Below header

ସ୍ୱାସ୍ଥ୍ୟସେବାର ବିକଳ ଚିତ୍ର, ଟ୍ରଲିରେ ବୋହି ହସ୍ପିଟାଲକୁ ନେଉଥିବା ସମୟରେ ରାସ୍ତାରେ ପ୍ରସବ କଲେ ପ୍ରସୂତି

ମହିଳାଙ୍କ ପ୍ରସବ ବେଦନା ହେବାରୁ ବାରମ୍ବାର ଆମ୍ବୁଲାନ୍ସକୁ ଫୋନ କରି ବିଫଳ ହେବାପରେ ପ୍ରସୂତିଙ୍କୁ ଟ୍ରଲିରେ ବୋହି ଆଣୁଥିବା ସମୟରେ ନୂଆବଜାର ରାଜରାସ୍ତାରେ ମହିଳା ଜଣଙ୍କ ପ୍ରସବ କରିଛନ୍ତି ।

ପାରାଦ୍ୱୀପ(କେନ୍ୟୁଜ): ବନ୍ଦରନଗରୀ ପାରାଦ୍ୱୀପରେ ଦେଖିବାକୁ ମିଳିଛି ସ୍ୱାସ୍ଥ୍ୟସେବାର ବିକଳ ଚିତ୍ର । ମହିଳାଙ୍କ ପ୍ରସବ ବେଦନା ହେବାରୁ ବାରମ୍ବାର ଆମ୍ବୁଲାନ୍ସକୁ ଫୋନ କରି ବିଫଳ ହେବାପରେ ପ୍ରସୂତିଙ୍କୁ ଟ୍ରଲିରେ ବୋହି ଆଣୁଥିବା ସମୟରେ ନୂଆବଜାର ରାଜରାସ୍ତାରେ ମହିଳା ଜଣଙ୍କ ପ୍ରସବ କରିଛନ୍ତି । ଯାହା ସାଧାରଣ ଲୋକଙ୍କୁ ଆଶ୍ଚର୍ଯ୍ୟ କରିଛି । ଶିଳ୍ପସମୃଦ୍ଧ ପାରାଦ୍ୱୀପ ଅଞ୍ଚଳରେ ମହିଳା ଜଣକ ପିଲା ଜନ୍ମ କରିବାର ଏକଘଣ୍ଟା ପରେ ପାରାଦ୍ୱୀପ ବନ୍ଦର ହସ୍ପିଟାଲର ଆମ୍ବୁଲାନ୍ସ ପହଞ୍ଚି ମା’ ଓ ପିଲାକୁ ଅଠରବାଙ୍କୀ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ଆଣିଥିଲା । ତେବେ ମା’ ଓ ଶିଶୁ ଉଭୟ ସୁସ୍ଥ ରହିଥିବା ନେଇ ଡାକ୍ତର କହିଛନ୍ତି ।

ସୂଚନା ମୁତାବକ ଭୋର ସମୟରେ ପାରାଦ୍ୱୀପ ମ୍ୟୁନିସିପାଲିଟି ଷଣ୍ଢକୁଦରେ ରହୁଥିବା ସରଫାତ ଖାଁଙ୍କ ପତ୍ନୀ ସଲାମୁନ ଖାତୁନଙ୍କ ପ୍ରସବ ବେଦନା ହେବାରୁ ୧୦୮ କୁ ଫୋନ କରାଯାଇଥିଲା । କିନ୍ତୁ ଆମ୍ବୁଲାନ୍ସ ନଆସିବାରୁ ଟ୍ରଲି ସାହାଯ୍ୟରେ ମହିଳାଙ୍କୁ ମେଡିକାଲ ନେଉଥିଲେ ପରିବାର ଲୋକ । ଏହି ସମୟରେ ନୂଆବଜାର ଛକରେ ସଲାମୁନଙ୍କ ପ୍ରସବ ଯନ୍ତ୍ରଣା ଅସହ୍ୟ ହୋଇପଡିଥିଲା । ତେଣୁ ସ୍ଥାନୀୟ ମହିଳାମାନେ ନିକଟରେ ଥିବା ଜଣେ ଆଶାକର୍ମୀଙ୍କୁ ଡାକିବା ସହିତ ଟ୍ରଲିରେ ଲୁଗା ଢାଙ୍କି ମହିଳାଙ୍କ ପ୍ରସବ କରାଇଥିଲେ । କିଛି ସମୟ ପରେ ଆମ୍ବୁଲାନ୍ସ ପହଞ୍ଚି ମା’ ଓ ପିଲାକୁ ହସ୍ପିଟାଲ ନେଇଥିଲା । ମା’ ଓ ପିଲା ଉଭୟ ସୁସ୍ଥ ରହିଥିବା ନେଇ ଅଠରବାଙ୍କୀ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ଡାକ୍ତର ସୂଚନା ଦେଇଥିଲେ ।

ସ୍ୱାସ୍ଥ୍ୟ ସେବାକୁ ନେଇ ସରକାର କେତେ କଣ ଯୋଜନା କରୁଛନ୍ତି । କିନ୍ତୁ ଅନେକ ସ୍ଥାନରେ ସ୍ୱାସ୍ଥ୍ୟ ସେବାରେ ଏଭଳି ଅବହେଳା ଅନେକ ଲୋକଙ୍କୁ ହତାଶ କରୁଛି । ଜରୁରୀ ସମୟରେ ଯଦି ଲୋକଙ୍କୁ ସ୍ୱାସ୍ଥ୍ୟ ସେବା ନମିଳିବ ତେବେ ସେମାନେ କାହା ଉପରେ ବା ଭରସା କରିବେ । ତେବେ ଏଭଳି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ଜୋର ଧରିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.