ଅନୁଗୁଳ : ପୁଣି ଆଉଜଣେ ଯୁବତୀଙ୍କ ଆତ୍ମହତ୍ୟା ଉଦ୍ୟମ, ଟ୍ରେନ ଲାଇନରୁ ଉଦ୍ଧାର କଲେ ସ୍ଥାନୀୟ ଲୋକେ

‘ମୋ ପାଇଁ ଯଦି ଏତେ ଚିନ୍ତା ତାହେଲେ ମୋ ସହ ଏସବୁ କରନ୍ତୁନି ..ମାନୁଛି ମୋ ମୁଣ୍ଡ ଏବେ ଟିକେ ଠିକ ନାହିଁ କିନ୍ତୁ ଏ ମୋବାଇଲ ମୋ ସାମ୍ନାରେ ହଟାଅ ।’ ଏମିତି କହି ଟ୍ରେନ ଲାଇନ କଡରେ ପଡିଥିବା ପଥର ଉଠାଇ ଲୋକଙ୍କ ଉପରକୁ ଫିଙ୍ଗିବାକୁ ଚେଷ୍ଟା କରୁଛନ୍ତି ଯୁବତୀ ଜଣକ। କଥାବାର୍ତ୍ତା କିମ୍ବା ବେଶ ପୋଷାକରୁ ଲାଗୁନି ଯେ ସେ ଜଣେ ମାନସିକ ରୋଗୀ କିନ୍ତୁ ତାଙ୍କ କାର୍ଯ୍ୟକଳାପ ବିଷୟରେ ଶୁଣିଲେ ହୁଏତ ଆପଣ ଭାବି ପାରନ୍ତି ଏମିତି କିଛି ।

ଟ୍ରେନ ଲାଇନ କଡରେ ଚାଲି ଚାଲି ଯାଉଥିବା ଏହି ଯୁବତୀଙ୍କର ଉଦ୍ଦେଶ୍ୟ ଥିଲା କିଛି ଭିନ୍ନ । ହୁଏତ ଘରୁ ରାଗି କରି ଆସିଥିଲେ କିମ୍ବା କିଛି ମନସ୍ତାପରେ ଥିଲେ । ତେବେ ତାଙ୍କର ହାବଭାବ ଦେଖି ପାଖରେ ଥିବା ଲୋକମାନେ ତାଙ୍କୁ ବୁଝାଶୁଝା କରିବା ସହ ତାଙ୍କୁ କିଛି ଚରମ ନିଷ୍ପତ୍ତି ନେବାରୁ ବିରତ କରିଥିଲେ । ତେବେ ସେହି ଲୋକଙ୍କ ଉପରେ ଯୁବତୀ ଜଣକ ରାଗୁଛନ୍ତି । ଟେକା ପକାଇବାକୁ ବି ପଛାଉ ନାହାନ୍ତି । ଘଟଣା କଣ ହୋଇଛି, ତାଙ୍କର ନାଁ କଣ ଓ ଘର କେଉଁଠି ପଚାରୁଛନ୍ତି । ହେଲେ ସେ କହିବାକୁ ରାଜି ନୁହନ୍ତି । ଆହୁରି ରାଗି ଯାଉଥିଲେ । ତେବେ ଶେଷରେ ଏହି ଲୋକମାନେ ତାଙ୍କୁ ଉଦ୍ଧାର କରିଥିଲେ ।

ଯାହା ଖବର ମିଳିଛି, ଅନୁଗୋଳ ଜିଲ୍ଲା ବଅଁରପାଳ ଥାନା ଅନ୍ତର୍ଗତ ଗଡ଼ ବୁଢାପଙ୍କ ଗ୍ରାମ ଅଞ୍ଚଳରେ ଆଜି ଏହି ଯୁବତୀ ଜଣକ ଟ୍ରେନ ଲାଇନରେ ଆତ୍ମହତ୍ଯା କରିବାକୁ ଯାଉଥିଲେ । ତେବେ ଏହି ସମୟରେ ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରି ବଅଁରପାଳ ଥାନା କୁ ହସ୍ତାନ୍ତର କରିଥିଲେ। ଥାନା ଅଧିକାରୀଙ୍କ କହିବା ଅନୁସାରେ ଯୁବତୀ ଜଣଙ୍କ ମାନସିକ ରୋଗୀ । ସନ୍ଧାନ ନେବା ପରେ ଜଣାପଡିଥିଲା ଯେ ସେ ସ୍ଥାନୀୟ ଅଞ୍ଚଳର । ଏହାପରେ ତାଙ୍କ ପରିବାର ସହ ଯୋଗାଯୋଗ କରି ଯୁବତୀ ଜଣକୁ ହସ୍ତାନ୍ତର କରିଥିଲେ ପୋଲିସ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.