ଲିଙ୍ଗରାଜ ମନ୍ଦିର ଅଧ୍ୟାଦେଶକୁ କ୍ୟାବିନେଟ ମଞ୍ଜୁରୀ, ମନ୍ଦିର ପରିଚାଳନାକୁ ଏକ କମିଟିକୁ ଦେବାକୁ ଅଧ୍ୟାଦେଶରେ ବ୍ୟବସ୍ଥା

କେନ୍ୟୁଜ୍(ବ୍ୟୁରୋ):  ଲିଙ୍ଗରାଜ ମନ୍ଦିର ଅଧ୍ୟାଦେଶକୁ ମଞ୍ଜୁରୀ। ଆଜି ବସିଥିବା ରାଜ୍ୟ କ୍ୟାବିନେଟ ବୈଠକରେ ଲିଙ୍ଗରାଜ ଅଧ୍ୟାଦେଶକୁ ମଞ୍ଜୁରୀ ମିଳିଛି। ୨ ଡିସେମ୍ବରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ  ଲିଙ୍ଗରାଜ ମନ୍ଦିର ପରିଦର୍ଶନ କରି ସେବାୟତମାନଙ୍କ ସହ ଆଲୋଚନା କରିଥିଲେ । ଲିଙ୍ଗରାଜ ମନ୍ଦିର ପାଇଁ ସ୍ବତନ୍ତ୍ର ଆଇନ ଆଣିବାକୁ ମୁଖ୍ୟମନ୍ତ୍ରୀଙ୍କ ସେବାୟତମାନେ ଜଣାଇଥିଲେ । ମାତ୍ର ୧୨ ଦିନରେ ମୁଖ୍ୟମନ୍ତ୍ରୀ ସେବାୟତଙ୍କ ପରାମର୍ଶକୁ ଗ୍ରହଣ କରି ଏହି ଅଧ୍ୟାଦେଶ  ଆଣିଛନ୍ତି ।

ଲିଙ୍ଗରାଜ ମନ୍ଦିର, ଏହାର ସମ୍ପତ୍ତି ସହ ପରିସର ଭିତରେ ଓ ବାହାରେ ଥିବା ପବିତ୍ର ସ୍ଥାନ, ମନ୍ଦିର ଓ ମଠର ପରିଚାଳନା ଦାୟିତ୍ୱ ଏକ କମିଟିକୁ ଦିଆଯିବ। ଅଧ୍ୟାଦେଶରେ ମନ୍ଦିର ପରିଚାଳନା ପାଇଁ ବିସ୍ତୃତ ବ୍ୟବସ୍ଥା କରାଯାଇଛି। ପରିଚାଳନା କମିଟି ଗଠନ, କମିଟିର ସଭ୍ୟ ସଂଖ୍ୟା, କମିଟିର ଦାୟିତ୍ୱ ଓ କ୍ଷମତା, ମନ୍ଦିରର ସ୍ଥାବର ଓ ଅସ୍ଥାବର ସମ୍ପତ୍ତିର ସୁରକ୍ଷା ଏବଂ ପରିଚାଳନା, ସେବକମାନଙ୍କ ଭୂମିକା ଓ ଦାୟିତ୍ୱ, ମନ୍ଦିର ପାଣ୍ଠି ଗଠନ ଓ ପରିଚାଳନା ନେଇ ଅଧ୍ୟାଦେଶରେ ବ୍ୟବସ୍ଥା ରହିଛି। ବିଧାନସଭା ନଥିବାରୁ, ଅଧ୍ୟାଦେଶ ଜରିଆରେ ନୂଆ ଆଇନର ବ୍ୟବସ୍ଥା ହୋଇଛି।

ଅଧ୍ୟାଦେଶ ଆସିବା ପରେ ମନ୍ଦିରରେ ଦୀପ ଜାଳି ନିଷ୍ପତ୍ତିକୁ ସ୍ୱାଗତ କରିଛନ୍ତି ଭକ୍ତ ଓ ପୁରୁଣା ଭୁବନେଶ୍ୱରବାସୀ। ଏହାଦ୍ୱାରା ମନ୍ଦିରର ସଠିକ ପରିଚାଳନା ସହ ଭକ୍ତ ଓ ତୀର୍ଥଯାତ୍ରୀଙ୍କୁ ଉନ୍ନତମାନର ସେବା ମିଳିପାରିବ। ଲିଙ୍ଗରାଜ ମନ୍ଦିରର ସର୍ବାଙ୍ଗୀନ ଉନ୍ନତି ପାଇଁ ଏକାମ୍ର କ୍ଷେତ୍ର ଯୋଜନା କାର୍ଯ୍ୟକାରୀ ହେଉଛି। ନିକଟରେ ମୁଖ୍ୟମନ୍ତ୍ରୀ ଏକାମ୍ର କ୍ଷେତ୍ର ବିକାଶ ପ୍ରକଳ୍ପ ବୁଲି ଦେଖିଥିଲେ। ସେବାୟତଙ୍କ ସହ ଆଲୋଚନା କରିଥିଲେ। ବିନ୍ଦୁସାଗରଠାରୁ ଆରମ୍ଭ କରି ପୁରୁଣା ଭୁବନେଶ୍ୱର ଅଂଚଳରେ ଯେଉଁ ବିକାଶ କାର୍ଯ୍ୟ ହୋଇଛି ତାକୁ ନେଇ ସେବାୟତମାନେ ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଥିଲେ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.