ଫନିରେ ଲୋକଙ୍କୁ ସାହାଯ୍ୟ କରି ଗୋଡ ହରାଇଥିବା ଲକ୍ଷ୍ମୀଧରଙ୍କୁ ଭେଟିଲେ ଡ. ଅଚ୍ୟୁତ ସାମନ୍ତ, ସହାୟତା କଲେ

ବାତ୍ୟା ଫନିରେ ଅନ୍ୟମାନଙ୍କୁ ବଞ୍ଚାଇ ନିଜର ଗୋଡ ହରାଇଥିବା ପୁରୀ ଜିଲ୍ଲା ଚନ୍ଦନପୁର ଥାନା ତଳଜଙ୍ଗ ପଞ୍ଚାୟତ ନଈକୂଳ ସାହିର ଲକ୍ଷ୍ମୀଧର ଜେନାଙ୍କୁ ଭେଟିଛନ୍ତି କିଟ, କିସ ପ୍ରତିଷ୍ଠାତା ତଥା ରାଜ୍ୟସଭା ସାଂସଦ ଡ.ଅଚ୍ୟୁତ ସାମନ୍ତ । ଶନିବାର ଡକ୍ଟର ସାମନ୍ତ ସମାଜ ଖବରକାଗଜରୁ ଏ ସଂପର୍କିତ ଖବର ଜାଣିବା ପରେ ବ୍ୟକ୍ତିଗତ ଭାବେ ଲକ୍ଷ୍ମୀଧର ଚିକିତ୍ସିତ ହେଉଥିବା ଡାକ୍ତରଖାନାକୁ ଯାଇ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ପଚାରି ବୁଝିଥିଲେ । ଲକ୍ଷ୍ମୀଧରଙ୍କ ଗୋଟିଏ ଗୋଡ କଟି ଯାଇଥିବାରୁ ଡକ୍ଟର ସାମନ୍ତ ତାଙ୍କର ଚିକିତ୍ସା ପାଇଁ ନିଜ ଦରମାରୁ ୨ ଲକ୍ଷ ଟଙ୍କାର ସହାୟତା ରାଶି ପ୍ରଦାନ କରିଥିଲେ ।

ଲକ୍ଷ୍ମୀଧରଙ୍କ ଚିକିତ୍ସା ପାଇଁ ଅଧିକ ଅର୍ଥ ଆବଶ୍ୟକ ହେଲେ ଏହାକୁ ବହନ କରିବେ ବୋଲି ଡକ୍ଟର ସାମନ୍ତ ପ୍ରତିଶ୍ରୁତି ଦେଇଛନ୍ତି । ମେ ୩ ତାରିଖ ଫନି ଆସିବା ପୂର୍ବରୁ ଗାଁର ବୃଦ୍ଧ, ବୃଦ୍ଧା, ରୋଗୀ, ମହିଳା ଓ ପିଲାଙ୍କୁ ଆଶ୍ରୟସ୍ଥଳକୁ ନେଉଥିଲେ ଲକ୍ଷ୍ମୀଧର । ଏହି ସମୟରେ ହଠାତ ଏକ ଗଛର ଡାଳ ଭାଙ୍ଗି ଗୋଡରେ ମାଡ ହେବାରୁ ସେ ଛିଟିକି ପଡି ଗୁରୁତର ହୋଇଥିଲେ । ଲକ୍ଷ୍ମୀଧରଙ୍କୁ ସହାୟତାର ହାତ ବଢାଇଥିବାରୁ ନଈକୂଳ ସାହି ତଥା ତଳଜଙ୍ଗ ପଞ୍ଚାୟତର ଲୋକେ ଡକ୍ଟର ଅଚ୍ୟୁତ ସାମନ୍ତଙ୍କୁ କୃତଜ୍ଞତା ଜଣାଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.