ଓଡ଼ିଶା ନିକଟତର ହେଉଛି ବାତ୍ୟା , ଗୋପାଳପୁରଠାରୁ ଦକ୍ଷିଣ-ଦକ୍ଷିଣ ପଶ୍ଚିମ ଓ ପୁରୀଠାରୁ ଦକ୍ଷିଣ ପଶ୍ଚିମରେ କେନ୍ଦ୍ରୀଭୂତ ରହିଛି ‘ଅସାନି’

ଭୁବନେଶ୍ୱର (କେନ୍ୟୁଜ): ବଙ୍ଗୋପସାଗରରେ ଆଗକୁ ବଢୁଛି ଭୀଷଣ ବାତ୍ୟା ଅସାନି । ଏବେ ଆନ୍ଧ୍ର ଉପକୂଳ ମୁହାଁ ହୋଇଛି । ଘଣ୍ଟାପ୍ରତି ୨୫ କିଲୋମିଟର ବେଗରେ ଗତି କରୁଛି ସିଭିୟର ସାଇକ୍ଲୋନିକ୍‌ ଷ୍ଟର୍ମ । କାଲି ସକାଳେ ଭୀଷଣ ବାତ୍ୟା କାକିନାଡା-ବିଶାଖାପାଟଣା ଉପକୂଳରେ ପହଞ୍ଚିବ । ପରବର୍ତ୍ତୀ ସମୟରେ ବାତ୍ୟା ଉତ୍ତର ଆନ୍ଧ୍ର ଏବଂ ଓଡ଼ିଶା ଉପକୂଳ ମୁହାଁ ହେବା ସମ୍ଭାବନା ରହିଛି । ବାତ୍ୟା ପାଇଁ ଆନ୍ଧ୍ର ଉପକୂଳକୁ ରେଡ୍‌ ଓ୍ଵାର୍ଣ୍ଣିଂ ଜାରି ହୋଇଛି । ୧୨ ତାରିଖ ସକାଳ ସୁଦ୍ଧା ଓଡ଼ିଶା ଉପକୂଳ ଅତିକ୍ରମ କରିବା ବେଳେ ବାତ୍ୟା ଅବପାତର ରୂପ ନେଇଥିବ ବୋଲି କହିଛି ଭାରତୀୟ ପାଣିପାଗ ବିଭାଗ ।

ଏବେ ଗୋପାଳପୁରଠାରୁ ଦକ୍ଷିଣ-ଦକ୍ଷିଣ ପଶ୍ଚିମ ଓ ପୁରୀଠାରୁ ଦକ୍ଷିଣ ପଶ୍ଚିମରେ କେନ୍ଦ୍ରୀଭୂତ ରହିଛି ବାତ୍ୟା । ଆଜି ରାତି ଯାଏ ଉତ୍ତର-ପଶ୍ଚିମ ଦିଗରେ ଗତି ଜାରି ରଖିବ । କାଲି ସକାଳେ କାକିନାଡ଼ା ଓ ବିଶାଖାପାଟଣା ଉପକୂଳ ନିକଟରେ ପହଞ୍ଚିବ ଅସାନି । ତାପରେ ଦିଗ ବଦଳାଇବ । ଉତ୍ତର-ଉତ୍ତର-ପୂର୍ବ ଦିଗରେ ଆଗକୁ ବଢିବ । ଉତ୍ତର ଆନ୍ଧ୍ର ଓ ଓଡ଼ିଶା ଉପକୂଳର ସମାନ୍ତରାଳ ଭାବରେ ଅତିକ୍ରମ କରିବ ବାତ୍ୟା । ଭୀଷଣ ବାତ୍ୟା ଆସନ୍ତା ୨୪ ଘଣ୍ଟାରେ ବାତ୍ୟାରେ ପରିଣତ ହେବା ସମ୍ଭାବନା ରହିଛି । ଓଡ଼ିଶା ଉପକୂଳ ପାର କରିବା ବେଳେ ଏହା ଗଭୀର ଅବପାତ ହୋଇଥିବ । ୧୨ ତାରିଖ ସକାଳେ ଗୋପାଳପୁରଠାରୁ ସମୁଦ୍ର ଭିତରେ ୭୮ କିଲୋମିଟର ଦୂରରେ ଅତିକ୍ରମ କରିବ । ବର୍ତ୍ତମାନ ଆନ୍ଧ୍ର ଉପକୂଳ ପାଇଁ ସାଇକ୍ଲୋନ୍‌ ଓ୍ଵାର୍ଣ୍ଣିଂ ଜାରି କରିଛି ଭାରତୀୟ ପାଣିପାଗ ବିଭାଗ । ସମୁଦ୍ରରେ ଅଧା ମିଟର ଉଚ୍ଚରେ ଲହଡ଼ି ଆସିବ । ଏଥିପାଇଁ କ୍ରିଷ୍ଣା, ଇଷ୍ଟ ଏଣ୍ଡ େଓ୍ଵଷ୍ଟ ଗୋଦାବରୀ, ବିଶାଖାପାଟଣା ଜିଲ୍ଲାକୁ ଆଲର୍ଟ କରାଯାଇଛି ।

ବାତ୍ୟା ପ୍ରଭାବରେ ଉପକୂଳ ଓଡ଼ିଶା ଜିଲ୍ଲାରେ ବର୍ଷା ପବନ ହେବ । ୧୨ ତାରିଖ ଯାଏ ଓଡ଼ିଶା ଉପକୂଳରେ ଘଣ୍ଟାପ୍ରତି ୪୦ରୁ ୫୦ କି.ମି ଓ ସର୍ବାଧିକ ୬୦ କିଲୋମିଟର ବେଗରେ ପବନ ବହିବ । ଆସନ୍ତା ୨୪ ଘଣ୍ଟାରେ ମାଲକାନଗିରି, କୋରାପୁଟ, ଗଜପତି, ଗଞ୍ଜାମ ଓ ପୁରୀ ଜିଲ୍ଲାରେ ପ୍ରବଳ ବର୍ଷା ହେବ । ଆସନ୍ତାକାଲି ଗଜପତି, ଗଞ୍ଜାମ ଓ ପୁରୀ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା ରହିଛି । ସେହିପରି କୋରାପୁଟ, ରାୟଗଡ଼ା, ଖୋର୍ଦ୍ଧା, ଜଗତସିଂହପୁର ଓ କଟକରେ ପ୍ରବଳ ବର୍ଷିବ । ୧୨ ତାରିଖରେ ବର୍ଷା ପାଇଁ ପୁରୀ, ଜଗତସିଂହପୁର, କଟକ, କେନ୍ଦ୍ରାପଡ଼ା, ଭଦ୍ରକ ଓ ବାଲେଶ୍ୱର ଜିଲ୍ଲାକୁ ୟେଲୋ ଓ୍ଵାର୍ଣ୍ଣିଂ ଜାରି ହୋଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.