Below header

ଆସିଲା ପୁଣି ଏକ ମହାଖୁଲାସା, ଗୋଟିଏ ଆକାଉଣ୍ଟରେ ୭ ମାସରେ ଅଢେଇ କୋଟି ଟଙ୍କା ଜମା

ଆସିଲା ପୁଣି ଏକ ମହାଖୁଲାସା । ଗତକାଲି ଆମେ ଦେଖାଇଥିଲୁ ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ବ୍ରହ୍ମପୁର କୋର୍ଟପେଟାରେ ଥିବା ଆଇସିଆଇସିଆଇ ବ୍ୟାଙ୍କରେ ଥିବା ଆକାଉଣ୍ଟ। ଚଳିତ ଆର୍ଥିକ ବର୍ଷର ଏହି ଗୋଟିଏ ଆକାଉଣ୍ଟରେ ୭ ମାସରେ ଜମା ହୋଇଥିଲା ଅଢେଇ କୋଟି ଟଙ୍କା। ସେଥିରେ ଅଗଷ୍ଟ ୨୭ରେ, ସୂର୍ଯ୍ୟ ଫିଲିଂ ଷ୍ଟେସନରୁ ୪୦ ଲକ୍ଷ ଟଙ୍କା ଆସିଥିଲା। ଆଜି ସୂର୍ଯ୍ୟ ଫିଲିଂ ଷ୍ଟେସନ ସମ୍ପର୍କରେ ମିଳିଛି ରୋଚକ ତଥ୍ୟ। ଅଗଷ୍ଟ ୨୭ରେ, ସୂର୍ଯ୍ୟ ଫିଲିଂ ଷ୍ଟେସନର ମାଲିକ ସୂର୍ଯ୍ୟ ସାହୁଙ୍କ ଆକାଉଣ୍ଟରେ ନଗଦ ୪୦ ଲକ୍ଷ ଟଙ୍କା ଜମା ହୋଇଥିଲା।

ସେହି ଦିନ ହିଁ ସେହି ୪୦ ଲକ୍ଷ ବ୍ୟାଙ୍କ ଟ୍ରାନ୍‌ସଫର ହୋଇଛି, ପ୍ରଦୀପଙ୍କ ଆକାଉଣ୍ଟକୁ। ଦେଖନ୍ତୁ ସେହି ଦିନର ସୂର୍ଯ୍ୟ ସାହୁ ଓ ପ୍ରଦୀପ ପାଣିଗ୍ରାହୀଙ୍କ ଟ୍ରାଞ୍ଜାକସନ ଷ୍ଟେଟମେଣ୍ଟ। ପ୍ରଦୀପ ପାଣିଗ୍ରାହୀ ସେହି ଅଗଷ୍ଟ ୨୭ରେ ୫ ଥରରେ ଅନ୍ୟ ପାଖକୁ ୨୯ ଲକ୍ଷ ଟଙ୍କା ପଠାଇଛନ୍ତି। ଭଲରେ ଦେଖନ୍ତୁ ଏହି ବ୍ୟାଙ୍କ ଟ୍ରାଞ୍ଜାକ୍‌ସନ, ତିନି ଥର ମୁମ୍ବାଇ ଉଲ୍ଲେଖ ଥିବା ବେଳେ ୧୦ ଲକ୍ଷ ଟଙ୍କା ଯାଇଛି ଆକାଶ ପାଠକଙ୍କ ଆକାଉଣ୍ଟକୁ। ପ୍ରକୃତରେ ସୂର୍ଯ୍ୟ ସାହୁ କିଏ। ସାଂସଦ ଅମର ପଟ୍ଟନାୟକ ଟ୍ଵିଟ୍‌ କରିଛନ୍ତି ସୂର୍ଯ୍ୟ ଫିଲିଂ ଷ୍ଟେସନର ମାଲିକ ଥିବା ସୂର୍ଯ୍ୟ ସାହୁ ଜଣେ ମଦ ବାରୁନ। ସେ କାହିଁକି ୪୦ ଲକ୍ଷ ଡିପୋଜିଟ୍‌ କରିଥିଲେ। ଗତକାଲି ପ୍ରଦୀପ କହିଥିଲେ ସୂର୍ଯ୍ୟ ସାହୁ ତାଙ୍କ ଗାଁ ପିଲା।

ଗାଁ ପିଲା ୪୦ ଲକ୍ଷ କେଉଁଠୁ ଆଣିଲେ କାହିଁକି ଦେଲେ, ତା ଉତ୍ତର ପ୍ରଦୀପଙ୍କ ପାଖରେ ନଥିଲା। ପ୍ରଦୀପ ଏପରି କାରବାର ଥରେ ହୋଇ ନାହିଁ। ସେପ୍ଟେମ୍ବର ୨ ତାରିଖର ଟ୍ରାଞ୍ଜାକସନ ଦେଖନ୍ତୁ। ପ୍ରଥମେ ପ୍ରଦୀପ ଆକାଉଣ୍ଟକୁ ୧୦ ଲକ୍ଷ ଟଙ୍କା ଆସିଲା। ସେ ଏହି ଟଙ୍କା ସେହି ଦିନ ଆକାଶ ପାଠକଙ୍କୁ ପଠାଇଦେଲେ। ସେହି ଦିନ ଗୁରୁମୂର୍ତ୍ତି ଅଏଲରୁ ପ୍ରଦୀପଙ୍କ ପାଖକୁ ଆସିଲା ୪୦ ଲକ୍ଷ ଟଙ୍କା। ତୁରନ୍ତ ସେହି ୪୦ ଲକ୍ଷ ପଠାଗଲା ଆକାଶ ପାଠକଙ୍କ ଆକାଉଣ୍ଟକୁ। ଏପରି ଟ୍ରାଞ୍ଜାକସନ କଣ ପାଇଁ । ଟଙ୍କା କାରବାର ଏ ଚକ୍ରବ୍ୟୂହ କାହିଁକି। ମନିଲଣ୍ଡରିଂ ନୁହଁ ତ ?

ପ୍ରଦୀପଙ୍କ କାରବାର ପଦାକୁ ଆସିବା ପରେ ଇଡି ସ୍କାନରକୁ ଆସିଯାଇଛନ୍ତି ଗିରଫ ବିଧାୟକ। ପାଠକ ପିତାପୁତ୍ରଙ୍କ ସହ ଲିଙ୍କ୍‌ ଖୋଜିବ। ପ୍ରଦୀପ ପାଣିଗ୍ରାହୀଙ୍କ ବ୍ୟାଙ୍କ ଆକାଉଣ୍ଟ ଓ ଜମିର ଛାନଭିନ ଆରମ୍ଭ ହୋଇଛି। ଆକାଉଣ୍ଟ ତଥ୍ୟ ଦେବାକୁ ବ୍ୟାଙ୍କଗୁଡିକ ସହ ପ୍ରଦୀପଙ୍କ ନାଁରେ ଥିବା ନାମୀ-ବେନାମୀ ସମ୍ପତ୍ତିର ତାଲିକା ପାଇଁ ସବ୍‌ରେଜିଷ୍ଟ୍ରାରଙ୍କୁ ଚିଠି ଲେଖିଛି ଇଡି। ଟଙ୍କା ଦେଇଥିବା ବ୍ୟକ୍ତି ମଧ୍ୟ ତଦନ୍ତର ପରିସରଭୁକ୍ତ ହେବେ। ସୋରଡାରେ ଥିବା ଜମିକୁ ନେଇ ମଧ୍ୟ ଯାଞ୍ଚ ହେବ। ଅଭୟକାନ୍ତ ପାଠକ ସହ ପ୍ରଦୀପ ପାଣିଗ୍ରାହୀଙ୍କୁ ନେଇ ଦୁଇଟି ମାମଲା କରିପାରେ ଇଡି।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.