Below header

ଆସନ୍ତାକାଲି ଷଷ୍ଠ ପର୍ଯ୍ୟାୟ ଭୋଟିଂ : ଦିଲ୍ଲୀ, ୟୁପି, ହରିୟାଣ ସହ ୭ ରାଜ୍ୟର ୫୯ ଆସନ ପାଇଁ ହେବ ମତଦାନ

ଆସନ୍ତାକାଲି ଷଷ୍ଠ ପର‌୍ୟ୍ୟାୟ ମତଦାନ । ୭ ରାଜ୍ୟର ୫୯ ଆସନ ପାଇଁ ହେବ ଭୋଟିଂ । ଏହି ପର‌୍ୟ୍ୟାୟରେ ବହୁ କେନ୍ଦ୍ରମନ୍ତ୍ରୀ, ୪ ପୂର୍ବତନ ମୁଖ୍ୟମନ୍ତ୍ରୀ, ସ୍ପୋର୍ଟସ ଷ୍ଟାର ଓ ଭୋଜପୁରୀ ସିନେଷ୍ଟାର ମୈଦାନରେ ଅଛନ୍ତି । ତେବେ ଏହି ୫୯ ଆସନ ବିଜେପି ପାଇଁ ବେଶ ଗୁରୁତ୍ୱପୂର୍ଣ୍ଣ । କାରଣ ୨୦୧୪ ନିର୍ବାଚନରେ ଏଠାରୁ ୪୫ ଆସନ ଜିତିଥିଲା ବିଜେପି ।

ଷଷ୍ଠ ପର‌୍ୟ୍ୟାୟରେ ପୁଣି ବିଜେପି ପାଇଁ ଅଗ୍ନି ପରୀକ୍ଷା। ୭ ରାଜ୍ୟର ୫୯ ଆସନ ପାଇଁ କାଲି ଭୋଟିଂ। ୨୦୧୪ରେ ଏହି ୫୯ ଆସନରୁ ବିଜେପି ୪୫ଟି ସିଟ୍ରେ ଜିତିଥିଲା। ଟିଏମ୍ସି ୮, କଂଗ୍ରେସ ୨, ଏସ୍ପି ଓ ଏଲ୍ଜେପି ଗୋଟିଏ ଲେଖାଏଁ ସିଟ୍ ଜିତିଥିଲେ। କାଲି ବିହାରର ୮, ହରିୟାଣାର ୧୦, ଝାଡ଼ଖଣ୍ଡର ୪, କେରଳର ୮, ଉତ୍ତରପ୍ରଦେଶର ୧୪, ପଶ୍ଚିମବଙ୍ଗର ୮ ଓ ଦିଲ୍ଲୀର ସମସ୍ତ ୭ଟି ଆସନ ପାଇଁ ଭୋଟିଂ ହେବ।

congress and bjp

ଦିଲ୍ଲୀରେ ୨୦୧୪ରେ ସମସ୍ତ ୭ ଆସନ ଜିତିଥିଲା ବିଜେପି। ଏଥର ଦିଲ୍ଲୀରେ ୭ ଆସନ ପାଇଁ ତ୍ରିମୁଖୀ ଲଢେଇ। ଆପ୍-କଂଗ୍ରେସ ମେଣ୍ଟ ହୋଇ ପାରିଲାନି। ତେଣୁ ବିଜେପି-ଆପ୍-କଂଗ୍ରେସ ପ୍ରାର୍ଥୀ ପରସ୍ପର ବିରୋଧରେ ଲଢୁଛନ୍ତି। ପ୍ରମୁଖ ପ୍ରାର୍ଥୀଙ୍କ ମଧ୍ୟରେ ଅଛନ୍ତି ଦିଲ୍ଲୀର ତିନି ଥରର ମୁଖ୍ୟମନ୍ତ୍ରୀ ଥିବା ଶିଲା ଦୀକ୍ଷିତ । ସେ ନର୍ଥ ଇଷ୍ଟ ଦିଲ୍ଲୀରୁ କଂଗ୍ରେସ ପ୍ରାର୍ଥୀ ଅଛନ୍ତି । ସେଠାରୁ ବିଜେପି ପ୍ରାର୍ଥୀ ଅଛନ୍ତି ମନୋଜ ତିୱାରୀ ଓ ଆପ୍ର ଦିଲ୍ଲୀପ ପାଣ୍ଡେ । ନୂଆ ଦିଲ୍ଲୀ ସିଟ୍ରୁ ବିଜେପି ପ୍ରାର୍ଥୀ ଅଛନ୍ତି ମୀନାକ୍ଷୀ ଲେଖି, କଂଗ୍ରେସର ଅଜୟ ମାକନ ଓ ଆପ୍ର ବ୍ରିଜେଶ ଗୋୟଲ । ଅନ୍ୟ ପ୍ରମୁଖ ପ୍ରାର୍ଥୀଙ୍କ ମଧ୍ୟରେ ଚାନ୍ଦିନୀଚୌକରୁ ବିଜେପି ପ୍ରାର୍ଥୀ ଅଛନ୍ତି କେନ୍ଦ୍ରମନ୍ତ୍ରୀ ହର୍ଷ ବର୍ଦ୍ଧନ। ଇଷ୍ଟ ଦିଲ୍ଲୀରୁ ବିଜେପି ପ୍ରାର୍ଥୀ ଅଛନ୍ତି କ୍ରିକେଟର ଗୌତମ ଗମ୍ଭୀର ଓ ତାଙ୍କ ବିରୋଧରେ ପ୍ରାର୍ଥୀ ଅଛନ୍ତି ଆପ୍ର ଅତିଶୀ ମାର୍ଲେନା। ଦକ୍ଷିଣ ଦିଲ୍ଲୀରୁ କଂଗ୍ରେସ ପ୍ରାର୍ଥୀ ଅଛନ୍ତି ବକ୍ସର ତଥା ଅଲିମ୍ପିକ୍ସ ମେଡାଲ ବିଜେତା ବିଜେନ୍ଦର ସିଂହ।

ଉତ୍ତରପ୍ରଦେଶ କାଲି ଭୋଟିଂ ହେବାକୁ ଥିବା ୧୪ ଆସନରୁ ୧୩ଟି ଜିତିଥିଲା ବିଜେପି। କେବଳ ଆଜମଗଡ଼ରୁ ଜିତିଥିଲେ ମୁଲାୟମ ସିଂହ ଯାଦବ। ଏଥର ଆଜମଗଡ଼ରୁ ଏସ୍ପି ପ୍ରାର୍ଥୀ ଅଛନ୍ତି ମୁଲାୟମଙ୍କ ପୁଅ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଅଖିଲେଶ ଯାଦବ। ତାଙ୍କ ବିରୋଧରେ ବିଜେପି ପ୍ରାର୍ଥୀ ଅଛନ୍ତି ଭୋଜପୁରୀ ସିନେମାର ସୁପର ଷ୍ଟାର ଦୀନେଶ ଲାଲ ଯାଦବ ଓରଫ ନିରହୁଆ। ଏଠାରେ କଂଗ୍ରେସ ପ୍ରାର୍ଥୀ ଦେଇ ନାହିଁ। ସେହିପରି ସୁଲତାନପୁରରେ ପ୍ରାର୍ଥୀ ଅଛନ୍ତି କେନ୍ଦ୍ରମନ୍ତ୍ରୀ ମାନେକା ଗାନ୍ଧି। ୨୦୧୪ରେ ସେ ପିଲଭିଟରୁ ଜିତିଥିଲେ। ଏଥର ସେ ପିଲଭିଟ୍ ଛାଡି ସୁଲତାନପୁରରୁ ନିର୍ବାଚନ ଲଢୁଛନ୍ତି। ଏଠାରେ କଂଗ୍ରେସ ପ୍ରାର୍ଥୀ ଅଛନ୍ତି ସଞ୍ଜୟ ସିଂହ ଓ ବିଏସ୍ପି ପ୍ରାର୍ଥୀ ଅଛନ୍ତି ଚନ୍ଦ୍ରଭଦ୍ର ସିଂହ।

ମଧ୍ୟପ୍ରଦେଶରେ ମଧ୍ୟ କାଲି ୮ ଆସନ ପାଇଁ ଭୋଟି ହେବ। ୨୦୧୪ରେ ବିଜେପି ଏଥିରୁ ଜିତିଥିଲା ୭ଟି। କେବଳ ଗୋଟିଏ ଗୁନାକୁ ଜିତିଥିଲା କଂଗ୍ରେସ। ଏଥର ଭୋପାଳ ହାଇ ପ୍ରୋଫାଇଲ ଆସନ ହୋଇ ଯାଇଛି। ଏଠାରେ କଂଗ୍ରେସ ପ୍ରାର୍ଥୀ ଅଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ଦିଗବିଜୟ ସିଂହ। ବିଜେପି ପ୍ରାର୍ଥୀ ଅଛନ୍ତି ମାଲେଗାଁଓ ବିସ୍ଫୋରଣର ଅଭିଯୁକ୍ତ ପ୍ରଜ୍ଞା ସିଂହ ଠାକୁର। ରାଜ୍ୟର ଗୁନାରେ ପୁଣି କଂଗ୍ରେସ ପ୍ରାର୍ଥୀ ଅଛନ୍ତି ଜ୍ୟୋତିରାଦିତ୍ୟ ସିନ୍ଧିଆ। ମୋରେନାରୁ ପ୍ରାର୍ଥୀ ଅଛନ୍ତି କେନ୍ଦ୍ରମନ୍ତ୍ରୀ ନରେନ୍ଦ୍ର ସିଂହ ତୋମର।

bjp_congress

ହରିୟାଣାରେ ୧୦ ଆସନରେ ହାଇ ଭୋଲଟେଜ୍ ଫାଇଟ୍। ୨୦୧୪ରେ ୭ଟି ଆସନ ଜିତିଥିଲା ବିଜେପି। ଆଏନ୍ଏଲଡି ଦୁଇଟି ଓ କଂଗ୍ରେସ ଗୋଟିଏ ଆସନ ଜିତିଥିଲା। ଏଥର ରୋହତକ-ସୋନିପତରେ ପିତାପୁତ୍ର ପ୍ରାର୍ଥୀ ଅଛନ୍ତି । ରୋହତକରୁ କଂଗ୍ରେସ ପ୍ରାର୍ଥୀ ଅଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ଭୁପେନ୍ଦ୍ର ସିଂହ ହୁଡା ଓ ସୋନିପତରେ କଂଗ୍ରେସ ପ୍ରାର୍ଥୀ ତାଙ୍କ ପୁଅ ଦୀପେନ୍ଦ୍ର ସିଂହ ହୁଡା। ଦୁଇ କେନ୍ଦ୍ରମନ୍ତ୍ରୀଙ୍କ ଭାଗ୍ୟ ନିର୍ଦ୍ଧାରଣ ହେବ ଏହି ପର‌୍ୟ୍ୟାୟରେ। ଫରିଦାବାଦରୁ ଲଢୁଛନ୍ତି କ୍ରିଷ୍ଣପାଲ ଗୁଜର ଓ ଗୁରୁଗ୍ରାମରୁ ରାଓ ଇନ୍ଦ୍ରଜିତ ସିଂହ।.. ହିସାରରେ ଦେଖିବାକୁ ମିଳୁଛି ପରିବାର ରାଜନୀତି। ଏଠାରେ ଜନନାୟକ ଜନତା ପାର୍ଟିର ପ୍ରାର୍ଥୀ ଅଛନ୍ତି ବର୍ତ୍ତମାନର ସାଂସଦ ଦୁଶ୍ୟନ୍ତ ଚୌତାଲା। ପୂର୍ବତନ ଉପ ପ୍ରଧାନମନ୍ତ୍ରୀ ଦେବୀଲାଲଙ୍କ ନାତି ଦୁଶ୍ୟନ୍ତ ଚୌତାଲା। ତାଙ୍କ ବିପକ୍ଷରେ ଅଛନ୍ତି କେନ୍ଦ୍ର ମନ୍ତ୍ରୀ ବୀରେନ୍ଦ୍ର ସିଂହଙ୍କ ପୁଅ ବ୍ରିଜେନ୍ଦ୍ର ସିଂହ। କଂଗ୍ରେସ ପ୍ରାର୍ଥୀ ଅଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ଭଜନ ଲାଲଙ୍କ ନାତି ଭବ୍ୟ ବିଷ୍ଣୋୟୀ।

ବିହାରର ୮ଟି ସିଟ୍ ପାଇଁ ହେବ ମତଦାନ। ୨୦୧୪ରେ ସମସ୍ତ ୮ ଆସନ ଜିତିଥିଲା ଏନ୍ଡିଏ। ବିହାରରେ ପ୍ରମୁଖ ପ୍ରାର୍ଥୀଙ୍କ ମଧ୍ୟରେ ଅଛନ୍ତି କେନ୍ଦ୍ରମନ୍ତ୍ରୀ ରାଧାମୋହନ ସିଂହ। ପୂର୍ବ ଚମ୍ପାରନରୁ ସେ ପ୍ରାର୍ଥୀ ଅଛନ୍ତି। ସେହିପରି ଝାଡ଼ଖଣ୍ଡରେ ପ୍ରମୁଖ ପ୍ରାର୍ଥୀଙ୍କ ମଧ୍ୟରେ ଅଛନ୍ତି କୀର୍ତ୍ତି ଆଜାଦ। ପୂର୍ବତନ ବିଜେପି ନେତା ତଥା କ୍ରିକେଟର କୀର୍ତ୍ତି ଆଜାଦ ଏବେ ଧନବାଦରୁ କଂଗ୍ରେସ ପ୍ରାର୍ଥୀ ଅଛନ୍ତି। ପଶ୍ଚିମବଙ୍ଗରେ ଯେଉଁ ୮ ଆସନ ପାଇଁ ମତଦାନ ହେବ ୨୦୧୪ରେ ସବୁ ଆସନ ଜିତିଥିଲା ତୃଣମୂଳ କଂଗ୍ରେସ। ଏବେ ମମତା ଦିଦିଙ୍କ ଆଗରେ ଏହି ଆସନଗୁଡିକୁ ବଞ୍ଚାଇ ରଖିବାକୁ କଡ଼ା ମୁକାବିଲା କରିବାକୁ ପଡୁଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.