାସ ଏବଂ ଏଥିସହ ସଂଶ୍ଳିଷ୍ଟ ଗବେଷଣା କାର୍ଯ୍ୟ ଓ ରୋଗୀ ସେବା ହୋଇପାରିବ।

ଭୁବନେଶ୍ୱର(କେନ୍ୟୁଜ୍): କର୍କଟ ରୋଗୀଙ୍କ ପାଇଁ ଖୁସି ଖବର। ଭୁବନେଶ୍ୱର କିମ୍‌ସ କ୍ୟାନ୍‌ସର ସେଣ୍ଟରରେ ଆରମ୍ଭ ହେଲା ରେଡିଏସନ୍‌ ଅଙ୍କୋଲୋଜି କ୍ଲିନିକାଲ୍‌ ସେବା। ଏଥର ଆଉ ଓଡ଼ିଶା ଲୋକଙ୍କୁ କ୍ୟାନ୍‌ସର ଚିକିତ୍ସା ପାଇଁ ରାଜ୍ୟ ବାହାରକୁ ଯିବାକୁ ପଡ଼ିବ ନାହିଁ। ମାର୍ଚ୍ଚ ୧୪ ତାରିଖରୁ ଆରମ୍ଭ ହୋଇଛି କିମ୍‌ସ କ୍ୟାନ୍‌ସର ସେଣ୍ଟର ରେଡିଏସନ୍‌ ଅଙ୍କୋଲୋଜି କ୍ଲିନିକାଲ ସେବା। ଏଠାରେ ଏଣିକି କର୍କଟ ରୋଗୀଙ୍କ ପାଇଁ ରେଡିଓଥେରାପୀ ଅଭ୍ୟାସ ଏବଂ ଏଥିସହ ସଂଶ୍ଳିଷ୍ଟ ଗବେଷଣା କାର୍ଯ୍ୟ ଓ ରୋଗୀ ସେବା ହୋଇପାରିବ।

କିମ୍‌ସ କ୍ୟାନ୍‌ସର ସେଣ୍ଟର(କେସିସି)ରେ ସମସ୍ତ ପ୍ରକାର କର୍କଟ ରୋଗର ବହୁବିଧ ଉପଚାର ନିମନ୍ତେ ଗୋଟିଏ ସ୍ଥାନରେ ସମସ୍ତ ପ୍ରକାର ସୁବିଧା ଓ ସେବା ଉପଲବ୍‌ଧ ହେବା ସହ ଓଡ଼ିଶାର ପ୍ରଥମ କର୍କଟ ରୋଗ ପରିଚାଳନା କେନ୍ଦ୍ର ବୋଲି କୁହାଯାଉଛି। କେସିସିରେ ସର୍ଜିକାଲ୍‌ ଅଙ୍କୋଲୋଜି, ମେଡିକାଲ୍‌ ଅଙ୍କୋଲୋଜି, ରେଡିଏସନ୍‌ ଅଙ୍କୋଲୋଜି, ପୀଡ଼ାଉପଶମ ଯତ୍ନ ଏବଂ ନିଉକ୍ଲିଅର ମେଡିସିନ୍‌ ବିଭାଗ ରହିଥିବା ବେଳେ ଏସବୁ ବିଭାଗରେ ଅଭିଜ୍ଞ ବିଶେଷଜ୍ଞମାନେ ସେବା ଯୋଗାଇ ଦେଉଛନ୍ତି।

ଏବେ କିମ୍‌ସ କ୍ୟାନ୍‌ସର ସେଣ୍ଟରର ମେଡିକାଲ୍‌ ଅଙ୍କୋଲୋଜି ବିଭାଗରେ ଡେ-କେୟାର, କେମୋଥେରାପି ଏବଂ ଇମ୍ୟୁନୋଥେରାପି ଆଦି ଚିକିତ୍ସା ଓ ସେବା ଯୋଗାଇ ଦିଆଯାଉଛି। ଏହା ସହିତ କର୍କଟ ରୋଗ ନିରୂପଣ, କ୍ୟାନ୍‌ସର ରେଜିଷ୍ଟ୍ରେସନ୍‌, ବହୁବିଧ ଟ୍ୟୁମର୍‌ ନିଦାନ ଓ ପରୀକ୍ଷା, ଏଣ୍ଡୋସ୍କୋପି, ସର୍ଜିକାଲ୍‌ ଅଙ୍କୋଲୋଜି, ରେଡିଏସନ୍‌ ଅଙ୍କୋଲୋଜି, ମେଡିକାଲ୍‌ ଅଙ୍କୋଲୋଜି ଏବଂ ପୀଡ଼ା ଉପଶମ ଯତ୍ନ ଆଦି କିମ୍‌ସ କ୍ୟାନ୍‌ସର ସେଣ୍ଟର କ୍ଲିନିକାଲ୍‌ ସେବାରେ ଅନ୍ତର୍ଭୁକ୍ତ। କିଟ୍‌, କିସ୍‌ ଓ କିମ୍‌ସ ପ୍ରତିଷ୍ଠାତା ଡ. ଅଚ୍ୟୁତ ସାମନ୍ତ କହିଛନ୍ତି, କିମ୍‌ସରେ ଏହି ଅତ୍ୟାଧୁନିକ କ୍ୟାନ୍‌ସର ସେଣ୍ଟର କର୍କଟ ରୋଗୀଙ୍କ ପାଇଁ ଆଶ୍ୱାସନା ଆଣିବ। ଏଠାରେ ସମସ୍ତ ପ୍ରକାର କର୍କଟ ରୋଗ ଚିକିତ୍ସା ନିମନ୍ତେ ବହୁବିଧ ପଦ୍ଧତି ଓ ଏକ ଟ୍ୟୁମର ବୋର୍ଡ ରହିଛି।

ଟ୍ୟୁମର ବୋର୍ଡ ରୋଗ ଚିକିତ୍ସା କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବା ସହ ନୈତିକ ଓ ସମ୍ବେଦନପୂର୍ଣ୍ଣ ଅନୁଶୀଳନ ଉପରେ ନଜର ରଖିବ। ଏଠାରେ ଏକ ନିର୍ଦ୍ଦିଷ୍ଟ ସମୟ ସୀମା ମଧ୍ୟରେ ଓ ରୋଗୀର ଆର୍ଥିକ ସାଧନକୁ ଦୃଷ୍ଟିରେ ରଖି କର୍କଟ ରୋଗର ଚିକିତ୍ସା ଓ ପରିଚାଳନା କରାଯାଇଥାଏ ବୋଲି ଡ. ସାମନ୍ତ କହିଛନ୍ତି। କିମ୍‌ସ କ୍ୟାନ୍‌ସର୍‌ ସେଣ୍ଟରରେ ରୋଗ ଉପଶମ ପାଇଁ କର୍କଟ ରୋଗ ସହାୟତା ସେବାକୁ ଏକୀକୃତ କରାଯାଇଛି। ଏଠାରେ ମଧ୍ୟ ରୋଗୀର ସେବାଯତ୍ନ କରୁଥିବା ପରିବାରର ସଦସ୍ୟଙ୍କୁ ସହଯୋଗ ଯୋଗାଇ ଦିଆଯାଇଥାଏ ବୋଲି କ୍ୟାନ୍‌ସର ସେଣ୍ଟରର ନିର୍ଦ୍ଦେଶକ ପ୍ରଫେସର ଡା. ବିଧୂକଲ୍ୟାଣ ମହାନ୍ତି କହିଛନ୍ତି ।

କିମ୍‌ସ କ୍ୟାନ୍‌ସର ସେଣ୍ଟର ଆଗାମୀ ଦିନରେ କ୍ୟାନ୍‌ସର ଚିକିତ୍ସା କ୍ଷେତ୍ରରେ ମାନବ ସମ୍ବଳ ତାଲିମ, ଶୈକ୍ଷିକ କାର୍ଯ୍ୟକ୍ରମ ଓ ଗବେଷଣା କାର୍ଯ୍ୟହାତକୁ ନେବ ବୋଲି ସେ କହିଛନ୍ତି। ଏହାଛଡ଼ା ଏହି କେନ୍ଦ୍ର ସମନ୍ଵିତ ରୋଗୀ ଯତ୍ନ, ଆହାର ଓ ଫିଜିଓଥେରାପି ପଦ୍ଧତି ଓ କର୍କଟ ଗବେଷଣା ଉପରେ ଗୁରୁତ୍ୱ ଦେବ ବୋଲି ପ୍ରଫେସର ମହାନ୍ତି ପ୍ରକାଶ କରିଛନ୍ତି। କିମ୍‌ସ କ୍ୟାନ୍‌ସର ସେଣ୍ଟରର ଅଙ୍କୋଲୋଜି ବିଭାଗରେ ଅତ୍ୟାଧୁନିକ ଲାପାରୋସ୍କୋପିକ୍‌ ଅସ୍ତ୍ରୋପଚାର ଓ ହାରମୋନିକ୍‌ ସ୍କାଲେପଲ୍‌ ସହ ମଡ୍ୟୁଲାର୍‌ ଅସ୍ତ୍ରୋପଚାର ଗୃହ ରହିଛି। ସେହିପରି ରେଡିଏସନ୍‌ ଅଙ୍କୋଲୋଜି ବିଭାଗରେ ଦୁଇଟି ଲିନିଅର ଆକ୍‌ସିଲେରେଟର, ହାଇଡୋଜ ବ୍ରାକିଥେରାପି ଏବଂ ରେଡିଏସନ୍‌ ଥେରାପି ଉପଲବ୍ଧ ବୋଲି ସେ କହିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.