Below header

୨୭ରେ ଖୋଲିବ ଶ୍ରୀଲିଙ୍ଗରାଜ ମନ୍ଦିର, କ’ଣ ରହିବ କଟକଣା ଜାଣନ୍ତୁ

କେନ୍ୟୁଜ ବ୍ୟୁରୋ : ବିଏମସି ବୈଠକରେ ଗୁରୁତ୍ୱପୂର୍ଣ ନିଷ୍ପତ୍ତି । ଆସନ୍ତା ୨୭ ତାରିଖରୁ ଖୋଲିବ ଭୁବନେଶ୍ୱର ଲିଙ୍ଗରାଜ ମନ୍ଦିର । ୨୭ରୁ ୩୧ ତାରିଖ ପର୍ଯ୍ୟନ୍ତ ସେବାୟତ ଓ ତାଙ୍କ ପରିବାର ବର୍ଗଙ୍କୁ ଦର୍ଶନ ପାଇଁ ସୁଯୋଗ ମିଳିବ । ନୂଆବର୍ଷ ଓ ତାର ପରଦିନ ଅର୍ଥାତ ଜାନୁଆରୀ ୧ ଓ ୨ ତାରିଖରେ ଦର୍ଶନ ବନ୍ଦ ରହିବ । ପୁଣି ୩ ତାରିଖରୁ ଦର୍ଶନ ଆରମ୍ଭ ହେବ । ୩ରୁ ୫ ତାରିଖ ଯାଏ ଭୁବନେଶ୍ୱର ବାସିନ୍ଦା ଓ ତାର ଆଖପାଖ ଲୋକ ଦର୍ଶନ କରିବାର ସୁଯୋଗ ପାଇବେ । ଜାନୁଆରୀ ୬ ତାରିଖରୁ ସମସ୍ତଙ୍କ ପାଇଁ ମନ୍ଦିର ଦର୍ଶନ ଆରମ୍ଭ ହେବ । ପ୍ରତ୍ୟେକ ଦିନ ୫ ଶହ ଲୋକ ଦର୍ଶନ କରିପାରିବେ । ସମସ୍ତ କ୍ଷେତ୍ରରେ କୋଭିଡ ଗାଇଡ୍‌ ଲାଇନ୍‌ ପାଳନ କରାଯିବ । ସେହିପରି କପିଳେଶ୍ୱର ମନ୍ଦିରକୁ ମଧ୍ୟ ଖୋଲିବା ନେଇ ନିଷ୍ପତ୍ତି ହୋଇଛି ।

ତେବେ ମନ୍ଦିର ଆସିବା ପୂର୍ବରୁ ସମସ୍ତେ କୋଭିଡ୍‌ ନେଗେଟିଭ ରିପୋର୍ଟ ସାଥୀରେ ଆଣିବା ନିହାତି ଆବଶ୍ୟକ । ୩୧ ତାରିଖ ସୁଦ୍ଧା ଗର୍ଭଗୃହ ଦର୍ଶନ ବନ୍ଦ କରିବା ଲାଗି ନିଷ୍ପତ୍ତି ନିଆଯାଇଛି । ଏହି ସମୟରେ ଆଡ଼ପ ମଣ୍ଡପ ନିକଟରେ ଦର୍ଶନ କରିବେ ।

ସେହିପରି ଅନ୍ୟ ଧାର୍ମିକ ସ୍ଥଳ ମଧ୍ୟ ଖୋଲିବା ନେଇ ମିଳିଲା ଗ୍ରୀନ ସିଗ୍ନାଲ । କୋଭିଡ ଗାଇଡଲାଇନ ଅନୁସାରେ ସମସ୍ତ ଧାର୍ମିକ ସ୍ଥଳ ଖୋଲିବ । ୩ ତାରିଖ ପରେ ଏହି ସବୁ ଧାର୍ମିକ ସ୍ଥଳ ଖୋଲିବା ନେଇ ନିଷ୍ପତ୍ତି ହୋଇଛି ।

ତେବେ ବଡ଼ଦିନ ପାଳନ କରିବା ପାଇଁ ଚର୍ଚ୍ଚକୁ ଅନୁମତି ଦିଆଯିବ । ଏହା ପୂର୍ବରୁ ସମସ୍ତ ଚର୍ଚ୍ଚ ପକ୍ଷରୁ ବିଏମସି ନିକଟରେ ଆବେଦନ କରିବା ଦରକାର । କେତେ ଲୋକଙ୍କୁ ନେଇ ଚର୍ଚ୍ଚରେ ପ୍ରାର୍ଥନା କରାଯିବ ସେ ନେଇ ସବିଶେଷ ତଥ୍ୟ ସେମାନେ ବିଏମସି ନିକଟରେ ଦାଖଲ କରିବେ । ଗାଇଡ୍‌ ଲାଇନ୍‌ ଅନୁସାରେ ୨ ମିଟର ଦୂରତା ରକ୍ଷା କରି ଚର୍ଚ୍ଚରେ ପ୍ରାର୍ଥନା କରିବା ନେଇ ସତ୍ୟପାଠ ଦାଖଲ କରିବାକୁ ହେବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.