ସାବତ ମାଆ ମାରି ମାରି ଦରମରା କରିଦେଲା, ଏହା ଶୁଣି ଧାଇଁ ଆସିଲା ଜନ୍ମିତ ମା

ତୁ ଆସିବାରେ କାହିଁକି ଡେରି କରିଦେଲୁ ମାଆ କିଛି ଦିନ ଆଗରୁ ଆସିଥିଲେ ହୋଇନଥାନ୍ତା । ଯଦି ତୁ ଆମ ପାଖରେ ଥାନ୍ତୁ ନା ତାହେଲେ ଆଜି ଏ ଅବସ୍ଥା ବୋଧହୁଏ ହୋଇନଥାନ୍ତା ।

ଆଠଗଡ (କେନ୍ୟୁଜ) : ମାଆ କୋଳରେ ଆଉଜିକି ଶାନ୍ତିରେ ଶୋଇପଡିଛି କୁନି ଝିଅ । ମନେ ମନେ କହୁଛି ମାଆ ତୁ ଜାଣିଛୁ ମୁଁ କେତେ ମାଡ ସହିଛି । ଭାରି କାଟୁଥିଲା ଲୋ ମାଆ । ହାତ ଗୋଡ ଦେହରେ ଖାଲି ଖଣ୍ଡିଆ ଖାବରା କରିଦେଉଥିଲା । ମାଆ ତୁ ଜାଣିଛୁ ମୋତେ ଭାରି କଷ୍ଟ ହେଇଛି ଲୋ ମାଆ । ତୁ ଆସିବାରେ କାହିଁକି ଡେରି କରିଦେଲୁ ମାଆ କିଛି ଦିନ ଆଗରୁ ଆସିଥିଲେ ହୋଇନଥାନ୍ତା । ଯଦି ତୁ ଆମ ପାଖରେ ଥାନ୍ତୁ ନା ତାହେଲେ ଆଜି ଏ ଅବସ୍ଥା ବୋଧହୁଏ ହୋଇନଥାନ୍ତା । ହୁଏତ ଏହାରି ଭିତରେ କୁନି ଝିଅ ବୁଝି ସାରିଛି ମାଆର ମମତା ଓ ତାର କୋଳର ଉଷ୍ମତା । ଆଉ ମାଆ ହାତର ସ୍ପର୍ଶତା । ଏହି କୋଳ ସହ ରହିଛି ତାର ଦୀର୍ଘ ୧୦ ବର୍ଷର ସମ୍ପର୍କ । ଏଇଠି ଛୋଟରୁ ବଡ ହୋଇଛି । ଏଇ କୋଳରୁ କେତେ ମିଠା ଗାଳି ଶୁଣିଛି । ଆଉ କେତେ ଅଳି ଅଝଟ ବି କରିଛି । ହେଲେ ଫରକ ଏତିକି ଜନ୍ମ କଲା ମାଆ ସବୁ ସହିଯାଇ କୋଳେଇ ନେଉଥିଲା ହେଲେ ସାବତ ମାଆ ନିଷ୍ଠୁର ହୋଇ ପିଟୁଥିଲା । ମେଡିକାଲ ବେଡରେ ମୁଣ୍ଡରେ ମାଆ ହାତ ରଖିବା ପରେ ସେ ଭାବୁଛି ଯେମିତି ମାଆ ମୁଁ ତୋର ସ୍ପର୍ଶରେ ନୂଆ ଜନ୍ମ ପାଇଛି । ଏବେ ଯେମିତି ସେ ସୁରକ୍ଷିତ । ମମତା ଓ ନିର୍ଯାତନା ଭିତରେ ୯ ମାସର ବ୍ୟବଧାନ । ନଅ ମାସ ଯେମିତି ଏମାନଙ୍କୁ ନଅ ବର୍ଷ ଭଳି ଲାଗୁଥିଲା । ଜୀବନ କଣ ଜାଣିବା ଆଗରୁ ଏ କୁନି ଶିଶୁଙ୍କ ଜୀବନରେ କେତେ କଣ ଘଟିଯାଇଛି ।

ମାଆ କୋଳରେ ଶୋଇ କୁନିି ଝିଅ ଭାବୁଛି ଯେମିତି ଜୀବନ ଇଏଠୁ ଆରମ୍ଭ ଆଉ ଏଇଠୁ ଶେଷ । ଏଠି ନାଁ ଅଛି ମାଡର ଭୟ ନା ଅଛି କାହାର ନାଲି ଆଖି । ବୋଧହୁଏ କୁନି ଝିଅ ପାଇଁ ଏହା ଦୁନିଆର ସବୁଠାରୁ ନିରାପଦ ଓ ସୁରକ୍ଷିତ ସ୍ଥାନ । ହଁ ଏ ହେଉଛି କଟକ ଜିଲ୍ଲା ଉପକକଣ୍ଠ ମେଡିକାଲର ଦୃଶ୍ୟ । ଯେଉଁଠି ଖଣ୍ଡିଏ ବିସ୍କୁଟ ଖାଇଦେଲା ବୋଲି ପିଲାଙ୍କୁ ଗୋରୁଗାଈ ଭଳି ପିଟିଛି ସାବତ ମାଆ । ସାବତ ମାଆର ମାଡରେ ଦେହରେ ନୁଳା ବସିଯାଇଥିବା ଏହେଉଛନ୍ତି ସେହି କୁନି ଭାଇ ଭଉଣୀ । ପିଲା ଦୁଇଟିର ଏପରି ଦରମରା ଅବସ୍ଥା ଦେଖି ସମ୍ଭାଳି ପାରିନଥିଲା ମାଆ । ଧାଇଁ ଆସିଲା ଟାଣି ଆଣିଲା ମାଆର ମମତା । ହଠାତ୍‌ ମାଆକୁ ପାଖରେ ପାଇ କୁଣ୍ଢେଇ ପକାଇ କଇଁ କଇଁ ହୋଇ କାନ୍ଦିଥିଲା ଏ କୁନି ଝିଅ ।

ଏ ହେଉଛି ସେହି ମାଆ, ସୋସିଆଲ ମିଡିଆରେ ପବନ ବେଗରେ ଭାଇରାଲ ହେଉଥିବା କୁନି ଝିଅର ଜନ୍ମକଲା ମାଆ । ମେଡିକାଲ ବେଡରେ ବସି ଝିଅର ମୁଣ୍ଡ ଆଉଁସି ଦେଉଛି ମାଆ ଆଉ ବସି ବସି ପଛକଥା ସବୁ ମନେ ପକାଉଛି । ଏହି ମାଆ ୧୦ ମାସ ଗର୍ଭରେ ବଢ଼ାଇଛି ଆଉ ଦଶ ମାସ ପାଳି ପୋଶି ବଡ କରିଛି । ସେ ବା ମମତାକୁ କିପରି ଭୁଲିବ । ପିଲାଙ୍କ ପାଦରେ କଣ୍ଟା ପସାଇ ଦେଉନଥିବା ମାଆ କେମିତି ବା ସହିବ ତାର ପିଲାର ଦେହ ସାରା ଏହି କ୍ଷତ ବିକ୍ଷତର ଚିହ୍ନକୁ ଦୁଇ ଛୁଆଙ୍କୁ ସ୍ୱାମୀ ଓ ରକ୍ଷିତା ମାଆ ପାଖରେ ଛାଡି ଦେଇ ନିଜ ବାପଘରକୁ ଚାଲି ଯାଇଥିଲା । ଏବେ ହଠାତ୍‌ ଦୁଇ ଛୁଆଙ୍କ ଲୋମଟାଙ୍କୁରା କାହାଣୀ ଶୁଣି ସଙ୍ଗେ ସଙ୍ଗେ ନିଜ ବୁଢ଼ି ମାଆ ଓ ବୁଢ଼ା ବାପାକୁ ଧରି ମେଡିକାଲରେ ପହଁଚିଥିଲା ମାଆ । ମୋବାଇଲ ଓ ଟିଭିରେ ଯେଉଁ ଚିତ୍ର ଦେଖିଥିଲା ଆଖି ସାମ୍ନାରେ ସେହି ଚିତ୍ର ଦେଖି ନିଜକୁ ସମ୍ଭାଳି ପାରୁନଥିଲା ମାଆ ।

ନାତି ଟୋକାଟାକୁ କୋଳରେ ଶୁଆଇ ମନେ ମନେ କେତେ କଣ ଭାବିପକାଉଛି ବୁଢ଼ି ମାଆ । ଆଖିରେର ଛଳ ଛଳ ଲୁହ ଧାର ଗଡିଯାଉଛି । ପିଲାର ଅବସ୍ଥା ଦେଖି ଛାତି ଫାଟିଯାଉଛି । ଆଡଗଡ ଅଶୋକ ନଗରର ଏହି ଦୁଇ ଭାଇ ଭଉଣୀଙ୍କ କରୁଣ କାହାଣୀ ସୋସିଆଲ ମିଡିଆରେ ମୋବାଇଲକୁ ମୋବାଇଳ୍‌ ବେଶ୍‌ ଘୁରି ବୁଲୁଛି । ଯାହାକୁ ଯିଏ ବି ଦେଖୁଥିଲା ତାଙ୍କ ମନ ହୋଇଯାଉଥିଲା ବ୍ୟଥିତ । ଏବେ ଡାକ୍ତରଖାନାରେ ଚିିକିତ୍ସିତ ହେଉଛନ୍ତି ଦୁଇ ଭାଉ ଭଉଣୀ ।

ଏହି ଘଟଣା ପରେ ପୋଲିସ ଆହତ ଦୁଇ ଶିଶଙ୍କ ବାପା ସୁନୀଲ ନନ୍ଦ ଓ ତାଙ୍କ ସାବତ ମାଆ ପୁଷ୍ପଲତା ନନ୍ଦଙ୍କୁ ଥାନାକୁ ଆଣି ପଚରା ଉଚୁରା କରିଥିଲା । ସାବତ ମାଆ ସ୍ୱାମୀଙ୍କ ଆଡକୁ ଦୋଷ ଲଦୁଥିବାବେଳେ ସ୍ୱାମୀ କହୁଛନ୍ତି ମୁଁ କିଛି ଜାଣିନି ଘରେ ନଥିଲି । ତେବେ ପ୍ରାଥମିକ ତଦନ୍ତ ପରେ ପୋଲିସ ଗିରଫ କରିଛି ନିଷ୍ଠୁର ସାବତ ମାଆ ଓ ବାପାଙ୍କୁ । ଭାଇ ଭଉଣୀଙ୍କୁ ଅକଥନୀୟ ନିର୍ଯାତନା ଘଟଣାରେ ବାପା ଓ ସାବତ ମାଆ ଗିରଫ ହୋଇଛନ୍ତି । ଦୁଇ ଜଣଙ୍କୁ ଗିରଫ କରିଛି ଆଠଗଡ଼ ଥାନା ପୋଲିସ । ଦୁଇ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.